ଭୁବନେଶ୍ୱର, ୧୫/୧୧ : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଠିକଣା ସମୟରେ ସାଧାରଣ ‘ଏଣ୍ଡୋସ୍କୋପି’ ଚିକିତ୍ସା ଯୋଗାଇବାରେ ବିଳମ୍ବ ହେଉଛି। ଯାହାକୁ ନେଇ ରୋଗୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ହସ୍ପିଟାଲରେ ସପ୍ତାହରେ କେବଳ ଗୋଟିଏ ଦିନ ଏଣ୍ଡୋସ୍କୋପି ସୁବିଧା ମିଳୁଛି । କଟକରୁ ଜଣେ ଡାକ୍ତର ଆସି କେବଳ ଗୁରୁବାର ଏହି ସେବା ଯୋଗାଉଛନ୍ତି । ସପ୍ତାହରେ ଗୋଟିଏ ଦିନ ବଦଳରେ ଦୁଇଦିନ ଏଣ୍ଡୋସ୍କୋପି ସେବା ଯୋଗାଇବା ଲାଗି ରୋଗୀ ଓ ସମ୍ପର୍କୀୟ ଦାବି କରିଛନ୍ତି । ଦୂରଦୂରାନ୍ତରୁ ରୋଗୀ ଆସି ଠିକ୍ ସମୟରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଲ୍ଡିଂ ପ୍ରତିଷ୍ଠା ସହ ରୋଗୀ ନିଦାନ ମେସିନ ସ୍ଥାପନ କରିଛନ୍ତି । ହେଲେ ଉପଯୁକ୍ତ ବ୍ୟବସ୍ଥା କରୁନାହାନ୍ତି ।
ଏଣ୍ଡୋସ୍କୋପି ୟୁନିଟ୍ରେ ରୋଗୀ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ହେଲେ ଚିକିତ୍ସା ନପାଇ ଫେରୁଛନ୍ତି । ଗୋଟିଏ ଦିନରେ ପ୍ରାୟ ୧୫ରୁ ଅଧିକ ଏଣ୍ଡୋସ୍କୋପି କରାଯାଉଛି । ଆଉ ଲାଇନ୍ରେ ଅପେକ୍ଷା କରୁଛନ୍ତି ୪୦ରୁ ୫୦ ରୋଗୀ । ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଏଣିକି ସପ୍ତାହରେ ଦୁଇ ଦିନ ସେବା ଯୋଗାଇବା ଲାଗି ପଦକ୍ଷେପ ନିଆଯିବ । ପିଜିଆଇର ସହଯୋଗ ପ୍ରସ୍ତାବ ଦିଆଯିବ । ଏହାବ୍ୟତୀତ ଏଣ୍ଡୋସ୍କୋପି ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯିବ । ନୟାଗଡ଼ରୁ ସିନ୍ଦୁରିଆରୁ ଆସିଥିବା ସେକ୍ ମହମ୍ମଦ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲ ମା’କୁ ନେଇ ଆସିଥିଲି । ଡାକ୍ତର କହିଲେ ଏଣ୍ଡୋସ୍କୋପି ଆବଶ୍ୟକ । ହେଲେ ଏଣ୍ଡୋସ୍କୋପି ୟୁନିଟ୍ ବନ୍ଦ ରହିଛି । ସପ୍ତାହରେ ଗୋଟିଏ ଦିନ ଖୋଲା ରହିଛି । ଫଳରେ ପୁଣି ଆଉ ଥରେ ନୟାଗଡ଼ରୁ ଆସିବାକୁ ପଡ଼ିବ । ପିପିଲି ଅଞ୍ଚଳରୁ ଆସିଥିବା ଗୌରା ମହାପାତ୍ର କହିଛନ୍ତି, ପୁଅକୁ ନେଇ ହସ୍ପିଟାଲ ଆସିଥିଲି । ଗୁରୁବାର ଅଧିକ ଗହଳି ଥିବାରୁ ଏଣ୍ଡୋସ୍କୋପି ସୁବିଧା ମିଳିପାରିଲା ନାହିଁ । ପୁଣି ଥରେ ପିପିଲିରୁ ଆସିବାକୁ ପଡ଼ିଲା । ସେହିପରି ଖୋର୍ଦ୍ଧାରୁ ନାରାୟଣ ସାହୁ ମଧ୍ୟ ସେହି ସମାନ କଥା କହିଛନ୍ତି ।