ନୂଆଦିଲ୍ଲୀ, ୧୨।୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡ଼ିଶାର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଓଢଣୀ ଉପହାର ଦେଇଛନ୍ତି। ଗୁଜରାଟ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ଏକ ଶାଗୁଆନ କାଠ ବାକ୍ସରେ ମୋଦି ଏହି ଉପହାର ଦେଇଛନ୍ତି।
ଓଡିଶାର ଶିଳ୍କୀଙ୍କ ଦ୍ବାରା ଏହି ଇକ୍କତ ଓଢଣୀ ପ୍ରସ୍ତୁତ କରାଯାଇଛି। ଏହା ହେଉଛି ଏକ ପାରମ୍ପାରିକ ତୁତ ରେଷମ ବା ମଲବେରୀ ସିଲ୍କ ଓଢଣୀ ଯାହାକି ଉତ୍କୃଷ୍ଟ ପଦ୍ଧତି ଉପଯୋଗ କରି ବୁଣାଯାଇଛି। ଇକ୍କତ ହେଉଛି ରେଶମ କିମ୍ବା ସୂତାରେ କରାଯାଉଥିବା ଏକ ସୂକ୍ଷ୍ମ ରଙ୍ଗ ପ୍ରକ୍ରିୟା। ଏଥିରେ ସୂତାର ନିର୍ଦ୍ଦିଷ୍ଟ ଭାଗକୁ ବାନ୍ଧିବା ସହ ରଙ୍ଗ କରାଯାଇଥାଏ ଯେଉଁଥିରେ ବନ୍ଧା ହୋଇଥିବା ଭାଗକୁ ସ୍ପର୍ଶ ନ କରି ବିଭିନ୍ନ ରଙ୍ଗର ଆକୃତି ଅଙ୍କାଯାଇଥାଏ। ଏହି ସୂତାଗୁଡିକ ପରସ୍ପର ମିଶିବା ପରେ ଏକ ସୁନ୍ଦର କପଡା ତିଆରି କରନ୍ତି। ସେହିପରି ଇକ୍କତ ଓଢଣୀକୁ ଯେଉଁ ବାକ୍ସରେ ଦିଆଯାଇଛି ତାହାକୁ ଗୁଜରାଟର କାରିଗରମାନେ ଶାଗୁଆନ କାଠରେ ସୁନ୍ଦର କାରୁକାର୍ଯ୍ୟ ତିଆରି କରିଛନ୍ତି।