ଭୁବନେଶ୍ୱର,୦୫/୦୯: ବିଜେଡି ବିରୋଧରେ ଚାର୍ଜସିଟ୍ ବାହାର କରିବ ବିଜେପି । ଚାର୍ଜସିଟ୍କୁ ନେଇ ଲୋକଙ୍କ ପାଖକୁ ଯିବ । ରାଜଧାନୀରୁ ପଞ୍ଚାୟତସ୍ତର ଯାଏ ଲୋକଙ୍କୁ ଏହି ଚାର୍ଜସିଟ୍ ଦେଖାଇବେ । ଖୁବ୍ଶୀଘ୍ର ଏହି ଅଭିଯାନ ଆରମ୍ଭ ହେବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।
ସେହିଭଳି ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହେବ । ୧୮ରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ହେବ । ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ପାଇଁ ୨୫ ତାରିଖରୁ ଅକ୍ଟୋବର ୨ ତାରିଖ ଯାଏ ମାରାଥନ୍ କାର୍ଯ୍ୟକ୍ରମ ହେବ । ଗାନ୍ଧୀ ଜୟନ୍ତୀରେ ପ୍ରତି ପଞ୍ଚାୟତ ଓ ମଣ୍ଡଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବାକୁ ବିଜେପି ପ୍ରସ୍ତୁତ ହେଉଛି ।
ଆଗକୁ ନିର୍ବାଚନ ଥିବାରୁ ତୃଣମୂଳସ୍ତରରେ ସ୍ତରରେ ସଂଗଠନ ମଜଭୁତ୍ କରିବା ଓ ସରକାରଙ୍କୁ ଅକଳରେ ପକାଇବାକୁ ଅନେକ କାର୍ଯ୍ୟକ୍ରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ପଞ୍ଚାୟତ ଓ ବ୍ଲକ୍ସ୍ତରରେ ଆନ୍ଦୋଳନ ଚାଲିଛି । ଆଗକୁ ଏହାକୁ ଆହୁରି ଜୋରଦାର କରିବାକୁ ଦଳ ରଣନୀତି କରୁଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ଆନ୍ଦୋଳନ ଜୋରଦାର କରିବାକୁ ବିଜେପି କୋର୍ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୋଧରେ ପଞ୍ଚାୟତରୁ ରାଜ୍ୟ ଯାଏ ବ୍ୟାପକ ଆନ୍ଦୋଳନ କରିବାକୁ ଯୋଜନା ହୋଇଛି ।
ଜୟନାରାୟଣ କହିଛନ୍ତି, ରାଜ୍ୟରେ ୫୦ ପ୍ରତିଶତ ପିସି କାରବାର ଚାଲିଛି । ପଞ୍ଚାୟତରୁ ରାଜ୍ୟସ୍ତର ଯାଏ ଦୁର୍ନୀତି ଓ ଭ୍ରଷ୍ଟାଚାର ମାଡ଼ିଗଲାଣି। ରତ୍ନଭଣ୍ଡାର ପ୍ରସଙ୍ଗ, ବିଜୁଳି ଦୁର୍ନୀତି, ସହରରୁ ଜଳ ନିଷ୍କାସନରେ ଫେଲ୍ ଭଳି ୧୦୮ ପ୍ରସଙ୍ଗକୁ ନେଇ ଏକ ଚାର୍ଜସିଟ୍ ବାହାର କରିବୁ । ଏହି ଚାର୍ଜସିଟ୍ ସରକାରଙ୍କ ମୁଖା ଖୋଲିବ । ଏ ଚାର୍ଜସିଟ୍ ନେଇ ଲୋକଙ୍କ ପାଖକୁ ଯିବୁ ଓ ସରକାରଙ୍କ ଦୁର୍ବଳତା ପଦାକୁ ଆଣିବୁ ବୋଲି ସେ କହିଛନ୍ତି ।