ବ୍ରହ୍ମପୁର/ ଦିଗପହଣ୍ଡି,୦୫/୦୯: ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାକୁ ଆସିଛି ଦିଗହପଣ୍ଡି ବ୍ଲକ୍ ଅଧ୍ୟକ୍ଷ ଉପନିର୍ବାଚନ । ଦିଗପହଣ୍ଡି ଅଧ୍ୟକ୍ଷା ଉପନିର୍ବାଚନ ନେଇ ଦୁଇ ଗୋଷ୍ଠୀ ଭିତରେ ଲାଗି ରହିଛି ଛକାପଞ୍ଝା । ଉପନିର୍ବାଚନ ତାରିଖ ଘୋଷଣା ପରଠୁ ସମିତି ସଭ୍ୟଙ୍କୁ ଦେଖିବାକୁ ମିଳୁନାହିଁ । ଗତ ୩୧ ତାରିଖରେ ଧାର୍ଯ୍ୟ ହୋଇଥିବା ଅଧ୍ୟକ୍ଷା ପଦବି ନିର୍ବାଚନରେ କିଛି ସମିତିସଭ୍ୟଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ପୁଣି ସମିତିସଭ୍ୟ ଦେଖାଯାଉନାହାନ୍ତି । ସେମାନେ ଅଜ୍ଞାତବାସରେ ଅଛନ୍ତି, ନା’ସେମାନଙ୍କୁ ପ୍ରଲୋଭିତ କରି କୌଣସି ଜାଗାରେ ରଖାଯାଇଛି ତାହା ସ୍ପଷ୍ଟ ହୋଇପାରୁନି । ସେମାନଙ୍କ ସୁରକ୍ଷାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
। ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ସ୍ଥଗିତ ହେବା ପରେ ନିର୍ବାଚନର ପରବର୍ତ୍ତୀ ତାରିଖ କେବେ ଘୋଷଣା ହେବ ସବୁ ଚାହିଁ ରହିଛନ୍ତି । ଦିଗପହଣ୍ଡିରେ ବିଜେଡିର ଦବ୍ଦବା ଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ହୋଇଥିବା ବେଳେ ଉଭୟେ ବିଜେଡିକୁ ସମର୍ଥନ କରୁଛନ୍ତି । ଉପନିର୍ବାଚନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଠାର ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗତ ଦୁଇଦିନ ତଳେ ପରଲୋକ ହୋଇଛି । ଦିଗପହଣ୍ଡିର ଭବିଷ୍ୟତ କ’ଣ ହେବ ଏବଂ କିଏ ନେତୃତ୍ୱ ନେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଗପହଣ୍ଡି ବ୍ଲକ୍ରେ ୨୫ଟି ପଞ୍ଚାୟତ ମଧ୍ୟରୁ ନିମଖଣ୍ଡିପେଣ୍ଡ ସମିତି ସଭ୍ୟ ବି.ଲଡୁ ପାତ୍ର ଏକ ଅପରାଧିକ ମାମଲାରେ ଜେଲ୍ରେ ଅଛନ୍ତି ।
ଅନ୍ୟ ୨୪ଜଣ ସମିତିସଭ୍ୟ ଭୋଟ ଦେଇ ଅଧ୍ୟକ୍ଷକଙ୍କୁ ନିର୍ବାଚିତ କରିବେ । ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏହି ପଦକୁ ପୂରଣ କରିବା ପାଇଁ ଅଗଷ୍ଠ ୩୧ ତାରିଖ ଉପନିର୍ବାଚନ ଧାର୍ଯ୍ୟ ହୋଇଥିଲା । ଏହାକୁ ନେଇ ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ବ୍ଲକ୍ କ୍ଷମତା ଅକ୍ତିଆର ପାଇଁ ଛକାପଞ୍ଝା ଲାଗି ରହିଥିଲା । ମ୍ୟାଜିକ୍ ସଂଖ୍ୟା ୧୩ ସମିତିସଭ୍ୟ ଯୋଗାଡ଼ ପାଇଁ ଟଣାଓଟାରା ଲାଗି ରହିଥିଲା । ଉଭୟ ଗୋଷ୍ଠୀର ସମିତି ସଭ୍ୟ ଅଜ୍ଞାତବାସକୁ ଚାଲି ଯାଇଥିଲେ । ମ୍ୟାଜିକ୍ ସଂଖ୍ୟା ୧୩ ସମିତିସଭ୍ୟ ଯୋଗାଡ଼ ପାଇଁ ଟଣାଓଟାରା ଲାଗି ରହିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନଙ୍କ ଗୋଷ୍ଠୀ ସଂଖ୍ୟା ଗରିଷ୍ଠତା ଥିବା ଦାବି କରୁଥିଲେ । ଏହି ଗୋଷ୍ଠୀ ବମକେଇ ସମିତିସଭ୍ୟ ଯମୁନା ନାୟକଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପ୍ରତିପକ୍ଷ ଗୋଷ୍ଠୀର କିଛି ସମିତି ସଭ୍ୟ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ସମିତିସଭ୍ୟ ନିଖୋଜ ଏବଂ ଆଇନଶୃଙ୍ଖଳା ଦୃଷ୍ଟିରୁ ଉପନିର୍ବାଚନ ସ୍ଥଗିତ କରାଯାଇଥିଲା ।