ଚଣ୍ଡିଗଡ଼, ୨୮/୦୯: ଏକ ପୁରୁଣା ଡ୍ରଗ୍ସ କାରବାର ମାମଲାରେ କଂଗ୍ରେସ ବିଧାୟକ ଶୁଖପାଲ ସିଂହ ଖଇରାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଜଲାଲବାଦ ପୋଲିସ ପୁରୁଣା ମାମଲାକୁ ନେଇ ଖଇରାଙ୍କ ବାସଭାବନରେ ଚଢ଼ାଉ କରିଥିଲା । ଏନଡିପିଏସ୍ ଆକ୍ଟରେ ଶୁଖପାଲ ଖଇରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଆଜି ସକାଳେ ପୋଲିସ ତାଙ୍କ ଘରେ ଚଢ଼ାଉ କରିବା ବେଳେ ଶୁଖପାଲ ଏହାର ବିରୋଧ କରିଥିଲେ ।
ତାଙ୍କ ପରିବାର ସଦସ୍ୟଙ୍କ ଦ୍ବାରା କରାଯାଇଥିବା ଫେସବୁକ୍ ଲାଇଭ୍ରେ ଶୁଖପାଲ ଏବଂ ପୋଲିସ ମଧ୍ୟରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା । ଚଢ଼ାଉ ପାଇଁ ଓ୍ବାରେଣ୍ଟ କେଉଁଠି ଅଛି ଏବଂ ତାଙ୍କୁ କାହିଁକି ଗିରଫ କରାଯାଉଛି ବୋଲି ପୋଲିସକୁ ପଚାରିଥିଲେ ଶୁଖପାଲ । ତେବେ ତାଙ୍କୁ ଏକ ପୁରୁଣା ଏନଡିପିଏସ ମାମଲାରେ ଗିରଫ କରାଯାଉଛି ବୋଲି ସେଠାରେ ଉପସ୍ଥିତ ଜଲାଲବାଦ ଡିଏସପି ଆଚରୁ ରାମ କହିଥିଲେ ।
ଏହା ପରେ ଖଇରା କହିଥିଲେ ଯେ, ଏହି ମାମଲା ସୁପ୍ରମକୋର୍ଟରେ ରଦ୍ଦ ହୋଇସାରିଛି । ତାଙ୍କର ଏହି ଗିରଫଦାରୀ ପଛରେ ରାଜେନୖତିକ ଚାଲ୍ ଥିବା ନେଇ ଖଇରା ଅଭିଯୋଗ କରିଥିବା ନେଇ ଫେସବୁକ୍ ଲାଇଭ ଭିଡିଓରେ ଶୁଣିବାକୁ ମିଳିଛି । ଭୋଲାଥ ବିଧାନସଭା ଆସନରୁ ବିଧାୟକ ଜିତିଥିବା ଖଇରା ଅଲ ଇଣ୍ଡିଆ କିଷାନ୍ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି ।
ଏହି ଡ୍ରଗ୍ସ ମାମଲା ଖଇରାଙ୍କ ବିରୁଦ୍ଧରେ ୨୦୧୫ ମାର୍ଚ୍ଚ ମାସରେ ରୁଜୁ ହୋଇଥିଲା । ଖଇରାଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ହୋଇଥିଲା । ପରେ ସେମାନଙ୍କୁ ଏନଡିପିଏସ୍ ଆକ୍ଟ ଜରିଆରେ ଗିରଫ କରିଥିଲା ପୋଲିସ । ସେପଟେ ସୁଖପାଲ ଖଇରାଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି କଂଗ୍ରେସ ଏବଂ ଶିରୋମଣୀ ଅକାଳି ଦଳ ନେତା ।