ନୂଆଦିଲ୍ଲୀ, ୦୬/୦୯: ମୋବାଇଲ୍ ଆଜିକା ଦିନରେ ଜୀବନର ଅଭିନ୍ନ ଅଙ୍ଗ କହିଲେ ଚଳେ । ସାରା ଦୁନିଆରେ ଏବେ ୭ ଅରବରୁ ଅଧିକ ମୋବାଇଲ୍ ରହିଛି । ଯାହାକି ଆମର ତୃତୀୟ ହାତ ଭାବେ କାମ କରୁଛି କହିଲେ ଭୁଲ୍ ହେବ ନାହିଁ ।
୨୦୨୦ରେ ମହାମାରୀ କୋଭିଡ୍ ବ୍ୟାପିବା ପରେ ଲୋକେ ଅନଲାଇନରେ ସବୁ କାମ କରିବା ସହ ମୋବାଇଲର ଗୁରୁତ୍ୱ ପୂର୍ବାପେକ୍ଷା ଆହୁରି ବଢ଼ି ଯାଇଛି । ଛୁଆଙ୍କ ଅନଲାଇନ୍ କ୍ଲାସ୍ ହେଉ କି ଅନଲାଇନ୍ ଅର୍ଡର ମୋବାଇଲର ଆବଶ୍ୟକତା ପଡ଼ୁଛି । ତେବେ କୋଭିଡ୍ ଓ ମୋବାଇଲକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ଆସିଛି ।
ରିପୋର୍ଟରେ କୁହାଯାଇଛି, ମୋବାଇଲ୍ ଫୋନ୍ ଯୋଗୁଁ ୪୫ ପ୍ରତିଶତ ପର୍ଯ୍ୟନ୍ତ କୋଭିଡ୍-୧୯ ବ୍ୟାପିଥିଲା । ଆହୁରି କୁହାଯାଇଛି, ମହାମାରୀ ସମୟରେ ସବୁଠୁ ଅଧିକ ମୋବାଇଲର ବ୍ୟବହାର କରାଯାଇଥିଲା । ଫଳରେ ସଂକ୍ରମଣ ମୋବାଇଲ୍ ଜରିଆରେ ଅଧିକ ପ୍ରସାରିତ ହୋଇଥିଲା ।
ଅଷ୍ଟ୍ରେଲିଆର ବଣ୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନକାରୀ ୧୦ଟି ଦେଶରେ ମୋବାଇଲ୍ ଉପରେ ୧୫ଟି ଅନୁସନ୍ଧାନ କରିଛନ୍ତି । ୨୦୧୯ରୁ ନେଇ ୨୦୨୩ ଯାଏ ହସ୍ପିଟାଲରେ SARS-CoV-2ର ସଂକ୍ରମଣ ନେଇ ଫୋନ୍ ଯାଞ୍ଚ କରିଥିଲେ । ଆଉ ଅଧ୍ୟୟନରୁ ଜଣାପଡ଼ିଛି ଯାଞ୍ଚ ହୋଇଥିବା ୪୫ ପ୍ରତିଶତ ମୋବାଇଲରେ କୋଭିଡ୍ ଭୂତାଣୁ ରହିଥିଲା ।
G୨୦ରେ ଭାରତର ଅଧ୍ୟକ୍ଷତାକୁ ଚୀନର ସମର୍ଥନ, କହିଲା ‘ସମ୍ପର୍କ ମଜଭୁତ୍ ପାଇଁ କାମ କରିବୁ’
ସିଡନୀରେ ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ଅଧାରୁ ଅଧିକ ମୋବାଇଲରେ କୋଭିଡ୍ ଭୂତାଣୁ ରହିଥିଲା । ୫୧୧ଟି ମୋବାଇଲ୍ ଫୋନରୁ ୨୩୧ଟିରେ ଅର୍ଥାତ୍ ୪୫ ପ୍ରତିଶତ ଫୋନରେ କରୋନା ଭୂତାଣୁ ମିଳିଥିଲା । ଅଧ୍ୟୟନରୁ ବାହାରିଥିବା ନିଷ୍କର୍ସ ଅନୁସାରେ, ମୋବାଇଲ୍ ଫୋନ୍ କୋଭିଡ୍ ସଂକ୍ରମଣ ବଢ଼ାଇ ପାରେ ।
ପୂର୍ବରୁ ହୋଇଥିବା ଆଉ ଏକ ଅଧ୍ୟୟନରୁ ଜଣାପଡ଼ିଥିଲା, ମୋବାଇଲ୍ ଫୋନରେ କୋଭିଡ୍ ଭୂତାଣୁ ୨୮ ଦିନ ଯାଏ ଜୀବିତ ରହିପାରେ । ତେବେ ମୋବାଇଲ୍ ଫୋନ୍ ଦ୍ୱାରା ହେଉଥିବା ସଂକ୍ରମଣରୁ ରକ୍ଷା ପାଇବା ଲାଗି ୭୦ ପ୍ରତିଶତ ଆଲକହଲ୍ ଥିବା ସ୍ପ୍ରେର ବ୍ୟବହାର ସ୍କ୍ରିନ୍ ସଫା କରିବା ଲାଗି କରନ୍ତୁ । ସର୍ବସାଧାରଣ ସ୍ଥାନରେ ହାତକୁ ସଫା କରନ୍ତୁ ନଚେତ୍ ଗ୍ଲୋବସ୍ ବାହାର କରି ଫୋନର ବ୍ୟବହାର କରନ୍ତୁ ।