ଭୁବନେଶ୍ୱର,୧୦/୧୧: ଦୀପାବଳୀରେ ବାଣ ଫୁଟା ପାଇଁ ଗୁରୁବାର ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ରାଜଧାନୀର ମୋଟ ୨୧ଟି ସ୍ଥାନରେ ବାଣ ବିକ୍ରି କରିବାକୁ ଅନୁମତି ଦେଇଛି ବିଏମ୍ସି । ସେହିପରି ମିଠା ଦୋକାନରେ ଯାଞ୍ଚ ପାଇଁ କୁହାଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବାଣ ଦୋକାନ ପାଇଁ ସାଧାରଣ ପ୍ରଶାସନ ବିଭାଗର ୨୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ବିଏମ୍ସି ଅଞ୍ଚଳରେ ଥିବା ସେହି ୨୧ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ । ପ୍ରତି ଦୋକାନୀ ଦୋକାନରେ ଦୁଇଟି ଡଷ୍ଟବିନ୍ ରଖିବେ । ସୁରକ୍ଷା ପାଇଁ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍ ରଖିବେ । ଦୋକାନର ୫ ମିଟର ପରିଧିକୁ ସ୍ୱଚ୍ଛ ରଖିବେ । ଏହାକୁ ତଦାରଖ କରିବା ପାଇଁ ବିଏମ୍ସି, କମିଶନରେଟ ପୁଲିସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାଡ୍ ଗଠନ କରାଯାଇଛି । ୩ ଜୋନ୍ରେ ଥିବା ଏହି ବାଣ ଦୋକାନଗୁଡିକୁ ସ୍କ୍ୱ୍ୱାଡ୍ ସଦସ୍ୟମାନେ ନିୟମିତ ଯାଞ୍ଚ କରିବେ ।
ଏହା ବ୍ୟତୀତ ବିଏମ୍ସି ଇଲାକାରେ ଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ଅପମିଶ୍ରଣ, ବାସି ବା ସଂକ୍ରମିତ ଖାଦ୍ୟର ସୂଚନା ମିଳିବା ମାତ୍ରେ ସେହି ଦୋକାନକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସୁରକ୍ଷା ଟିମ୍ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ମୋବାଇଲ ଟେଷ୍ଟିଂ ଲାବ୍ର ଉପଯୋଗ କରିବେ ।