ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ଥର ବିଧାନସଭା ଯିବେ ୭ ବିଧାୟିକା, ୭୫ ବିଧାୟକ; କେମିତି ରହିବ ପ୍ରଦର୍ଶନ, ସମସ୍ତଙ୍କର ରହିଛି ନଜର

ଭୁବନେଶ୍ୱର,୧୧/୦୬: ଚଳିତ ନିର୍ବାଚନରେ ବହୁ ହେଭିୱେଟ୍‌ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ହରାଇଛନ୍ତି  ଯୁବ ନେତା । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ  ଧରାଶାୟୀ କରି ଦେଇଛନ୍ତି । ଗଡ ଭାଙ୍ଗିଛନ୍ତି କିଛି ନବାଗତ ।  କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର  ସଂଘର୍ଷ ପରେ ମିଳିଛି ସଫଳତା । ପ୍ରଥମ ଥର ବିଧାନସଭା  ଯିବାକୁ ନିର୍ବାଚିତ ହୋଇଛନ୍ତି ୮୨ ଭାଗ୍ୟଶାଳୀ ନେତା। ସେମାନଙ୍କ  ମଧ୍ୟରୁ ୭ଜଣ ବିଧାୟିକା, ୭୫ଜଣ ବିଧାୟକ । ଏମାନଙ୍କ ପ୍ରଦର୍ଶନ  କେମିତି ରହିବ, ତା’ ଉପରେ ରାଜ୍ୟବାସୀଙ୍କ ନଜର ରହିଛି।  

ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ  ଏବଂ ସୁକାନ୍ତ ନାୟକଙ୍କୁ ମାତ୍‌ ଦେଇଛନ୍ତି ସନ୍ତୋଷ ଖଟୁଆ ।  ପ୍ରଥମଥର ବିଧାୟକ ଭାବେ ଜିତିଛନ୍ତି ସନ୍ତୋଷ । ତାଙ୍କର  ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସୁକାନ୍ତଙ୍କୁ ଏଥର ମାତ୍‌ ଦେଇଛନ୍ତି ।  ସେହିପରି ବାଲେଶ୍ୱର ସଦରରେ ପୂର୍ବତନ ବିଧାୟକ ସ୍ୱରୁପ  ଦାସଙ୍କୁ ହରାଇଛନ୍ତି ବିଜେପିର ଯୁବ ଚେହେରା ମାନସ ଦତ୍ତ ।  ମାନସଙ୍କ ବାପା ମଦନ ମୋହନ ଦତ୍ତ ବିଧାୟକ ଥିଲେ । ତାଙ୍କ  ପରଲୋକ ପରେ ଉପନିର୍ବାଚନରେ ମାନସ ହାରି ଯାଇଥିଲେ ।  ହେଲେ ସେତେବେଳେ ଜିତି ଯାଇଥିବା ସ୍ୱରୁପଙ୍କୁ ସାଧାରଣ  ନିର୍ବାଚନରେ ଧୂଳି ଚଟାଇଛନ୍ତି ମାନସ । ଭୁବନେଶ୍ୱର ଏକାମ୍ର  ଆସନରେ ବିଜେଡି ହେଭିୱେଟ୍‌ ନେତା ତଥା ମନ୍ତ୍ରୀ ଅଶୋକ  ପଣ୍ଡାଙ୍କୁ ହରାଇଛନ୍ତି ବିଜେପିର ବାବୁ ସିଂ । ଦିନେ ବିଜେଡିର ଗଡ଼  ବୋଲାଉଥିବା ଭଦ୍ରକରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ହରାଇ  ପ୍ରଥମ ଧର ବିଧାନସଭା ଯିବେ ସୀତାଂଶୁ ଶେଖର ମହାପାତ୍ର । 

ଅପରପକ୍ଷେ ବାସୁଦେବପୁରରେ ୩୦ ବର୍ଷର ଜନତା ଦଳ  ଓ ବିଜେଡି ଗଡରେ ଧସେଇ ପଶିଛନ୍ତି କଂଗ୍ରେସର ଅଶୋକ  କୁମାର ଦାସ । ଲକ୍ଷ୍ମୀପୁରରେ ଇଞ୍ଜିନିୟରରୁ ବିଧାୟକ ବନିଛନ୍ତି  ପବିତ୍ର ସାଉଁନ୍ତା । ସେପଟେ କଟକ-ବାରବାଟୀରେ ବାପାଙ୍କ ଗଡ଼  ବଞ୍ଚାଇବାରେ ସମର୍ଥ ହୋଇଛନ୍ତି କଂଗ୍ରେସର ଯୁବ ଚେହେରା  ସୋଫିଆ ଫିର୍ଦ୍ଦୋଷ । ସେ ଜିତିବା ପରେ ରାଜ୍ୟର ପ୍ରଥମ  ମୁସଲମାନ ମହିଳା ବିଧାୟିକାର ରେକର୍ଡ କରିଛନ୍ତି । ବିଜେଡି  ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ  ସହାୟତାରେ ନିମାପଡ଼ାର ପ୍ରଭାତୀ ପରିଡ଼ା ପ୍ରଥମ ଥର ବିଜେପିରୁ  ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଲୁଲୁ ମହାପାତ୍ରଙ୍କ  ଗଡ଼ ବ୍ରହ୍ମଗିରିରେ ତାଙ୍କ ଝିଅ ଉପାସନା ମହାପାତ୍ର ପ୍ରଥମ ଥର ବିଧାୟିକା ଭାବେ ତାଙ୍କ ଦବଦବା ଦେଖାଇବେ ବୋଲି ଅଞ୍ଚଳବାସୀ  ବେଶ୍‌ ଆଶା ରଖିଛନ୍ତି । ଭକ୍ତ ଦାସଙ୍କ ପୁଅ ସାଗର ଦାସ ଭବାନୀପାଟଣାରୁ ଜିତିବା ପରେ ପ୍ରଥମ ଥର ବିଧାୟକ ଭାବେ  ସରକାରଙ୍କୁ କିଭଳି ଘେରିବେ ତାହା ଉପରେ ସମସ୍ତଙ୍କ ନଜର । 

ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ  ହରାଇ ବିଷମକଟକର ବିଧାୟକ ହୋଇଛନ୍ତି କଂଗ୍ରେସର ବିଧାୟକ  ନୀଳମାଧବ ହିକ୍‌କା । ଚିତ୍ରକୋଣ୍ଡାର ବିଧାୟକ ଭାବେ ମଙ୍ଗୁ ଖିଲ,  ରାୟଗଡ଼ା ବିଧାୟକ କାଡ୍ରାକା ଆପ୍ପାଲା ସ୍ୱାମୀ, ପଟାଙ୍ଗୀ ବିଧାୟକ  ରାମଚନ୍ଦ୍ର କାଡାମ୍‌ ଓ ଜି ଉଦୟଗିରିର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର  ପ୍ରଧାନ ବି ପ୍ରଥମ ଥର ସଫଳତାର ସ୍ୱାଦ ଚାଖିଛନ୍ତି । ଏମିତି ପ୍ରଥମ  ଥର ବିଧାୟକଙ୍କ ରହିଛି ୮୨ଜଣିଆ ତାଲିକା । ଏମାନେ ଆଗାମୀ  ଦିନରେ ନିଜ ପ୍ରଦର୍ଶନ ବଳରେ ବାରମ୍ବାର ଗୃହକୁ ନିର୍ବାଚିତ ହୋଇ  ଆସିବେ ନା ଫେଲ୍‌ ମାରିବେ? ତାହା ସେମାନଙ୍କ ଉପସ୍ଥାପନା ହିଁ  ପ୍ରମାଣିତ କରିବ ବୋଲି ରାଜନୈତକ ବିଷାରଦମାନେ କହୁଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.