ପ୍ରମୂଖ ଖବର
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୯ ଲକ୍ଷରୁ ଅଧିକ ଭୋଟର, ପ୍ରଥମ ଥର ଭୋଟ ଦେବେ ୪୨ ହଜାର ଯୁବ ଭୋଟର

ଖୋର୍ଦ୍ଧା, ୨୫।୪: ଚଳିତ ମାସ ୨୫ତାରିଖ ଅର୍ଥାତ ଶନିବାର ଦିନ ଭୁବନେଶ୍ୱର ଲୋକସଭା ଓ ଏହାର ଅନ୍ତର୍ଗତ ୮ ବିଧାନସଭା ପାଇଁ ହେବ ମତଦାନ । ଏଥିପାଇଁ ଜିଲ୍ଳାବ୍ୟାପୀ ୧୯୨୩ ମତଦାନ କେନ୍ଦ୍ର କରାଯାଇଛି । ଏଠାରେ ୧୯,୦୬,୫୧୮ ଭୋଟର ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେବା ବ୍ୟବସ୍ଥା ହୋଇଛି । ଗଣତନ୍ତ୍ରର ଏ ମହାପର୍ବରେ ଦେଶର ଭବିଷ୍ୟତ ବାଛିବା ସହ ଗଣତନ୍ତ୍ରକୁ ସମ୍ମାନ ଦେବା ପାଇଁ ସମସ୍ତ ଭୋଟର ନିଶ୍ଚିତ ସାମିଲ ହେବାକୁ ଜିଲ୍ଳାପାଳ ଚଞ୍ଚଳ ରାଣା ଅନୁରୋଧ କରିଛନ୍ତି । ଏପଟେ ଗୋଟିଏ ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ, ୫ ପୋଲିଂ ଅଫିସର ଓ ଜଣେ ପୁଲିସ କର୍ମଚାରୀଙ୍କୁ ମିଶାଇ ସମୁଦାୟ ସାତ ଜଣଙ୍କୁ ନିୟୋଜିତ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ର ପରିଚାଳନା କରିବାକୁ ୧୩ ହଜାର ୪୭୧କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହାକୁ ତଦାରଖ କରିବାକୁ ବରିଷ୍ଠ ୭ ଜଣ ପ୍ରଶାସନିକ ଅଧିକାରୀଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ କରାଯାଇଛି । 

ନିର୍ବାଚନକୁ ଅବାଧ ନିରପେକ୍ଷ କରିବାକୁ ୮ ପର୍ଯ୍ୟବେକ୍ଷକ, ୧୯୩ ସେକ୍ଟର ଅଫିସର, ୫୫ ମାଇକ୍ରୋ ପର୍ଯ୍ୟବେକ୍ଷକ ଏବଂ ୧୬ ଆସିଷ୍ଟାଣ୍ଟ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୧୪୪ ମତଦାନ କେନ୍ଦ୍ରରେ ୱୋବ୍‌କାଷ୍ଟିଙ୍ଗ ବ୍ୟବସ୍ଥା ହୋଇଛି । ଏହା ଉପରେ ତୀକ୍ଷ୍ମ ନଜର ରଖିବାକୁ ଏକ ଜିଲ୍ଳାସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ସମୁଦାୟ ମତଦାନ କେନ୍ଦ୍ର ମଧ୍ୟରୁ ୫୨୫ ସ୍ଥାନରେ ସଖୀ ମତଦାନ କେନ୍ଦ୍ର ରହିଛି । ପ୍ରତି ବିଧାନସଭା କ୍ଷେତ୍ରରେ ଗୋଟିଏ ଗୋଟିଏ ଦିବ୍ୟାଙ୍ଗ ଏବଂ ୫ଟି ଲେଖାଏଁ ୟୁଥ୍‌ ମତଦାନ କେନ୍ଦ୍ର ରହିଛି । ଉଭୟ ଲୋକସଭା ଏବଂ ବିଧାନସଭା ନିମନ୍ତେ ସମୁଦାୟ ୯୫ ଜଣ ପ୍ରାର୍ଥୀ ରହିଥିବା ବେଳେ ଲୋକସଭାରେ ୧୨ ଏବଂ ବିଧାନସଭାରେ ୮୩ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଲୋକସଭାରେ ୩ ଜଣ ମହିଳା ଏବଂ ୯ ପୁରୁଷ ପ୍ରାର୍ଥୀ ଅଛନ୍ତି । ବିଧାନସଭା କ୍ଷେତ୍ରରେ ୧୦ ମହିଳା ଏବଂ ୭୩ ଜଣ ପୁରୁଷ ପ୍ରାର୍ଥୀ ଅଛନ୍ତି ।କିନ୍ତୁ ଜଟଣୀ ଏବଂ ଚିଲିକା ବିଧାନସଭା ମଇଦାନରେ କୌଣସି ମହିଳା ପ୍ରାର୍ଥୀ ନ ଥିବା ଜଣାପଡ଼ିଛି । ଏ ସମସ୍ତ ପ୍ରାର୍ଥୀଙ୍କୁ ୯୯୦୭୩୪ ପୁରୁଷ, ୯୧୫୨୦୫ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗ ଭୋଟର ଭୋଟ୍‌ ଦେବେ । ତନ୍ମଧ୍ୟରୁ ପ୍ରଥମ ଥର ପାଇଁ ୪୨ ହଜାର ଏକ ଶହ ଯୁବ ଭୋଟର ଭୋଟ ଦେବେ । ଜିଲ୍ଳାରେ ଶତାୟୁ ଭୋଟର ସଂଖ୍ୟା ୫୦୪ ଥିବା ଜଣାପଡ଼ିଛି । ବଡ଼କଥା ଏଥିରେ ୧୨୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୬ ରହିଛି । 

ସେହିପରି ୧୦୦ରୁ ୧୦୯ ମଧ୍ୟରେ ୪୫୨ ଏବଂ ୧୧୦ରୁ ୧୧୯ ମଧ୍ୟରେ ୪୬ ଜଣ ଭୋଟର ଥିବା ଜଣାପଡ଼ିଛି । ପ୍ରତି ମତଦାନ କେନ୍ଦ୍ର ନିମନ୍ତେ ଦୁଇଟି ଲେଖାଏଁ ବିୟୁ, ସିୟୁ ଏବଂ ଭିଭିପାଟ୍‌ ମେସିନ ପୋଲିଂ ପାର୍ଟିଙ୍କୁ ପ୍ରଦାନ କରାଯାଇଛି । କୌଣସି କାରଣବଶତଃ ମେସିନରେ ଯାନ୍ତ୍ରିକ ତ୍ରୁଟି ହେଲେ ସେକ୍ଟର ଅଫିସର ନିକଟରେ ଶତକଡ଼ା ୧୦ ପ୍ରତିଶତ ଏବଂ ରିଟର୍ଣ୍ଣି ଅଫିସର ନିକଟରେ ଶତକଡ଼ା ୫ ପ୍ରତିଶତ ଅତିରିକ୍ତ ମେସିନ୍‌ ଗଚ୍ଛିତ ରଖାଯାଇଥିବା ଜିଲ୍ଳା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.