ଭୁବନେଶ୍ଵର, ୦୭/୧୧ : ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ପରଲୋକ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସେହିପରି ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ନେତା ବିଜୟ ମହାପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରସାଦ ହରିଚନ୍ଦନ, ସମୀର ଦାଶ, ବଦ୍ରି ପାତ୍ର, ଜୟରାମ ପାଙ୍ଗୀ ଶୋକ ପ୍ରକାଶ କରିଛନ୍ତି।
ସୂଚନାନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମହେଶ୍ୱରଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ରାତାରାତି ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡର ଏକ ସ୍ଥାନରେ ସୃଷ୍ଟି ହୋଇଥିବା ରକ୍ତ ଜମାଟ ହଟାଇବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଏହାକୁ ଅପରେସନ କରିବା ମଧ୍ୟ ତାଙ୍କ ଜୀବନପ୍ରତି ବିପଦ ଥିଲା। ରବିବାର ଅପରାହ୍ଣରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିତି ଗମ୍ଭୀର ରହିଥିଲା । ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଆଜି ମଙ୍ଗଳବାର ଭୋର ସମୟରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ତାଙ୍କ ଦେହାନ୍ତରେ ପୁରା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।