କୁଚିଣ୍ଡା, ୨୪/୦୮ : ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଅଘଟଣ। ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ ଜଣେ ଗୁରୁତର। ଜମନକିରା ଥାନା ପୁକୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ସେହିପରି ଗୁରୁତର ଜଣଙ୍କ ହେଲେ ସିଦ୍ଧାର୍ଥ ମୁଣ୍ଡା। ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଜମନକିରା ଥାନା ପୁକୁଡା ଗ୍ରାମର ଶ୍ରୀକାନ୍ତ ଦେହୁରୀଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରି ଖୋଳା ହେଉଥିଲା। ଦେହୁରୁଣୀମାଲର ଶ୍ରୀକାନ୍ତ ମୁଣ୍ଡା ତାଙ୍କ ଭାଇ ସିଦ୍ଧାର୍ଥ ମୁଣ୍ଡା ଓ ପୁକୁଡା ଗ୍ରାମର ଭରତ ରଣା ଟାଙ୍କି ଖୋଳୁଥିଲେ। ଟାଙ୍କି ଭିତରକୁ ଶ୍ରୀକାନ୍ତ ଓ ଭରତ ପଶିଥିବା ବେଳେ ବାହାରେ ସିଦ୍ଧାର୍ଥ ଓ ଘର ମାଲିକଙ୍କ ବଡଭାଇ ବସନ୍ତ ଠିଆ ହୋଇଥିଲେ। ହେଲେ ଭିତରକୁ ପଶିଥିବା ଶ୍ରମିକ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇ ପଡିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ବାହାରେ ଠିଆ ହୋଇଥିବା ସିଦ୍ଧାର୍ଥ ଓ ବସନ୍ତ ଭିତରକୁ ପଶିଥିଲେ। ଫଳରେ ଘଟଣାସ୍ଥଳରେ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ। ସମସ୍ତଙ୍କୁ ଫାଶୀମାଳ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ସିଦ୍ଧାର୍ଥ ମୁଣ୍ଡାଙ୍କ ଚିକିତ୍ସା ଜାରି ରହିଛି।