ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ଆଗରୁ ସୋସିଆଲ ମିଡିଆରେ ମୁହାଁମୁହିଁ: ବିଜେଡି-ବିଜେପିର ‘ରିଲ୍‌ସ’ ଯୁଦ୍ଧ, କଂଗ୍ରେସର ବଢ଼ାଉଛି ଫଲୋଅର୍ସ

ଭୁବନେଶ୍ୱର୦୧/୦୩ (ସ୍ମୃତିରଂଜନ ବିଶ୍ୱାଳ): ନବୀନ ଓଡ଼ିଶାର ନୂଆ ସମ୍ଭାବନା ବନାମ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି । ଆଉ କଂଗ୍ରେସର ‘ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାର  ଆହ୍ୱାନ’ । ନିର୍ବାଚନ ଆଗରୁ ସୋସିଆଲ ମିଡିଆରେ ଏମିତି ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ତିନି ଦଳ । ମେଣ୍ଟ ଚର୍ଚ୍ଚା ସତ୍ତେ୍ୱ ଏହି ପ୍ଲାଟଫର୍ମରେ କେହି କାହାକୁ ଛାଡ଼ିବା ସ୍ଥିତିରେ ନାହାନ୍ତି । ସୋସିଆଲ ମିଡିଆ ଦେଖିଲେ ଲାଗୁଛି ସମସ୍ତେ ସାମ୍ନା ଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ । ସବୁଠୁ ଚକିତ କରୁଛି, ଫେସବୁକ୍‌ ଫଲୋଅର୍ସ ସଂଖ୍ୟାରେ ଶାସକ ବିଜେଡିକୁ ବହୁତ ପଛରେ ପକାଇ ଦେଇଛି ବିରୋଧୀ ବିଜେପି ।

ଫେସବୁକ୍‌ରେ ବିଜେଡି ଭେରିଫାଏଡ୍‌ ଆକାଉଣ୍ଟକୁ ୨.୧୩ ଲକ୍ଷ ଲୋକ ଫଲୋ କରୁଛନ୍ତି । ହେଲେ ବିରୋଧୀ ବିଜେପି ଏହି ସଂଖ୍ୟାରେ ବିଜେଡିକୁ ବହୁତ ପଛରେ ପକାଇ ସାରିଲାଣି । ବିଜେପି ଓଡ଼ିଶା ଭେରିଫାଏଡ୍‌ ଆକାଉଣ୍ଟକୁ ୧.୩ ମିଲିଅନ ବା ୧୩ ଲକ୍ଷ ଲୋକ ଫଲୋ କରୁଛନ୍ତି । ବିଜେଡି ତୁଳନାରେ ବିଜେପି ଫଲୋଅର୍ସ ସଂଖ୍ୟା ୧୦ ଲକ୍ଷ ଅଧିକ ରହିଛି । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଛୋଟ ଛୋଟ ରିଲସ୍‌  ପୋଷ୍ଟ୍‌ କରୁଛି ବିଜେପି । ପ୍ରତି ରିଲସ୍‌କୁ ହାରାହାରି ହଜାରରୁ ଅଧିକ ଲୋକେ ଦେଖୁଛନ୍ତି । ଓଡ଼ିଶା ୟୁଥ୍‌ କଂଗ୍ରେସର ଫଲୋଅର୍ସ ସଂଖ୍ୟା ବିଜେଡିଠାରୁ ଅଧିକ ରହିଛି । ପ୍ରାୟ ୫ ଲକ୍ଷ ୯୫ ହଜାର ଲୋକେ ୟୁଥ୍‌ କଂଗ୍ରେସକୁ ଫଲୋ କରୁଛନ୍ତି । 

ଫେସବୁକ୍‌ ଫଲୋଅର୍ସରେ ପଛରେ ଥିଲେ ବି ପୋଷ୍ଟ ଲାଇକ୍‌ ଓ ରିଲସ୍‌ ଭିଉରେ ବିଜେଡି କଡ଼ା ଟକ୍କର ଦେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ପୋଷ୍ଟରେ  ହଜାର ହଜାର ଭିଉ ଆସୁଛି । ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍‌ଙ୍କ ଜିଲ୍ଲାଗସ୍ତ ଓ ରୂପାନ୍ତରଣ କାମ ମଧ୍ୟ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍‌ରେ ଅଛି । ‘ନୂଆ ଓ’ କାର୍ଯ୍ୟକ୍ରମର ରିଲସ୍‌ ଓ ବ୍ୟାନର ପୋଷ୍ଟିଂକୁ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ବିଜେଡି ପୋଷ୍ଟ୍‌ କରିଥିବା ଏଭଳି ଏକ ରିଲସ୍‌କୁ ୬୦ହଜାର ଲୋକେ ଦେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରି ବିଜେଡି ପୋଷ୍ଟ କରୁଥିବା ରିଲସ୍‌ରେ ଅଧିକ ଲୋକେ ଯୋଡ଼ି ହେଉଛନ୍ତି । ଏହାର ଭିଉ ଅଧିକ ରହିବା ସହ କମେଣ୍ଟ ବକ୍ସ ଭର୍ତ୍ତି ହୋଇଯାଉଛି । 

ନିର୍ବାଚନ ପାଇଁ ସୋସିଆଲ ମିଡିଆକୁ ସବୁ ଦଳ ଅସ୍ତ୍ର କରିଛନ୍ତି । ଫେସବୁକ୍‌ରେ ବିଜେପି ଶାସକ ବିଜେଡିକୁ ଟାର୍ଗେଟ୍‌ କରିବାକୁ ପଛାଉନି । ଲକ୍ଷ୍ମୀ ବସ୍‌ କିଣାରେ ଦୁର୍ନୀତି ଅଭିଯୋଗ ହେଉ କି ବାରବାଟୀ ଷ୍ଟାଡିୟମ ଭଙ୍ଗା ପ୍ରତିବାଦରେ ଛୋଟ ଛୋଟ ରିଲସ୍‌ ତିଆରି କରି ପୋଷ୍ଟ କରୁଛି ବିଜେପି । ଏହାକୁ ହଜାର ହଜାର ଲୋକେ ଦେଖୁଛନ୍ତି । ବିଜେପି ପ୍ରତିଦିନ କରୁଥିବା ସାମ୍ବାଦିକ ସମ୍ମିଳନୀର ଭିଡିଓକୁ ଫେସବୁକ୍‌ରେ ପୋଷ୍ଟ୍‌ କରୁଛି । ଏହାକୁ ଲୋକେ ବହୁ ସଂଖ୍ୟାରେ ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ ଓ ଦୁର୍ନୀତି ଅଭିଯୋଗ ସମ୍ପର୍କିତ ପୋଷ୍ଟରେ ଅଧିକ ଭିଉ ରହୁଛି । କଂଗ୍ରେସ ବି ନବୀନ ହଟାଅ, ଓଡ଼ିଶା ବଞ୍ଚାଅ ନାରା ଦେଇ ବିଭିନ୍ନ ପୋଷ୍ଟିଂ କରୁଛି । ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ଦଳ ଅଧିକ ଗୁରୁତ୍ୱ ଦେଇ ଏ ସମ୍ପର୍କିତ ଭିଡିଓ ଓ ବ୍ୟାନର ପୋଷ୍ଟ କରୁଛି ।

ତେବେ ଟ୍ୱିଟର(ଏକ୍ସ)ରେ ବିଜେଡି ପଲ୍ଲା ଭାରି ରହିଛି । ଟ୍ୱିଟରରେ ୩.୮ ଲକ୍ଷ ଲୋକେ ବିଜେଡିକୁ ଫଲୋ କରୁଛନ୍ତି । ବିଜେପିକୁ ଫଲୋ କରଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨ଲକ୍ଷ । ସେହିଭଳି କଂଗ୍ରେସ ପାଖରେ ପ୍ରାୟ ୪୪ହଜାର ଫଲୋଅର୍ସ ଅଛନ୍ତି । ବିଜେଡିର ପ୍ରତିଟି ପୋଷ୍ଟରେ ୧୫୦୦ରୁ ୨୦୦୦ ଭିଉ ରହୁଛି । ବିଜେପି ପାଖରେ ବି ପାଖାପାଖି ସେତିକି ଭିଉ ଅଛି । ଟ୍ୱିଟରରେ ବିଜେଡି ବିଭିନ୍ନ ଯୋଜନାର ପ୍ରଚାରପ୍ରସାର ସହ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଫଟୋ ଥିବା ପୋଷ୍ଟ କରୁଛି । ମନ୍ଦିର ଓ ଅନ୍ୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ, ନୂଆ ଓ କାର୍ଯ୍ୟକ୍ରମର ରିଲସ୍‌କୁ ଗୁରୁତ୍ୱ ଦେଉଛି । ନବୀନ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଇଣ୍ଡିଆ ଟୁଡେ କରିଥିବା ସର୍ଭେର ପୋଷ୍ଟକୁ ୧୦ହଜାରରୁ ଅଧିକ ଲୋକେ ଦେଖିଛନ୍ତି ।

ଟ୍ୱିଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଲୋଅର୍ସ ସଂଖ୍ୟା ୩୬ ଲକ୍ଷ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୧୯ ଲକ୍ଷ ଲୋକେ ଫଲୋ କରୁଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କୁ ୧୪ ଲକ୍ଷ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୧ ଲକ୍ଷ ୪୦ ହଜାର,  ସସ୍ମିତ ପାତ୍ରଙ୍କୁ ୪୪ ହଜାର ଲୋକେ ଫଲୋ କରୁଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ୩୬୯୦ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ୨୩୨୨ ଲୋକେ ଫଲୋ କରୁଛନ୍ତି । ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ଟ୍ୱିଟରରେ ଆକାଉଣ୍ଟ ନାହିଁ । କିନ୍ତୁ ସେ ଇନଷ୍ଟାଗ୍ରାମ୍‌ରେ ବେଶ୍‌ ସକ୍ରିୟ ଅଛନ୍ତି । ଏଥିରେ ତାଙ୍କୁ ୧୧ ଲକ୍ଷ ଲୋକେ ଫଲୋ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.