ତାଳଚେର, ୧/୯ : ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ତାଳଚେର ନନ୍ଦିରା- ଭରତପୁ୍ର କାର୍ଯ୍ୟାଳୟ ନିକଟସ୍ଥ ସମ୍ମୁଖ ଗେଟ୍ ଠାରେ ଏକ ବୋମା ପଡିଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ବିଧାୟକଙ୍କ ସମର୍ଥକମାନେ ଏହି ବୋମାକୁ ଦେଖିଥିଲେ। ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଏହି ବୋମା କିଏ ଏବଂ କାହିଁକି ରଖିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ କରି ଦେଇଛନ୍ତି। ବିଧାୟକଙ୍କ କହିବା କଥା କିଛି କୁଚକ୍ରି ଗୋଷ୍ଠୀ ଅନୁଗୁଳ ଠାରେ ହେଉଥିବା ଜାତୀୟ ରାଜପଥ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଏହି ଷଡ଼ଯନ୍ତ୍ର କରିଛନ୍ତି । ଏହାକୁ ନେଇ ଏବେ ସାଧାରଣରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏସଡିପିଓ କହିଛନ୍ତି ଯେ ପ୍ରକୃତରେ ଏହା ବୋମା କି ନୁହଁ ବମ୍ ସ୍ୱାର୍ଡ ଆସି ଅନୁସନ୍ଧାନ କଲାପରେ ଜଣାପଡ଼ିବ । ଯଦି ଏହା ସତରେ ଏକ ବମ୍ ତାହେଲେ କିଏ ଏହାକୁ ରଖିଲା ଏବଂ ଉଦ୍ଦେଶ୍ୟ କଣ ଥାଇପାରେ ସେ ଦଗରେ ତଦନ୍ତ ଆଗକୁ ବଢ଼ିବ।
ଉଲ୍ଲେଖଯୋଗ୍ୟ ଯେ, ତାଳଚେରରୁ କ୍ରମାଗତ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବ୍ରଜ । କିଛି ବର୍ଷ ତଳେ ତାଙ୍କର ଗାଡ଼ି ପୋଡ଼ା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବାରୁ ସବିଶେଷ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।