ଭୁବନେଶ୍ଵର, ୩୦/୦୮ : ପୁଣି ସଂଶୋଧନ ହେବ ୨୦୨୦ ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ୍। ଗୃହରେ ଗଣେଶ୍ଵର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ଵବିଦ୍ୟାଳୟ ସ୍ଵତନ୍ତ୍ରତା ବଜାୟ ରହିବ। ବିଶ୍ଵବିଦ୍ୟାଳୟ ପକ୍ଷରୁ ମଧ୍ୟ ନିଯୁକ୍ତି ବ୍ୟବସ୍ଥା କରାଯିବ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବେ। ଦ୍ଵନ୍ଦ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ଵବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରାଯାଇ OPSC ଦ୍ଵାରା ନିଯୁକ୍ତି ଦିଆଯାଉଛି। ଯାହା ଦ୍ଵାରା ୟୁଜିସି ଗାଇଡଲାଇନ ପରିପନ୍ଥୀ ଥିଲା। ୟୁଜିସିକୁ ଗାଇଡଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବା କଥା। କିଭଳି ଭାବେ ବିଶ୍ଵବିଦ୍ୟାଳୟ ଦ୍ଵାରା ଅଧ୍ୟାପକ ନିଯୁକ୍ତି ଦିଆଯିବ। ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଖାଲି ପଡିଛି । ଏହାକୁ ପୂରଣ କରାଯିବ।
ରାଜ୍ୟ ସରକାରଙ୍କ ଅଧୀନରେ ୪୩ଟି ବିଶ୍ଵବିଦ୍ୟାଳୟ ରହିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୮ ସରକାରୀ ଓ ୭ ଘରୋଇ ସମେତ ୨୫ ବିଶ୍ଵବିଦ୍ୟାଳୟ ଅଛି। ଦକ୍ଷତା ବିକାଶ ବିଭାଗ ଅଧୀନରେ ୩ ସରକାରୀ ଓ ୫ ଘରୋଇକୁ ମିଶାଇ ୮ଟି, ୧ଟି କୃଷି ବିଶ୍ଵବିଦ୍ୟାଳୟ, ୩ଟି ସ୍ବାସ୍ଥ୍ୟ ବିଶ୍ଵବିଦ୍ୟାଳୟ, ୟୁଜିସି ଅଧୀନରେ ୩ ଘରୋଇ ବିଶ୍ଵବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ୧ଟି ସେଣ୍ଟ୍ରାଲ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା ବିଭାଗ ଅଧୀନରେ ୧ଟି ଓଡ଼ିଆ ବିଶ୍ଵବିଦ୍ୟାଳୟ ରହିଛି । ବିଶ୍ଵବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ଅଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ ବିଶ୍ଵବିଦ୍ୟାଳୟରେ କୁଳପତି ଅଛନ୍ତି। କେନ୍ଦୁଝର ଧରଣୀଧର ଓ ବିକ୍ରମ ଦେବ ଜୟପୁର ବିଶ୍ଵବିଦ୍ୟାଳୟ OSD ଜରିଆରେ ଚାଲିଛି । କାରଣ କୁଳାଧିପତି କୁଳପତି ଚୟନ କରନ୍ତି । କୁଳପତି ଚୟନ ନ ହେବା ଯାଏଁ OSD ଜରିଆରେ କାର୍ଯ୍ୟ ଚଳାଇବାକୁ କୁଳାଧିପତିଙ୍କ ନିର୍ଦ୍ଦେଶ ରହିଛି । ୟୁଜିସି ମାନ୍ୟତାକୁ ନେଇ ଖଲିକୋଟ ବିଶ୍ଵବିଦ୍ୟାଳୟର ଅନେକ କଥା ଉଠିଲା । ତେଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଖଲିକୋଟ ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେହିପରି ବାରିପଦା ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି । ୨୦୧୪ ଆଇନ ଅନୁସାରେ ଚାଲିଥିବା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୨୦୨୭ ଜୁନ ୧୬ରେ ସରିବ । ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୨୦୨୫ ଅଗଷ୍ଟ ୩୧ରେ ସରିବାକୁ ଯାଉଛି।
ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ କଣ ?
ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ। ଏଥିରେ ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତତାକୁ ମଧ୍ୟ କ୍ଷୁଣ୍ଣ କରୁଥିଲା । ସଂଶୋଧିତ ଆଇନ ୟୁଜିସି ଦ୍ଵାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା। ବିଶ୍ଵବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଥିଲା। ଏହା ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ସୂଚନାନୁଯାୟୀ, ବିଶ୍ଵବିଦ୍ୟାଳୟରେ ପୁଣି ଥରେ ସିନେଟ ସ୍ଥାପନ ପାଇଁ ବିଚାରବିମର୍ଶ କରୁଛନ୍ତି ରାଜ୍ୟ ସରକାର। ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହାକୁ ଭଙ୍ଗା ଯାଇଥିଲା। ସେନେଟରେ ୧୦୦ ଜଣ ସଦସ୍ୟ ରହୁଥିଲେ। ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ। ଯାହା ସିଣ୍ଡିକେଟ କାର୍ଯ୍ୟକାରୀ କରୁଥିଲା। ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ ବା ଏକ୍ସ ଅଫିସିଓ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, ୬୦ ଅବସରପ୍ରାପ୍ତ ଶିକ୍ଷାବିତ୍, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ।