ପ୍ରମୂଖ ଖବର

ବଢ଼ିପାରେ ବାଲିଯାତ୍ରା ଅବଧି, ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପାଇଁ ଘାରୁଛି ଭୟ

କଟକ ୦୩/୧୨: : ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦେଖି ବାଲିଯାତ୍ରାର ଅବଧି ବଢାଇବାକୁ ପ୍ରଶାସନର ଇଛା ରହିଛି । କିନ୍ତୁ ଡରାଉଛି ସମ୍ଭାବ୍ୟ ବାତ୍ୟା ଓ ତଦ୍‌ଜନିତ ବର୍ଷା ଆଶଙ୍କା । ଯାହାଫଳରେ ବାଲିଯାତ୍ରାର ଅବଧି ଆଉ ବଢିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ଆଉ ଅନ୍ତତଃପକ୍ଷେ ଦିନେ କିମ୍ବା ଦୁଇ ଦିନ ବଢାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା  ସୂଚନା ମିଳିଛି । କିନ୍ତୁ ଏ ଦିଗରେ ଏବେ ଯାଏ କୌଣସି ନିଷ୍ପତ୍ତି ହୋଇନଥିବା  ବେଳେ ରବିବାର ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।  

ବାଲିଯାତ୍ରା ସାଧାରଣତଃ ସାତ କିମ୍ବା ଆଠ ଦିନ ହୁଏ । ଆଗରୁ ପରମ୍ପରା  ଥିଲା, ଉଦ୍‌ଘାଟନୀ ଉତ୍ସବର ମଞ୍ଚରେ ମୁଖ୍ୟ ଅତିଥି ଘୋଷଣା କରିବା ପରେ  ଦିନଟିଏ ବାଲିଯାତ୍ରା ବଢେ । ଗତବର୍ଷ ୮ ଦିନ ବାଲିଯାତ୍ରା ନେଇ ପୂର୍ବରୁ  ଘୋଷଣା ହୋଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇ ବାଲିଯାତ୍ରାକୁ  ଆଉ ୨ ଦିନ ବଢ଼ା ଯାଇଥିଲା । ଫଳରେ ଉଭୟ ବ୍ୟବସାୟୀ ଓ ସାଧାରଣ  ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା । ଅତିରିକ୍ତ ଦୁଇ ଦିନ  ବ୍ୟବସାୟ ହେବା ଦ୍ୱାରା ବାଲିଯାତ୍ରାରେ ପ୍ରାୟ ୨ ଶହ କୋଟିରୁ ଅଧିକ ଟଙ୍କାର  କାରବାର ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା ।  ତେଣୁ ସବୁ ଥର ଭଳି ଏଥର ବାଲିଯାତ୍ରା ମଧ୍ୟ ପୂର୍ବ ନିଷ୍ପତ୍ତି  ମୁତାବକ ଆଠ ଦିନ ହେବାକୁ ଘୋଷଣା କରାଯାଇଥିଲା । ତଦନୁସାରେ  ପ୍ଲଟ୍‌ ପଞ୍ଜିକରଣ ଓ ଆବଣ୍ଟନ, ବିଦ୍ୟୁତ ଓ ଲାଇସେନ୍ସ ଆଦି ଲାଗି ଦେୟ  ଆଦାୟ କରାଯାଇଛି ।

 ଆଶା କରାଯାଉଥିଲା, ଉଦ୍‌ଘାଟନୀ ଉତ୍ସବରେ  ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଲିଯାତ୍ରାର ଅବଧି ବଢିବା ନେଇ  ଘୋଷଣା କରିବେ । କିନ୍ତୁ ମନ୍ତ୍ରୀ କୌଣସି ଘୋଷଣା ନ କରିବା ଦ୍ୱାରା  ମେଳା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବାଲିଯାତ୍ରା ବଢିବା, ନ ବଢିବା ନେଇ ଦ୍ୱନ୍ଦ୍ୱ  ଲାଗିରହିଛି । ଏହା ଭିତରେ ସମ୍ଭାବ୍ୟ ବାତ୍ୟା ନେଇ ଭୟ ସୃଷ୍ଟି ହେଲାଣି ।  ବାତ୍ୟା ଗତିପଥ ଅନୁସାରେ ଯଦିଓ ଓଡ଼ିଶା ଉପରେ ଏତେଟା ପ୍ରଭାବ  ନାହିଁ କିନ୍ତୁ ୫ତାରିଖରୁ ଜୋର୍‌ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ  ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେଣୁ ବାଲିଯାତ୍ରା ବଢିବା / ନ  ବଢିବା ଏବେ ପ୍ରଶ୍ନରେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରାର ଅବଧି ଦିନେ ବା  ଦୁଇଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇ ପ୍ରଚେଷ୍ଟା ଜାରି  ରହିଥିଲେ ହେଁ ଏ ବାବଦରେ କେହି କିଛି କହିବାକୁ ରାଜି ହୋଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.