ପ୍ରମୂଖ ଖବର

ତାମିଲନାଡ଼ୁ ବିଧାନସଭାରେ ରାଜ୍ୟପାଳଙ୍କ ଓ୍ବାକ୍ଆଉଟ୍ ପରେ ସମାଲୋଚନା....ଗଣତାନ୍ତ୍ରୀକ ବ୍ୟବସ୍ଥାର ଉଲଙ୍ଘନ କହିଲେ ଡିଏମ୍‌କେ ନେତା

Image courtesy: Social media

ନୂଆଦିଲ୍ଲୀ,୧୩/୦୨: ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ଭିତରେ ଅସହମତିର ବହୁ ମାମଲା ଆଗରୁ ରହିଛି। କିନ୍ତୁ ସୋମବାର ତାମିଲନାଡୁ ବିଧାନସଭରେ ରାଜ୍ୟପାଳ ଯାହା କରିଛନ୍ତି, ତାହା ବିରଳ। ତାମିଲନାଡୁ ରାଜ୍ୟପାଳ ଆରଏନ ରବି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଭିଭାଷଣକୁ ପଢ଼ିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ, ସରକାରଙ୍କ ଦ୍ୱାରା ଲିଖିତ ଅଭିଭାଷଣରେ ଅନେକ ଅଂଶରେ ସଠିକ ତଥ୍ୟ ଦିଆଯାଇନଥିଲା। 

ଏ ଘଟଣାକୁ ନେଇ ବେଶ୍ ଆଲୋଚନା ଓ ସମାଲୋଚନା ମଧ୍ୟ ହୋଇଥିଲା। କାରଣ ଭାରତର ସଂସଦୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଅଟେ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେବଳ ତାମିଲନାଡ଼ୁ ନୁହେଁ ବରଂ ପୂର୍ବରୁ ଏଭଳି ଅନେକ ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି, ଯାହାକି ସମ୍ପୁର୍ଣ୍ଣ ରୁପେ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରୀକ ଅଟେ।

ତାମିଲନାଡ଼ୁ, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏହାର ଏକ ଜ୍ବଳନ୍ତ ଉଦାହରଣ। ପାଖାପାଖି ଏକ ବର୍ଷ ପୂର୍ବେ କେରଳରେ ରାଜ୍ୟପାଳଙ୍କୁ ବିରୋଧ ଏହାର ଅନ୍ୟତମ ଉଦାହରଣ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଏକ ଅପ୍ରତ୍ୟାସିତ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାକି ପ୍ରୋଟୋକଲର ସମସ୍ତ ମାନଦଣ୍ଡ ଭାଙ୍ଗିଥିଲା। ସେ କୋଝିକୋଡରେ ରାସ୍ତାରେ ଏକୁଟିଆ ବୁଲୁଥିଲେ ଏବଂ ଜଣେ ଦୋକାନୀଙ୍କ ହାତରୁ ହାଲୁଆ ଖାଇଥିଲେ। ଏହି ଘଟଣାର ଦୁଇଦିନ ପୂର୍ବରୁ କେରଳରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ ରାଜ୍ୟପାଳଙ୍କୁ ହଟାଇବାକୁ ନାରା ଦେଇଥିଲେ। 

ପଶ୍ଚିମବଙ୍ଗର ରାଜ ଭବନ ଏବଂ ରାଜ୍ୟ ସଚିବାଳୟ ମଧ୍ୟରେ ବିବାଦର ଇତିହାସ ବହୁତ ଲମ୍ବା। କିନ୍ତୁ ବିଶେଷକରି ତତ୍କାଳୀନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦାୟିତ୍ବ ଗ୍ରହଣ କରିବା ପରେ, ଏହି ବିବାଦ ଏତେ ବଢ଼ିଥିଲା ଯେ, ଏହାର ଅନ୍ୟ କୌଣସି ଉଦାହରଣ ନାହିଁ। ସେତେବେଳେ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାର୍ବଜନୀନ ସ୍ୱାର୍ଥର ବିଲ୍ ଅନୁମୋଦନ କରାଯାଉନଥିବା ଅଭିଯୋଗ କରିଥିଲେ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଜୁନ୍ ୨୦୨୨ ରେ ପାରିତ ହୋଇଥିବା ଏକ ବିଧେୟକ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଭାବରେ ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଜଗଦୀପ ଧନଖର ଏହାକୁ ଅନେକ ସମୟ ପର୍ଯ୍ୟନ୍ତ ବିଚାରାଧୀନ ରଖିଥିଲେ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେବା ପର୍ଯ୍ୟନ୍ତ ମଧ୍ୟ ଏହି ମାମଲା ରହିଥିଲେ।

ବିହାରରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଚଳିତ ବର୍ଷ ଫେବୃଆରୀରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପାଞ୍ଚ ମାସ ମଧ୍ୟରେ ରାଜ ଭବନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଶିକ୍ଷା ବିଭାଗ ସହ ଜଡିତ ନିଷ୍ପତ୍ତି ଉପରେ ଥିଲା। ଅନ୍ୟପଟେ ଝାଡ଼ଖଣ୍ଡର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏକ ପ୍ରମୁଖ ଉଦାହରଣ ହୋଇଥିବା ବେଳେ ଦିଲ୍ଲୀରେ ନିଯୁକ୍ତ ଓ ବଦଳୀ ମାମଲାରା କେଜରିଓ୍ବାଲ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ  କାହାରିକୁ ଅଛପା ନାହିଁ। ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ଦେଶର କିଛି ରାଜ୍ୟରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବିବାଦ ସାମ୍ବିଧାନୀକ, ଗଣତାନ୍ତ୍ରୀକ ଓ ସଂସଦୀୟ ମାନଦଣ୍ଡକୁ ଉଲଙ୍ଘନ କରୁଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.