କଟକ,୦୭/୧୧: ବାଲିଯାତ୍ରା ସମୟରେ ଟ୍ରାଫିକ୍ ସହିତ ଗାଡ଼ି ଷ୍ଟାଣ୍ଡ୍ ଏକ ପ୍ରମୁଖ ସମସ୍ୟା । ତେଣୁ ବାଲିଯାତ୍ରା ପଡ଼ିଆରେ ପ୍ଲଟ୍ ଆବଣ୍ଟନ କାମ ଜାରି ରହିଥିବା ବେଳେ ଏପଟେ ପାର୍କିଂ ନେଇ ପ୍ରସ୍ତୁତି ଜାରି ରହିଛି । ଚଳିତ ବର୍ଷ ମୋଟ୍ ୧୩ଟି ପାର୍କିଂ ସ୍ଥାନ ବା ଗାଡ଼ି ଷ୍ଟାଣ୍ଡ୍ ହେବ ବୋଲି ନିଷ୍ପତ୍ତି ହୋଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଚହଟା ପଟେ ପଡ଼ିଆକୁ ଅଧିକ ସଂଖ୍ୟାରେ ଗାଡ଼ି ଆସୁଥିବାରୁ ଏଥର ଭୁଆସୁଣୀ ପଠାରେ ପ୍ରାୟ ୩୦ ହଜାର ଗାଡ଼ି ରଖିବା ଭଳି ବ୍ୟବସ୍ଥା ହେଉଛି ।
ଗତ ବର୍ଷ ଭୁଆସୁଣୀ ପଠାରେ ଷ୍ଟାଣ୍ଡ୍ ହୋଇଥିଲା । ମାତ୍ର ଅଳ୍ପ ସ୍ଥାନକୁ ନେଇ କରାଯାଇଥିଲା । ସେହିପରି ପଡ଼ିଆକୁ ଯିବା ଆସିବା ପାଇଁ କେବଳ ଗୋଟିଏ ଗଡ଼ା ରହିଥିଲା । ତେଣୁ ଯାତାୟାତରେ ଗତଥର ବଡ଼ ଅସୁବିଧା ହୋଇଥିଲା । ତେଣୁ ଚଳିତ ବର୍ଷ ଗାଡ଼ି ଷ୍ଟାଣ୍ଡ୍କୁ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି । ମଧୁସୂଦନ ସେତୁ ଓ ନେତାଜୀ ସେତୁ ହୋଇ ଆସୁଥିବା ସମସ୍ତ ଗାଡ଼ିକୁ ପଡ଼ିଆଠାରୁ ବହୁ ଦୂରରେ ରଖିବାକୁ ବ୍ୟବସ୍ଥା କରାଯାଉଛି । ଭୁଆସୁଣୀ ପଠାରେ ବଡ଼ ଆକାରରେ ଷ୍ଟାଣ୍ଡ୍ ପାଇଁ ପ୍ରସ୍ତୁତ କରାଯାଉଛି । ପ୍ରାୟ ୩୦ ହଜାର ଗାଡ଼ି ସେଠାରେ ରହିବା ନେଇ ବ୍ୟବସ୍ଥା ହେଉଛି । ତେବେ ସେଠାରେ ଗାଡ଼ି ଯାତାୟତ ପାଇଁ ଗୋଟିଏ ଗଡ଼ା ରହିଥିବାରୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଆଉ ଦୁଇଟି ଗଡ଼ା କରିବା କାମ ଜାରି ରହିଛି ।
ଏଥିସହିତ ସେହି ଷ୍ଟାଣ୍ଡ୍ ଯଦି ହଠାତ୍ ପୂରଣ ହୋଇଯାଏ ତାହାଲେ ବିକଳ୍ପ ଭାବେ ପାଖରେ ଥିବା ବିଡ଼ାନାସୀ ସ୍କୁଲ୍ ପଡ଼ିଆକୁ ରିଜର୍ଭ ରଖାଯାଇଛି । ଭୁଆସୁଣୀ ପଠାକୁ ପରିଚାଳନା ପାଇଁ ନିଲାମ ଦିଆଯିବ । ମାତ୍ର ସ୍କୁଲ୍ ପଡ଼ିଆକୁ ପୁଲିସ କେବଳ ବିକଳ୍ପ ପାଇଁ ରଖିବ । ଏହାଛଡ଼ା ଚଳିତ ବର୍ଷ ମାରିଟାଇମ୍ ମ୍ୟୁଜିୟମ୍ ଆଗରେ ଆଉ ଏକ ଷ୍ଟାଣ୍ଡ୍ କରାଯିବ । ଯଦି ସିସୋର ପଠା ପାଖ ପଡ଼ିଆ ଗାଡ଼ିରେ ଭର୍ତ୍ତି ହୋଇଯାଏ । ତାହାଲେ ସେହି ପଡ଼ିଆରେ ଗାଡ଼ି ରଖାଯିବ । ଅନ୍ୟପଟେ ସହର ଭିତର ଗାଡ଼ିଗୁଡ଼ିକ ପାଇଁ କ୍ୟାମ୍ବ୍ରିଜ୍ ସ୍କୁଲ୍ ପଡ଼ିଆକୁ ରିଜର୍ଭ ରଖାଯାଇଛି । ଦୟାଶ୍ରମ ପାଖ ପଡ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ଗାଡ଼ି ଗୁଡ଼ିକ ଭର୍ତ୍ତି ହୋଇଗଲେ ତାହାକୁ ଟ୍ରାଫିକ୍ ପୁଲିସ ବିକଳ୍ପ ଭାବେ ବ୍ୟବହାର କରିବ ବୋଲି ଟ୍ରାଫିକ୍ ଏସିପି ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । ତେବେ ଯେଉଁ ୧୧ଟି ଷ୍ଟାଣ୍ଡ୍ ଗୁଡ଼ିକ ବେସରକାରୀ ସଂସ୍ଥା ପରିଚାଳନା କରିବ ସେଗୁଡ଼ିକୁ ନିଲାମ କରିବା ପାଇଁ ଆସନ୍ତାକାଲି ଟେଣ୍ଡର ଆହ୍ୱାନ ହେବ ।