ଉଦଳା, ୧୪/୧୧ : ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ବଗିଚା କୂଅ ଭିତରୁ ଗତ ୮ ତାରିଖରେ ଏକ ମୃତଦେହ ମିଳିଥିଲା। ମୃତଦେହ ଉଦ୍ଧାର ହେବାର ୭ ଦିନ ବିତିଲାଣି, ହେଲେ ଆଜି ପର୍ଯ୍ୟନ୍ତ ମିଳୁନି ମୃତକ ନା ହତ୍ୟାକାରୀର ପରିଚୟ। ପାରିପାର୍ଶ୍ଵିକ ପରିସ୍ଥିତିରୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଥିବା ବେଳେ ପୋଲିସ ଏବେ ଅଡୁଆରେ। ଏହି ଘଟଣାରେ ଯେତେ ଦିନ ଗଡୁଛି ସେତିକି ସସ୍ପେନ୍ସ ବଢ଼ିବାରେ ଲାଗିଛି। ଉଦ୍ଧାର ହୋଇଥିବା ଗଳିତ ମୃତଦେହ ଏଭଳି ଅବସ୍ଥାରେ ରହିଛି ତାହା ଚିହ୍ନିବା କଷ୍ଟକର ହୋଇପଡ଼ିଛି।
ସୂଚନାନୁଯାୟୀ, ଗତ ୮ ତାରିଖରେ ସୁରେଇସାହି କାଜୁ ବଗିଚା କୂଅ ଭିତରୁ ଦୁର୍ଗନ୍ଧ ଆସୁଥିବା ଖବର ପାଇ ପୋଲିସ କୂଅ ଭିତରୁ ଏକ ବୋରା ବାହାର କରିଥିଲେ। ଏହାକୁ ଖୋଲିବା ପରେ ବାହାରିଥିଲା ଜଣେ ପୁରୁଷ ଲୋକଙ୍କର ମୃତଦେହ। ମୃତଦେହର ହାତଗୋଡ଼ ବନ୍ଧା ଯାଇଥିବା ବେଳେ ଏଥିରେ ପଥର ଭର୍ତ୍ତି କରି କୂଅ ଭିତରକୁ ଫୋପାଡ଼ି ଦିଆଯାଇଥିଲା। ଯାହାକି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ ହୋଇଥିଲେ ସୁଧା ଘଟଣାର ରହସ୍ୟ ଫିଟାଇ ପାରିନି।