ଭୁବନେଶ୍ୱର,୧୫।୯: ଠକ ସଂସ୍ଥା ଏସ୍ଟିଏ (ସୋଲାର ଟେକ୍ନୋ ଆଲିଆନ୍ସ) ପାଇଁ ପ୍ରଚାର ପ୍ରସାର କରୁଥିବା ବଲିଉଡ୍ ତାରକା ଗୋବିନ୍ଦା ପାଇଁ ଅଡୁଆ ବଢ଼ିଛି । କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଖୁବ୍ ଶୀଘ୍ର ତାକୁ ଜେରା କରିବ ବୋଲି ଜଣାପଡିଛି । ସମନ ପାଇ ଗୋବିନ୍ଦା ଯଦି ଭୁବନେଶ୍ୱର ନ ଆସନ୍ତି ତେବେ ଇଓଡବ୍ଲୁ ମୁମ୍ବାଇ ଯିବ । ଏସ୍ଟିଏ ଲୋକଙ୍କଠାରୁ ହଜାରେ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏହି କମ୍ପାନୀର ବ୍ରାଣ୍ଡ ଆମ୍ୱାସଡର ଥିଲେ ଗୋବିନ୍ଦା । ଗୋବିନ୍ଦାଙ୍କର କିଛି ଭିଡିଓ ଇଓଡବ୍ଲୁ ହାତରେ ଲାଗିଛି । ସେଥିରୁ ଜଣାପଡୁଛି, ଏସ୍ଟିଏରେ ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ଉସକାଇଛନ୍ତି । ଆଉ କିଛି ଭିଡିଓରୁ ଜଣାପଡୁଛି, ଲୋକଙ୍କୁ ଆକୃଷ୍ଟ କରିବାକୁ ସଂସ୍ଥା ପକ୍ଷରୁ ଦେଶର ନାମୀ ଦାମୀ ହୋଟେଲରେ ସଙ୍ଗୀତ, ଖାଦ୍ୟପେୟ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସବୁଠି ଜୟ ଏସ୍ଟିଏ ନାରା ଲାଗୁଛି । ଗୋବିନ୍ଦା ଏସଟିଏର ପ୍ରମୋସନ ଲାଗି ଭାଷଣ ଦେଉଛନ୍ତି । ତେଣୁ ଇଓଡବ୍ଲୁ ଗୋବିନ୍ଦାଙ୍କୁ ସମନ କରିବ । ଯଦି ସେ ଭୁବନେଶ୍ୱର ନ ଆସନ୍ତି ତା’ହେଲେ ମୁମ୍ୱାଇ ଯାଇ ତାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି ।
କ୍ରାଇମ୍ବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି, ଗତ ଜୁଲାଇ ମାସରେ ଗୋଆରେ ଏସ୍ଟିଏର ଏକ ବିଶାଳ ସମାରୋହ ହୋଇଥିଲା । ସେଥିରେ ଗୋବିନ୍ଦା ଯୋଗଦେଇଥିଲେ । ଏହି ସମୟରେ ସେଠାରେ ସେ କମ୍ପାନୀକୁ ପ୍ରାତ୍ସାହିତ କରିଥିଲେ । ଯାହର କିଛି ଭିଡିଓରେ ଆମ ହାତରେ ଲାଗିଛି । ତାଙ୍କୁ ଜେରା କରିବାକୁ ଆମେ ଖୁବଶୀଘ୍ର ମୁମ୍ୱାଇକୁ ଏକ ଟିମ୍ ପଠାଇବୁ । ସେ ଆହୁରି କହିଥିଲେ ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତ ବୋଲି ଆମେ ତାଙ୍କୁ ଭାବୁନାହୁଁ । ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ହିଁ ଏହି ମାମଲାରେ ତାଙ୍କର ନିର୍ଦ୍ଦିଷ୍ଟ ଭୂମିକା କଣ ରହିଛି ତାହା ଜଣାପଡ଼ିବ । ଯଦି ସଂସ୍ଥାର କାର୍ଯ୍ୟକ୍ରମରେ ସେ କେବଳ ଜଣେ ସେଲିବ୍ରିଟି ଭାବେ ଯୋଗ ଦେଇଥିବେ ତେବେ ଏହି ମାମଲାରେ ସେ ଜଣେ ସାକ୍ଷୀ ଭାବ ରହିବେ ବୋଲି ଆଇଜି କହିଛନ୍ତି । ସେପଟେ ଜେରା ଖବର ଗଣମାଧ୍ୟମରେ ପ୍ରକାଶ ପରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସ୍ପଷ୍ଟୀକରଣ ଦେଇଛନ୍ତି ।
ଶଶି କହିଛନ୍ତି, ଗଣମାଧ୍ୟମରେ ଏକ ପାଖିଆ ଖବର ପ୍ରସାରିତ ହୋଇଛି । ଏସ୍ଟିଏ ସହ ଅଭିନେତା ଗୋବିନ୍ଦାଙ୍କର କୌଣସି ସମ୍ପର୍କ ନାହିଁ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଯାଇଥିଲେ । ବ୍ୟବସାୟ କିମ୍ୱା ବ୍ରାଣ୍ଡିଂ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । କ୍ରିପ୍ଟୋ ସ୍କାମ୍ର ପ୍ରତିଷ୍ଠାତା ତଥା ମାଷ୍ଟରମାଇଣ୍ଡ ହେଲା ଡେଭିଡ୍ ଗେଜ୍ । ସେ ହଙ୍ଗେରୀରେ ରହୁଛି । ତା’ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର (ଏଲ୍ଓସି) ଜାରି କରିଛି ଇଓଡବ୍ଲ୍ୟୁ । ସ୍କାମ୍ଟି ବିଶେଷକରି ଭାରତୀୟଙ୍କୁ ଟାର୍ଗେଟ କରୁଥିଲା । ପ୍ରାୟ ୨ ଲକ୍ଷ ଭାରତୀୟ ଏହାର ସଦସ୍ୟ ଅଛନ୍ତି । ସ୍କାମ୍ଟି ଓଡ଼ିଶା ସମେତ ୧୧ ରାଜ୍ୟରେ ସକ୍ରିୟ ଥିଲା । ଓଡି଼ଶାର ଭଦ୍ରକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେଉଁଝର ଭଳି ଜିଲ୍ଲାକୁ ଏହି ସ୍କାମର ଚେର ଲମ୍ବିଥିଲା । ରାଜ୍ୟରୁ ପ୍ରାୟ ୧୦ ହଜାର ଲୋକ ଏଥିରେ ଟଙ୍କା ନିବେଶ କରି କୋଟି କୋଟି ଟଙ୍କା ହରାଇଥିଲେ । କ୍ରିପ୍ଟୋ ସ୍କାମ୍ ଜରିଆରେ ସାରା ଦେଶରେ ୧୦୦୦ କୋଟିରୁ ଅଧିକ ଟଙ୍କା କାରବାର ହୋଇଛି । ଏହି ମହାଠକେଇ ଘଟଣାରେ ଇଓଡବ୍ଲ୍ୟୁ ୩ ଜଣଙ୍କୁ ଗିରଫ କରିଥିଲା ବେଳେ ୪ ଜଣଙ୍କୁ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି । ଏହି କ୍ରିପ୍ଟୋ ସ୍କାମ୍ ମୁଖ୍ୟ (ଭାରତ) ଗୁରତେଜ ସିଂ ସିଦ୍ଧୁକୁ ରାଜସ୍ଥାନ ଶ୍ରୀଗଙ୍ଗାନଗରରୁ ଗିରଫ କରାଯାଇଥିଲା ।