ପିପିଲି, ୧୮।୯ : ଟ୍ରେନରେ ଯାଉଥିବା ବେଳେ କୌଣସି କାରଣରୁ ବିଷ ପିଇ ଗୋଟିଏ ପରିବାରର ୩ ଜଣ ଅସୁସ୍ଥ ହୋଇଛନ୍ତି। କଣାସ ରୋଡ ଷ୍ଟେସନଠାରେ ଏହା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ବିଷ ପିଇଥିବା ଲୋକଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ମୌଦି ଅଞ୍ଚଳରେ ବୋଲି ଜଣା ପଡିଛି l
ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ମୌଦି ଅଞ୍ଚଳର ରାଜୁ ମଣ୍ଡଳଙ୍କ ପରିବାରର ୩ ଜଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ବିଷ ପିଇ କଣାସ ରୋଡ ଷ୍ଟେସନରେ ଓହ୍ଲାଇ ଥିଲେ l ଷ୍ଟେସନରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ସେମାନଙ୍କ ଗୁରୁତର ଅବସ୍ଥା ଦେଖି କିଛି ଲୋକ ତାଙ୍କୁ ତୁରନ୍ତ ଡେ଼ଲାଙ୍ଗ ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି।