ପୁରୀ,୨୦/୦୮: ସରିଲାନି ଶ୍ରୀସେତୁ ନିର୍ମାଣ । ଶ୍ରୀସେତୁର ଅନ୍ୟତମ ଆକର୍ଷଣ ଦର୍ଶନ ଟାୱାର କାମ ଅଧପନ୍ତରିଆ ହୋଇପଡ଼ିଛି । ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଶ୍ରୀସେତୁ ଓ ଏହି ଦର୍ଶନ ଟାୱାର କାମ ଶେଷ କରିବାକୁ ସରକାରୀ କଣ୍ଟ ଦିଆଯାଇଥିଲା । ହେଲେ ଏହି ସରକାରୀ କଣ୍ଟ ଯାଇ ଆହୁରି ୮ ମାସ ବିତିଗଲାଣି । ମାତ୍ର ଏପର୍ଯ୍ୟନ୍ତ ଶ୍ରୀସେତୁର ସମ୍ପୂର୍ଣ୍ଣ କାର୍ଯ୍ୟ ସରିଲା ନାହିଁ । ଏହି ବ୍ରିଜ୍ର ମୁଖ୍ୟ ଆକର୍ଷଣ ଥିଲା ଧନୁ ଭଳି ଦେଖାଯାଇଥିବା ଷ୍ଟ୍ରିଙ୍ଗ ଗିଡରୁ ବ୍ରିଜ୍, ରାଉଣ୍ଡ ସହ ୪ ଲେନ୍ ରାସ୍ତା, ତୁରହି ସେବା, ସ୍ୱାଗତ ଗେଟ୍ ସ୍ତମ୍ଭ ଦର୍ଶନ ଟାୱାର । ପ୍ରକଳ୍ପ ଅଟକଳ ମୂଲ୍ୟ ୧୯୫ କୋଟି ଟଙ୍କାରୁ ଅଧିକ ଥିବା ବେଳେ ୧୬୧ କୋଟି ୪୩ ହଜାର ୨୫ ହଜାର ଟଙ୍କାରେ ଓବିସିସି ଠିକାସଂସ୍ଥା ଜରିଆରେ କାମ କରୁଥିଲା ।
ଅବଢ଼ା ଯୋଜନାରେ ଏହି ୩ ମିଟର ଓସାର ଓ ୨.୩ କିଲୋମିଟର ସେତୁ ଓ ରାସ୍ତା ନିର୍ମାଣ ନିମନ୍ତେ ଲକ୍ଷ୍ୟ ରହିଥିଲା । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ସିଧାସଳଖ ବଡ଼ଦାଣ୍ଡକୁ ସଂଯୋଗ କରିବା ଓ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଠାକୁର ଦର୍ଶନର ରାସ୍ତା ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ରହିଥିଲା । ଏହି ବ୍ରିଜ୍ ଓ ରାସ୍ତା ସିଧାସଳଖ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର(ଜେବିପିସି)କୁ ସଂଯୋଗ କରିଥିଲା । ଏହି ରାସ୍ତାରେ ଶ୍ରଦ୍ଧାଳୁମାନେ ଗାଡ଼ି ନେଇ ଆସିଲେ ଜେବିପିସିରେ ରଖି ଠାକୁର ଦର୍ଶନର ସୁବିଧା ନେବା ଲକ୍ଷ୍ୟ ରହିଥିଲା । ମାତ୍ର ଏପର୍ଯ୍ୟନ୍ତ ଜେବିପିସି କାମ ସରିନି । ଯେତେବେଳେ କି ଏହି ରାସ୍ତା ଦେଇ କାର୍ଠାରୁ ବଡ଼ ଚାରି ଚକିଆ ଯାନ ଏହା ଭିତରେ ରହିପାରୁନି । ଫଳରେ ବସ୍ ଓ ଅନ୍ୟ ବଡ଼ଗାଡ଼ିରେ ଆସୁଥିବା ଶ୍ରଦ୍ଧାଳୁ ଏବେବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବସ୍ ଓ ଅନ୍ୟ ବଡ଼ଗାଡ଼ିରେ ଆସୁଥିବା ଶ୍ରଦ୍ଧାଳୁମାନେ ସେମାନଙ୍କ ଯାନ ସମଙ୍ଗ ପାର୍କିଂରେ ରଖି ବ୍ୟାଟେରୀ ବସ୍ ଯୋଗେ ଜେବିପିସିଠାରେ ପହଞ୍ଚିବା ପରେ ଶ୍ରୀଦାଣ୍ଡ ହୋଇ ଠାକୁର ଦର୍ଶନ କରିବାକୁ ଆସିପାରିବେ ବୋଲି ସରକାର ରଖିଥିବା ଲକ୍ଷ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରିନି । କାରଣ ଏପର୍ଯ୍ୟନ୍ତ ସମଙ୍ଗ ପାର୍କିଂ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇନାହିଁ । ପୁରୀ-ଭୁବନେଶ୍ୱର ରାସ୍ତାରୁ ନୂଆ କରି ହେବାକୁଥିବା ୪ ଥାକିଆ ସର୍ଭିସ୍ ରୋଡ୍ ଓ ମଙ୍ଗଳନଦୀ ଉପରେ ବ୍ରିଜ୍ ନିର୍ମାଣ କାମ ସରିନି । ସେହିପରି ବ୍ୟାଟେରୀ ବସ୍ ଚଳାଚଳ ଓ ଆନୁସଙ୍ଗିତ ସୁବିଧା ନିମନ୍ତେ କର୍ମଚାରୀ ମୁତୟନ ହୋଇପାରିନାହାନ୍ତି । ତେଣୁ ପୁରୀକୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ପୂର୍ବଭଳି ଅସୁବିଧା ଭୋଗୁଛନ୍ତି ।
ଏନେଇ ଓବିସିସି ଏମ୍ଡି ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ସ୍ୱାଗତ ତୋରଣ ଓ ଏଠାରେ ହେବାକୁ ଥିବା ଭିୟୁ ପଏଣ୍ଟକୁ ଛାଡ଼ିଲେ ଶ୍ରୀସେତୁ କାମ ଆପତତଃ ଶେଷ ହୋଇଛି । ତେଣୁ ମୋଟାମୋଟି ଶ୍ରୀସେତୁ କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସରିବ ବୋଲି ଲକ୍ଷ୍ୟ ରହିଛି । ସେହିପରି ୫୫ କୋଟି ଖର୍ଚ୍ଚରେ ହେଉଥିବା ସମଙ୍ଗ ପାର୍କିଂ କାମ ମଧ୍ୟ ଚାଲିଛି । ଏହା ଅକ୍ଟୋବର ସୁଦ୍ଧା ସରିବ ବୋଲି ଲକ୍ଷ୍ୟ ରହିଛି । ସେହିପରି ଜେବିପିସି କାମ ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀସେତୁର ସ୍ୱାଗତ ତୋରଣ ଉପରେ ହେଉଥିବା ଭିୟୁ ପଏଣ୍ଟ ଖୁବ ମନୋରମ ହେବ । ଏହି କଂକ୍ରିଟ ତୋରଣ ଉପରେ ଖଣ୍ଡୋଲାଇଟ୍ ପଥର ଛାଉଣି କରାଯାଉଛି । ତୋରଣ ଉପରକୁ ଯିବା ନିମନ୍ତେ ସିଡି ଓ ଲିଫ୍ଟ ବ୍ୟବସ୍ଥା ରହିବ । ଉପରେ ଟଏଲେଟ ଓ ସେଲ୍ଫି ପଏଣ୍ଟ ରହିବ । ଯାତ୍ରୀମାନେ ଏଠାରେ ଠିଆ ହୋଇ ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀକୁ ଦେଖିବା ସହ କିଛି ସମୟ ଅବସର ବିନୋଦନ କରିପାରିବେ ।
ସୂଚନା ଥାଉକି, ଜେବିପିସିରେ ୧୪୦୦ କାର ପାର୍କିଂ ବ୍ୟବସ୍ଥା ସହ ୧୮୪ଟି ଦୋକାନ ଘର, ଯାତ୍ରୀଙ୍କ ନିମନ୍ତେ ଶୌଚାଳୟ, ମେଡିଟେସନ ହଲ୍, ପରିଦର୍ଶନ ସ୍ଥାନ ପ୍ରଭୃତି ବହୁ ବ୍ୟବସ୍ଥା ହେବାର ଥିଲା । ମାତ୍ର ଏପର୍ଯ୍ୟନ୍ତ ଏହାର ନିର୍ମାଣ କାମ ସରିନି । ଲିଫ୍ଟ ମଧ୍ୟ ଲାଗିନି । ପ୍ରାୟ ୨୭୮ କୋଟି ଟଙ୍କା ବ୍ୟୟରେ ଏହି ଜେବିପିସି କାମ ହେଉଛି । ଏହି ପ୍ରକଳ୍ପ ମଧ୍ୟ ଗତବର୍ଷ ଡିସେମ୍ବର ଶେଷ କରିବାକୁ ସରକାରୀ କଣ୍ଟ ରହିଥିଲା । ମାତ୍ର ଏହି ଲକ୍ଷ୍ୟ ମୁତାବକ କାମ କରିବାରେ ସରକାର ଓ ଠିକାଦାର ଉଭୟ ଫେଲ୍ ମାରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ ବିକାଶ ଦୁଇଗୁଣା ବେଗରେ ଦୌଡ଼ିବା ପ୍ରତିଶ୍ରୁତି ମଧ୍ୟ ପୁରୀ ସହର ବିକାଶ କ୍ଷେତ୍ରରେ ଦେଖିବାକୁ ମିଳୁନି । ଅବଢ଼ା ଯୋଜନାର ସମସ୍ତ ପ୍ରକଳ୍ପର କାମ ଆଣ୍ଠେଇ ପଡ଼ିଥିବା ପ୍ରମାଣିତ କରିଛି । କିଛିଦିନ ତଳେ ଉପମୁଖ୍ୟମନ୍ତ୍ରୀ ଅବଢ଼ା ଯୋଜନାର ସମୀକ୍ଷା ପିଡି ଡିଆରଡିଏ ସମ୍ମିଳନୀ କକ୍ଷରେ କରିଥିଲେ । ସମସ୍ତ କାମ ନିର୍ଦ୍ଧାରିତ ସମୟରେ ସାରିବାକୁ କହିଥିଲେ । ହେଲେ ଏହାର ପ୍ରତିଫଳନ ଆଦୌ ଦେଖିବାକୁ ମିଳୁନି ।