ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ପୁଣି ଥରେ ଭାରତ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ନିଜ୍ଜର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ନେଇ ଅଭିଯୋଗକୁ ପୁଣି ଥରେ ସେ ଦୋହରାଇଛନ୍ତି । ଏହା ସହ ୪୦ ଜଣ ଜାପାନର କୂଟନୀତିଜ୍ଞଙ୍କୁ ବାହାର କରାଯିବାକୁ ନେଇ ମନ୍ତବ୍ୟ ଦେଇଛନ୍ତି ଟ୍ରୁଡୋ । କାନାଡା ନାଗରିକ ଏବଂ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରକୁ ଚଳିତବର୍ଷ ଜୁନ୍ରେ ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ବାର ବାହାରେ ହତ୍ୟା କରାଯାଇଥିଲା । ଆଉ ଏହି ହତ୍ୟା ପାଇଁ ଭାରତକୁ ଦାୟୀ କରିଆସିଛି କାନାଡା ।
ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି ଯେ, ଆମେ ଏହି ମାମଲାରେ ଭାରତ ସହ ମିଶି କାର୍ଯ୍ୟ କରିବୁ ବୋଲି ସ୍ପଷ୍ଟ ଅଛୁ । ଆରମ୍ଭରୁ ହେଉଥିବା ଅଭିଯୋଗକୁ ନେଇ ଆମେ କହିଆସିଛୁ । ଯାହା କି ଆମ ପାଇଁ ବିଚଳିତ କଲାଭଳି । ଏହି ମାମଲାରେ ଆମେ ମୂଳ ପର୍ଯ୍ୟନ୍ତ ଯାଇ ତଦନ୍ତ କରୁଛୁ । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆଗକୁ ବଢ଼ାଇବା ପାଇଁ ଆମେ ଭାରତ ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ରଙ୍କୁ ସହାୟତା ମାଗିଛୁ ବୋଲି ଟ୍ରୁଡୋ କହିଛନ୍ତି ।
ଅନ୍ୟପଟେ ଭାରତ ଭିଏନା କନଭେନ୍ସନର ଉଲ୍ଲଂଘନ କରିଛି ବୋଲି ଟ୍ରୁଡୋ ଅଭିଯୋଗ କରିଛନ୍ତି । ଏହା ସହ ମନମାନୀ ଢ଼ଙ୍ଗରେ କାନାଡାର ୪୦ କୂଟନୀତିଜ୍ଞଙ୍କୁ ଭାରତ ବାହାର କରିଛି ବୋଲି ସେ କହିଛନ୍ତି । ଯଦି ବିଶ୍ବର କୌଣସି ଦେଶ ଅନ୍ୟ ଦେଶର କୂଟନୀତିଜ୍ଞଙ୍କୁ ସୁରକ୍ଷା ଦେବାକୁ ମନାକରନ୍ତି ତେବେ ଅନ୍ତର୍ଜାତୀୟ ସ୍ତରରେ ସଂପର୍କ ଭୟଙ୍କର ହୋଇପଡ଼ିବ । ହେଲେ ପ୍ରତିଟି ଘଟଣାରେ ଆମେ ଭାରତ ସହ ସକାରତ୍ମକ ଉପାୟରେ କାର୍ଯ୍ୟ କରିବାକୁ ଚେଷ୍ଟା କରିଆସିଛୁ ବୋଲି ଟ୍ରୁଡୋ କହିଛନ୍ତି । ସେପଟେ ଭାରତ ସରକାରଙ୍କ ଏଜେଣ୍ଟସ୍ କାନାଡା ମାଟିରେ କାନାଡାର ନାଗରିକଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ଆମେ ବିଶ୍ବାସ କରୁଛୁ ବୋଲି ଟ୍ରୁଡୋ ଦୃଢ଼ୋକ୍ତି ବାଢ଼ିଛନ୍ତି ।
ଅନ୍ୟପକ୍ଷରେ, ନିକଟ ଅତୀତରେ ନିଜ୍ଜର ହତ୍ୟା ମାମଲାରେ କାନାଡା ତଦନ୍ତ ଆଗକୁ ବଢ଼ାଉ ଏବଂ ଏଥିରେ ଭାରତ ସହଯୋଗ କରୁ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଥିଲେ । ବ୍ଲିଙ୍କେନ୍ଙ୍କ ଏହି ମନ୍ତବ୍ୟକୁ ନେଇ ଟ୍ରୁଡୋ କହିଛନ୍ତି, ଭାରତୀୟ ଏଜେଣ୍ଟସଙ୍କ ଦ୍ବାରା କାନାଡା ନାଗରିକଙ୍କ ହତ୍ୟା ହୋଇଥିବା ନେଇ ଆମେ ଭାରତ ସହ ସଂପର୍କ କରିଥିଲୁ । ଏହି ମାମଲାରେ ମୂଳ ପର୍ଯ୍ୟନ୍ତ ଯିବା ଲାଗି କାନାଡାର ସହାୟତା କରିବାକୁ ଭାରତକୁ କହିଥିଲୁ ବୋଲି ସେ କହିଛନ୍ତି ।