ପୁରୀ,୧୪/୧୧: ଶ୍ରୀମନ୍ଦିର ଦୋଳବେଦିକୋଣରୁ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମେଜ୍ ସେଣ୍ଟରକୁ ସଂଯୋଗ କରିବାକୁ ଥିବା ‘ଗ୍ରୀନ୍ କରିଡର’ନୂଆ ରାସ୍ତାରେ ଚାଲିବ ୫୦ ବ୍ୟାଟେରୀ ଅଟୋ । ବୟସ୍କ, ମହିଳା, ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଏହି ରାସ୍ତାରେ ବ୍ୟାଟେରୀ ଗାଡ଼ିରେ ବସି ଯାତାୟାତ କରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବ୍ୟାଟେରୀ ଗାଡ଼ି ଆଣିବା ନିମନ୍ତେ ଟେଣ୍ଡର କାମ ମଧ୍ୟ ହୋଇଯାଇଛି । ଏବେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ୧୮ଟି ଓ ନାଲ୍କୋ ପକ୍ଷରୁ ୯ଟି ବ୍ୟାଟେରୀ ଅଟୋ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରୁଛି । ପରିକ୍ରମା ପ୍ରକଳ୍ପ ଓ ଗ୍ରୀନ୍ କରିଡର କାମ ସରିବା ପରେ ସମସ୍ତ ବ୍ୟାଟେରୀ ଅଟୋ ଏହି ଗ୍ରୀନ୍ କରିଡର ଦେଇ ଯାତାୟାତ କରିବ । ଶ୍ରଦ୍ଧାଳୁମାନେ ଏଥିରେ ବସି ପରିକ୍ରମା ମାର୍ଗ ମଧ୍ୟ ବୁଲି ପାରିବେ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟକୁ ଦେଖିପାରିବେ ।
ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା କୋଠାଗୁଡ଼ିକୁ ଏକ ସ୍ୱତନ୍ତ୍ର ରଙ୍ଗ ଦେବାକୁ ପ୍ରଶାସନିକ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି । ଏଥିପାଇଁ ଫିକା ଗୋଲାପି ରଙ୍ଗ ବଛା ଯାଇଥିଲେ ହେଁ ଏଥିପ୍ରତି ଅନେକ ଅନାଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ ଭାବେ ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ଥିବା ମଠ, ମନ୍ଦିର, ଧର୍ମଶାଳାର ମୁଖିଆମାନେ ସେମାନଙ୍କ ପ୍ରତିଷ୍ଠାନର ନିଜସ୍ୱ ରଙ୍ଗ ରଖିବାକୁ ଚାହୁଁଛନ୍ତି । କିଛି ବର୍ଷ ପୂର୍ବେ ପ୍ରଶାସନିକ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡ ଦୁଇପାଶ୍ୱର୍ ଅଧିକାଂଶ କୋଠାକୁ ଏକ ସ୍ୱତନ୍ତ୍ର ରଙ୍ଗ ଦିଆଯାଇଥିଲା । ସମୟ କ୍ରମେ ଅଧିକାଂଶ କୋଠାର ରଙ୍ଗ ବଦଳି ଯାଇଛି । ଲୋକେ ନିଜ ପସନ୍ଦ ଓ ବାସ୍ତୁ ଶାସ୍ତ୍ର ବିଚାର ମୁତାବକ କୋଠାକୁ ରଙ୍ଗ ଦେଇଛନ୍ତି । ତେଣୁ ପ୍ରଶାସନିକ ନିଷ୍ପତ୍ତି ପ୍ରତି ଅନେକ ଅନାଗ୍ରହ ଦେଖାଉଛନ୍ତି ।
ସେପଟେ ପ୍ରଶାସନିକ ନିଷ୍ପତ୍ତି ମୁତାବକ ଦିନେ ଦୁଇଦିନ ଭିତରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପ୍ରଥମେ ଫିକା ଗୋଲାପି ରଙ୍ଗ ଦେବାକୁ ପ୍ରସ୍ତୁତି ହୋଇଛି । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ଥିବା ଦିବ୍ୟାଙ୍ଗ ସେବା କ୍ୟାବିନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ରାଜ ନଅର ପାଖରେ ଏହି କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ରଙ୍ଗ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଲିଖିତ ନିଷ୍ପତ୍ତି ମଧ୍ୟ ହୋଇନି । ସେହିପରି ଶ୍ରୀମନ୍ଦିର ଦୋଳବେଦୀ କୋଣ-ଜଗନ୍ନାଥ ବଲ୍ଲଭ ପିଲିଗ୍ରିମେଜ୍ ସେଣ୍ଟର ରାସ୍ତାର ସ୍ୱତନ୍ତ୍ର ନାମକରଣ ନେଇ ଆଲୋଚନା ହେଉଥିଲେ ହେଁ ସରକାରୀ ଭାବେ ନାମ ଚୂଡ଼ାନ୍ତ ହୋଇନି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି, ବଡ଼ଦାଣ୍ଡ ପାଶ୍ୱର୍ କୋଠାଗୁଡ଼ିକ ବିଭିନ୍ନ ରଙ୍ଗର ହୋଇଥିବାବେଳେ ଏହାକୁ ଏକ ୟୁନିଫର୍ମ କଲର ଦେବାକୁ ଯୋଜନା ରହିଛି । ଏହା ପରିକ୍ରମା ପ୍ରକଳ୍ପର ଅଂଶ ଭାବେ ସ୍ଥାନ ପାଇଛି ।