ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ । ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସାହାର ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ସୁବ୍ରତ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ମର ଶରୀରକୁ ବୁଧବାର ଲକ୍ଷ୍ନୌର ସାହାରା ସହର ଅଣାଯିବ । ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ।
୧୯୪୮ ମସିହା ଜୁନ ୧୦ ତାରିଖରେ ବିହାରର ଅରରିଆରେ ସୁବ୍ରତ ରାୟ ଜନ୍ମଗ୍ରହଣ କରିଥିଲେ । ସେ ସାହାରା ଇଣ୍ଡିଆ ପରିବାରର ସଂସ୍ଥାପକ ଥିଲେ । ସେ ସମଗ୍ର ଦେଶରେ ସାହାରାଶ୍ରୀ ନାମରେ ବେଶ ପରିଚିତ । ଗୋରଖପୁରର ସରକାରୀ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ରୁ ମେକାନିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିଥିଲେ ସାହାରଶ୍ରୀ । ସେ ନିଜର ବ୍ୟବସାୟ ଗୋରଖପୁରରୁ ଆରମ୍ଭ କରିଥିଲେ।
ପାଟନା ହାଇକୋର୍ଟରେ ସାହାରା ଇଣ୍ଡିଆ ବିରୋଧରେ ଲୋକଙ୍କ ଜମା ରାଶି ଦୀର୍ଘ ବର୍ଷ ଧରି ପୈଠ କରି ନଥିବା ମାମଲା ବିଚାରଧୀନ ରହିଛି । କମ୍ପାନୀର ଅନେକ ସ୍କିମରେ ଲୋକେ ନିଜର ଅର୍ଥ ନିବେଶ କରିଥିଲେ। ଦୀର୍ଘ ସମୟ ଧରି କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ପରବର୍ତ୍ତୀ ସମୟରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ସାହାରାଶ୍ରୀଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଥିଲା ।
୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟ ପାଟନା ହାଇକୋର୍ଟଙ୍କ ଗିରଫଦାରୀ ଆଦେଶ ଉପରେ ଶୁଣାଣି କରି ରୋକ୍ ଲଗାଇଥିଲେ । ଏହା ସହିତ ସୁବ୍ରତ ରାୟଙ୍କ ବିରୋଧରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଥିଲେ । ହେଲେ ଜମାକାରୀଙ୍କ ନିବେଶ ଅର୍ଥ ଫେରସ୍ତ ନ କରିବାକୁ ନେଇ ଅନ୍ୟ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଏହି ମାମଲାରେ ସେ ଜାମିନରେ ବାହାରେ ଥିଲେ । ଅନ୍ୟପଟେ ନିବେଶକଙ୍କ ଅର୍ଥ ଫେରାଇବାକୁ ନେଇ ସାହାରା ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କ କମ୍ପାନୀ ସମସ୍ତ ଅର୍ଥ ସେବି ନିକଟରେ ଜମା କରିସାରିଛି ।