ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଯାଦବ

Published By : Prameya | February 13, 2024 9:32 PM

ଜି.ଉଦୟଗିରି,୧୩/୨ : କନ୍ଧମାଳ ଜିଲ୍ଲାରୁ ସରୁନି ଦାଦନ ଦୁଃଖ। କର୍ମ ସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଯାଉଥିବା ଲୋକେ ନିର୍ଯାତନା ଓ ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଉଥିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ପୁଣି ଏଭଳି ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ରାଇକିଆ ଅଞ୍ଚଳରୁ ଦେଖିବାକୁ ଦାଦନ ଖଟିବା ପାଇଁ କେରଳ ଯାଇଥିବା ଜଣେ ଯୁବକ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି । 

ସୂଚନା ଅନୁଯାୟୀ, ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭) ଦୀର୍ଘ ୮ ବର୍ଷ ହେବ କେରଳ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲା ପେରୂମବାବର୍ ଅଞ୍ଚଳରେ ଏକ ପ୍ଲାଏଉଡ଼ କମ୍ପାନୀରେ କାମ କରୁଥିଲେ ।  ସୋମବାର  ରାତିରେ ମାର୍କେଟଠାରୁ ନିଜ ବସାକୁ ଯାଉଥିବାବେଳେ ଏକ ଦୁର୍ଘଟଣାର ଶିକାର ହୋଇ ସେ ପ୍ରାଣ ହରାଇଛନ୍ତି I ରାସ୍ତା ପାର କରୁଥିବାବେଳେ ଗୋଟିଏ କାର୍ ତାଙ୍କୁ ଧକ୍କା ଦେବା ଫଳରେ ସେ ତଳେ ପଡ଼ି ଯାଇଥିଲେ । ପରେ ଅନ୍ୟ ଏକ ଗାଡ଼ି ତାଙ୍କ ଉପରେ ମାଡ଼ି ଯିବା ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା I ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଖବରପାଇ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ନିକଟସ୍ଥ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରଛି I 

ଏ ନେଇ  ପରିବାର ଲୋକ ଓ ସେଠାରେ ଥିବା ତାଙ୍କ ସମ୍ପର୍କୀୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା I ଯାଦବ କାମ   କରୁଥିବା କମ୍ପାନୀ ଶବକୁ ଉଡ଼ାଜାହାଜ ଯୋଗେ ଭୁବନେଶ୍ଵର ଆଣିବା ବ୍ୟବସ୍ଥା କରିବା ପରେ ସେଠାରୁ  ଆମ୍ବୁଲାନ୍ସ ଦ୍ବାରା ନିଜ ଗ୍ରାମକୁ ଅଣାଯାଇଥିଲା I ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ରେଡକ୍ରସ ପକ୍ଷରୁ ଆମ୍ବୁଲାନ୍ସ ଖର୍ଚ୍ଚ ଦିଆ ଯାଇଛି। ଏକ ଶୋକାକୁଳ ପରିବେଶରେ ଆଜି ଖ୍ରୀଷ୍ଟିୟ ରୀତିନୀତି ଅନୁସାରେ ତାଙ୍କର ଶବ ସତ୍କାର କରାଯାଇଥିଲା I  ଯାଦବ ନାୟକ ବିବାହିତ ଏବଂ  ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି । ମୃତକଙ୍କ ସ୍ତ୍ରୀ କିଛି ଦିନ ତଳେ ପିଲାମାନଙ୍କୁ ଛାଡି ଚାଲି ଯାଇଛନ୍ତି I ଦୁଇ ପୁଅ ମୃତକଙ୍କ ବୃଦ୍ଧ  ପିତାମାତାଙ୍କ ନିକଟରେ ରହି ପାଠ ପଢୁଥିଲେ I ପିଲା ଦୁହିଁଙ୍କ ଭବିଷ୍ୟତ ପାଇଁ ଯାଦବ ଦାଦନ ଖଟିବାକୁ ଯାଇଥିଲେ । ଏବେ ପିଲାଙ୍କ ଭବିଷ୍ୟତ ନେଇ ପୁଣି ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଥିପ୍ରତି  ଦୃଷ୍ଟି ଦେଇ ସରକାର ସାହାଯ୍ୟ କରିବା ପାଇଁ ସାଧାରଣରେ ଦାବି ହେଉଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.