ନୂଆଦିଲ୍ଲୀ ୦୮/୧୧ : ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ମୁହଁକୁ ବ୍ୟବହାର କରି ଏଆଇ ଟୁଲ୍ ଦ୍ୱାରା ପ୍ରସ୍ତୁତ ଏକ ଡିପ୍ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ର ସରକାର ଏହାକୁ ନେଇ କଠୋର ହୋଇଛନ୍ତି । ଏଭଳି ଅପରାଧକୁ ନେଇ ଥିବା ଆଇନ ବାବଦରେ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ ଆଡଭାଇଜରି ଜାରି ହୋଇଛି । ସୋସିଆଲ ମିଡିଆ ମଧ୍ୟସ୍ଥିମାନେ ନିୟମ, ଗୋପନୀୟତା ନୀତି ଏବଂ ୟୁଜର୍ସଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଆଇନ ପାଳନ କରିବାକୁ ଏଥିରେ କୁହାଯାଇଛି ।
ସରକାର ଆଇଟି ଆକ୍ଟ, ୨୦୦୦ରେ ଥିବା ଧାରା ୬୬ଡିକୁ ମଧ୍ୟ ସ୍ମରଣ କରାଇଛନ୍ତି । ଏହି ଧାରା ଅନୁସାରେ, କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଯୋଗାଯୋଗ ଉପକରଣ ଉତ୍ସ ବ୍ୟବହାର କରି କାହାକୁ ଠକିବା ବା ପ୍ରତାରିତ କରିବା ଦ୍ୱାରା ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନାର ପ୍ରାବଧାନ ରହିଛି । ସେହିପରି ଏକ୍ସ, ଇନଷ୍ଟାଗ୍ରାମ ଏବଂ ଫେସବୁକ ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଆଇଟି ନିୟମ ପାଳନ କରି ଅଭିଯୋଗ ମିଳିବାର ୨୪ ଘଣ୍ଟା ଭିତରେ ବାସ୍ତବ ଫଟୋ କିମ୍ବା ଭିଡିଓଠାରୁ ଭିନ୍ନ ଥିବା କିମ୍ବା ବିକୃତ କରାଯାଇଥିବା ଫଟୋ, ଭିଡିଓକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ରଶ୍ମିକାଙ୍କ ପରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଏକ ଡିପ୍ ଫେକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅପ୍କମିଂ ଫିଲ୍ମ ‘ଟାଇଗର ୩’ର ଏକ ଦୃଶ୍ୟରେ କ୍ୟାଟ୍ରିନାଙ୍କୁ ଏକ ଟାୱେଲରେ ଦେଖିବାକୁ ମିଳିଥିଲା । ଏବେ କ୍ୟାଟ୍ରିନାଙ୍କୁ ଏକ ଲୋ-କଟ୍ ହ୍ୱାଇଟ୍ ଡିପ୍ ଟପ୍ ଏବଂ ଟାୱେଲ ଜାଗାରେ ଏକ ମ୍ୟାଚିଂ ବଟମ୍ ପିନ୍ଧିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଏଆଇ ଟୁଲ୍ ବ୍ୟବହାର କରାଯାଇ କ୍ୟାଟ୍ରିନାଙ୍କ ଫଟୋକୁ ଏପରି ବଦଳାଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।