ଯାଜପୁର ରୋଡ,୧୬।୧୧ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ମାମଲାର ବିଚାର କରି ଯାଜପୁର ରୋଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।
ସୂଚନା ମୁତାବକ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ ଶୈଳ ବାଲମୁ ଓ ସମ୍ବରି ବାଲମୁ ନିଜ ଘରେ ଶୋଇଥିବା ସମୟରେ ଘର ସହ ଜଳି ଯାଇଥିଲେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ପରେ ଏଥିରେ ସମ୍ପୃକ୍ତ ଥିବା ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କଳିଙ୍ଗନଗର ପୋଲିସ। ତେବେ ଗୁରୁବାର ଏହି ଘଟଣାର ଶୁଣାଣି କରି ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଓ ଦୌରାଜଜ।
ଆହୁରି ପଢନ୍ତୁ : ବାବା ଆଳରେ କରୁଥିଲେ ଗଞ୍ଜେଇ ବେପାର, ମାଡ଼ି ବସିଲା ପୁଲିସ : ୨ ଗିରଫ