ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିଟଫଣ୍ଡ ସଂସ୍ଥା ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସର ସମ୍ପତ୍ତି ଜବତ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ କ୍ୟାସ୍ ଜବତ

ଭୁବନେଶ୍ଵର, ୧୦/୦୨ : ଚିଟଫଣ୍ଡ ସଂସ୍ଥା ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସର ସମ୍ପତ୍ତି ଜବତ। ଚଢାଉ କରି ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୫ ଶହ ଏକର ଜମିର ଡକ୍ୟୁମେଣ୍ଟ ସମେତ ୪୩ ଲକ୍ଷରୁ ଉର୍ଦ୍ଧ୍ଵ କ୍ୟାସ୍ ଜବତ ହୋଇଛି। ଏହା ସହ ୬୪ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଜମା ଓ ୩୫ ଲକ୍ଷର ଏକ କାର୍ ମଧ୍ୟ ଜବତ ହୋଇଛି। 

ଲୋଭନୀୟ ସ୍କିମ୍‌ର ଅଫର ଦେଖାଇ ଦେଶରୁ ୯୦୦ କୋଟି ଟଙ୍କା ଲୁଟିଥିଲା ଗୋଲଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ। ପ୍ରଥମେ ଦୁଇ ଗୁଣା ଅର୍ଥ ଏବଂ ଅଧିକ ସୁଧର ଲୋଭ ଦେଖାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଫିସ୍‌ ଖୋଲି କୋଟିକୋଟି ଟଙ୍କା ହଡ଼ପ କରିଥିଲା । ତା’ପରେ ଜମି ଓ ଘର ବ୍ୟବସାୟ ଆରମ୍ଭ କରିଥିଲା । ସେ ସମୟରେ ଏହି ସଂସ୍ଥା ଦ୍ୱାରା ରାଜ୍ୟର ବିଭିନ୍ନ ବିଲ୍ଡର ଓ ଜମି ଦଲାଲ୍‌ମାନେ କାରବାର କରିଥିଲେ । ବ୍ରହ୍ମପୁରର ବିଲ୍ଡର ଟୁଲୁ ମଙ୍ଗରାଜ ମଧ୍ୟ ସେତେବେଳେ ଜମି କାରବାର କରିଥିଲେ । ଏହାର ମଧ୍ୟସ୍ଥି ଥିଲେ ସଞ୍ଜୟ ପାଣିଗ୍ରାହୀ । ଗୋଲଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ଉପରେ ସିବିଆଇ ପଞ୍ଝା ମାରିବା ପରେ ଅନେକ ଅଫିସ୍‌ରେ ତାଲା ପଡ଼ିଥିଲା । କୋଟି କୋଟି ଟଙ୍କାର ଜମି ଜବତ ହୋଇଥିଲା । ମାମଲା ଇଡିକୁ ଗଲା ପରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । 

ଗୁରୁବାର ସକାଳେ ଇଡି ଅଧିକାରୀମାନେ ସିଆର୍‌ପିଏଫ୍‌ ଫୋର୍ସ ଉପସ୍ଥିତିରେ ଯାଞ୍ଚ ଆରମ୍ଭ କରିଥିଲେ । ବ୍ରହ୍ମପୁର ସହର ଟାଉନ୍‌ ଥାନା ଅନ୍ତର୍ଗତ ଗାନ୍ଧିନଗରରେ ଥିବା ବିଲ୍ଡର୍‌ ସଂସ୍ଥା ସପ୍ତଗିରି ରିୟଲ୍‌ ଇଷ୍ଟେଟ୍‌ ଓ ପ୍ରୋପ୍ରାଇଟର ଲୋହିତ ମଙ୍ଗରାଜଙ୍କ ଗୋସାଇଁ ନୂଆଗାଁ ଥାନା ସଦାନନ୍ଦ ବିହାର, ଗୋସାଇଁନୂଆଗାଁ ପାଣିଗ୍ରାହୀ ସାହିରେ ବ୍ୟବସାୟୀ ସଞ୍ଜୟ ପାଣିଗ୍ରାହୀ, ଲାଞ୍ଜିପଲ୍ଲୀରେ ପଦ୍ମ ରେଡ୍ଡୀଙ୍କ ଘର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟା ସାହୁ ଓ ତାଙ୍କ ସ୍ୱାମୀ ଜମି ବ୍ୟବସାୟୀ ଲକ୍ଷ୍ମୀ ନାରାୟଣ ସାହୁଙ୍କ ଡୁରାସ୍ଥିତ ଘର, ଦିଗପହଣ୍ଡି ବ୍ଲକର ପଦ୍ମନାଭପୁର ଗ୍ରାମର ବୈକୁଣ୍ଠ ପାତ୍ରଙ୍କ ଘରେ ଇଡି ଯାଞ୍ଚ୍‌ କରିଥିଲା। ଏମାନଙ୍କ ସହ ଲିଙ୍କ୍‌ରେ ଥିବା ଆଉ କିଛି ଜମି ବ୍ୟବସାୟୀଙ୍କ ଘରେ ମଧ୍ୟ ଇଡି ଯାଞ୍ଚ କରିଥିଲା। ଗୋଲଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସର ଯେଉଁ ସମ୍ପତ୍ତି ଆଟାଚ୍‌ ହୋଇପାରି ନାହିଁ ତାକୁ ଏମାନେ ବିକ୍ରି ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ଏକକାଳୀନ ସମସ୍ତ ଅଞ୍ଚଳରେ ଯାଞ୍ଚ ହୋଇଥିଲା । ପଦ୍ମନାଭପୁରରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । 

ଗଞ୍ଜାମ ବାଦ୍‌ ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ ସମେତ ଦେଶର ମୋଟ ୨୦ଟି ସ୍ଥାନରେ ଚଢ଼ଉ କରିଥିଲା ଇଡି । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ରହୁଥିବା ସଂସ୍ଥାର ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିଲା । ଏହି ସଂସ୍ଥାଠାରୁ ୪ ଲକ୍ଷ ୭୨ ହଜାର ଆବେଦନକାରୀ ନିଜର ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି । ସମ୍ପତ୍ତି ଖୁବ୍‌ ଶୀଘ୍ର ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ଜଣାପଡ଼ିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.