କଲମ୍ବୋ, ୧୯/୦୯: ଭାରତକୁ ପୁଣି ଥରେ ଧୋକା ଦେଇଛି ପଡ଼ୋଶୀ ଶ୍ରୀଲଙ୍କା । ଆର୍ଥିକ ଦୁଃସ୍ଥିତିରେ ଯୁଝୁଥିବା ବେଳେ ଭାରତ ପଡ଼ୋଶୀ ଶ୍ରୀଲଙ୍କାକୁ ସହାୟତା କରିଥିଲା । ହେଲେ ଚୀନ୍ର ଋଣଯନ୍ତାରେ ଫଶି ସାହଯ୍ୟ ପାଇଁ ଚିତ୍କାର କରୁଥିବା ଶ୍ରୀଲଙ୍କା କିନ୍ତୁ ଭାରତର ସହାୟତାକୁ ଭୁଲିଯାଇଥିବା କୁହାଯାଉଛି । ଚୀନ୍ର ଗୁଇନ୍ଦା ଜାହାଜକୁ କଲମ୍ବୋ ବନ୍ଦରରେ ରୋକିବା ଲାଗି ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର ।
ଗବେଷଣା କରିବା ଲାଗି ଆସିଥିବା ‘ସି ୟାନ୍ ୬’ ଭାରତ ମହାସାଗରରେ ଗୁଇନ୍ଦାଗିରି କରୁଥିବା ନେଇ ବିଶେଷଜ୍ଞମାନେ ଦାବି କରିଛନ୍ତି । ଏବେ ଶ୍ରୀଲଙ୍କା ପାଖରୁ ଅନୁମତି ମିଳିଯିବା ପରେ ଚୀନ୍ର ଗୁଇନ୍ଦା ଜାହାଜ ପାଖାପାଖି ୩ ମାସ ଯାଏଁ ଭାରତ ମହାସାଗରରେ ଗୁଇନ୍ଦାଗିରି କରିବ । ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ, ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ଚୀନ୍ ଜହାଜାକୁ ରୋକିବା ଲାଗି ଅନୁମତି ଦେଇଛି । ଚୀନ୍ର ଏଭଳି ଜାହାଜ ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଉପକୂଳରେ ଆସି ଲାଗିଥିଲା ।
ଗତବର୍ଷ ଚୀନ୍ର ୟୁଆନ ଓ୍ବାଙ୍ଗ-୫ ଜାହାଜ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ରହିଥିଲା । ସେତେବେଳେ ଏହା ବିରୋଧରେ ସ୍ବର ଉଠାଇଥିଲା ଭାରତ । କେବଳ ସେତିକି ନୁହେଁ ଚୀନ ଜାହାଜର ଉପସ୍ଥିତିକୁ ନେଇ ଆମେରିକା ମଧ୍ୟ କଲମ୍ବୋକୁ ଟାର୍ଗେଟ କରିଥିଲା ଏବଂ ବୁଝାଇବାକୁ ଚେଷ୍ଟା କରିଥିଲା । ଏହା ଦ୍ବାରା ଶ୍ରୀଲଙ୍କା ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ନଥିଲା ।
ତେବେ ଡିଫଲ୍ଟର ଘୋଷଣା ହୋଇଥିବା ଶ୍ରୀଲଙ୍କାର ଅଧାରୁ ଅଧିକ ଋଣ ଚୀନ୍ ଦେଇଛି । ଶ୍ରୀଲଙ୍କାକୁ ଶାସନ କରିଥିବା ରାଜପକ୍ଷେ ପରିବାର ଚୀନ୍ ପାଖରୁ ମୋଟାଅଙ୍କର ଋଣ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା ଏହି ଋଣ ଯନ୍ତାରୁ ମୁକୁଳିପାରି ନାହିଁ । ଫଳରେ ଚୀନ୍ର ଇସାରାରେ ନାଚିବାକୁ ବାଧ୍ୟ ହେଉଛି ଶ୍ରୀଲଙ୍କା । ଯଦିଓ ଭାରତ ବିପଦ ସମୟର ବନ୍ଧୁ ହୋଇ ଛିଡ଼ା ହୋଇଥିଲା ହେଲେ ଶ୍ରୀଲଙ୍କା ନିଜର କର୍ତ୍ତବ୍ୟ ଭୁଲିଯାଇଛି ବୋଲି କୁହାଯାଉଛି ।