ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆବୁଧାବିରେ ଲୋକାର୍ପଣ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଫେବ୍ରୁଆରୀ ୧୪ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୧/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୩ ତାରିଖରେ ଦୁଇଦିନିଆ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ  ଯିବେ । ମୋଦିଙ୍କ ଏହି ଗସ୍ତ ବେଶ୍‌ ଚର୍ଚ୍ଚାରେ ରହିଛି । କାରଣ ମୋଦି ୟୁଏଇ ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ । ଏଥିସହ ଜାୟେଦ୍‌ ସ୍ପୋର୍ଟ୍ସ ସିଟିରେ ଏକ କାର୍ଯ୍ୟକ୍ରମରେ ସେଠାରେ ଥିବା ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ। ୨୦୧୫ ପରେ ଏହା ମୋଦିଙ୍କ ସପ୍ତମ  ଏବଂ ଗତ ୮ ମାସରେ ତୃତୀୟ ୟୁଏଇ ଗସ୍ତ  ହେବ । ଏହି ଅବସରରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହାନ୍‌ଙ୍କ ସହ ମୋଦି ଦ୍ୱିପାକ୍ଷିକ ବୈଠକ କରିବେ । 

ଫେବ୍ରୁଆରୀ ୧୪ରେ ପ୍ରଧାନମନ୍ତ୍ରୀ ବୋଚାସନ୍‌ୱାସି ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣନ୍‌ ସଂସ୍ଥା(ବିଏପିଏସ୍‌) ଉଦ୍‌ଘାଟନ କରିବେ । ଏହି ମନ୍ଦିର ଭଗବାନ ନାରାୟଣ ସ୍ୱାମୀଙ୍କୁ ସମର୍ପିତ । ମାର୍ଚ୍ଚ ୧ରେ ଏହା ସର୍ବସାଧାରଣଙ୍କ  ଦର୍ଶନ ଲାଗି ଖୋଲାଯିବ । ଏହି ମନ୍ଦିର ପ୍ରାୟ ୨୦ ହଜାର ବର୍ଗ ମିଟର ଜାଗାରେ ନିର୍ମାଣ  ହୋଇଛି । ରାଜପଥରେ ସଟା ଅଲ୍‌ ୱାକବା  ରାଜଧାନୀ ଆବୁଧାବିରୁ ପ୍ରାୟ ୩୦ ମିନିଟ୍‌ ଦୂର । ମନ୍ଦିର ପରିସରରେ ଏକ ପର୍ଯ୍ୟଟକ କେନ୍ଦ୍ର,  ପ୍ରାର୍ଥନା ହଲ୍‌, ପ୍ରଦର୍ଶନୀ, ଶିକ୍ଷା ସ୍ଥାନ, ପିଲା ଏବଂ  ଯୁବବର୍ଗଙ୍କ ପାଇଁ ସ୍ପୋର୍ଟସ ଏରିଆ, ଫୁଡ୍‌କୋର୍ଟ  ଏବଂ ଅନ୍ୟାନ୍ୟ ଦୋକାନ ରହିଛି । ଏଠାକୁ ସବୁ  ଧର୍ମାବଲମ୍ବୀର ଲୋକ ଯାଇ ହିନ୍ଦୁ ସଂସ୍କୃତି ଏବଂ  ଆଧ୍ୟାତ୍ମିକ ପରିବେଶର ଅନୁଭୂତି ନେଇପାରିବେ  ବୋଲି ବିଏପିଏସ୍‌ ପକ୍ଷରୁ କୁହାଯାଇଛି । 

୧୯୯୭ରୁ ବୋଚାସନ୍‌ୱାସି ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣନ୍‌ ସଂସ୍ଥା(ବିଏପିଏସ୍‌) ପକ୍ଷରୁ ଏହି  ମନ୍ଦିର ପାଇଁ ଉଦ୍ୟମ ହୋଇଆସୁଥିଲା। ଦୀର୍ଘ ୨  ଦଶନ୍ଧିରୁ ଅଧିକ ସମୟ ଧରି ବିଏପିଏସ୍‌ ସାଧୁ  ଏବଂ ଶ୍ରଦ୍ଧାଳୁମାନେ ବିଭିନ୍ନ କମ୍ୟୁନିଟି ଓ ସରକାରୀ ଅଧିକାରୀଙ୍କୁ ଭେଟି ମନ୍ଦିର ନିର୍ମାଣ ଲାଗି ଜମି  ପ୍ରଦାନ ନିମନ୍ତେ ଦାବି କରି ଆସୁଥିଲେ । ୨୦୧୫ରେ  ୟୁଏଇ ସରକାର ଏହି ମନ୍ଦିର ପାଇଁ ଜମି ପ୍ରଦାନ  କରିଥିଲେ । ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ୟୁଏଇ ସରକାରଙ୍କୁ ପ୍ରଶଂସା  କରିଥିଲେ । ବିଏପିଏସ୍‌ ସ୍ୱାମୀ ନାରାୟଣ ସଂସ୍ଥା ଏବଂ  ମନ୍ଦିର ଲିମିଟେଡ୍‌କୁ ସରକାରଙ୍କ ପକ୍ଷରୁ ମନ୍ଦିର  ପ୍ରୋଜେକ୍ଟ ପାଇଁ ମଞ୍ଜୁରି ମିଳିଥିଲା । 

ଦୀର୍ଘ ବର୍ଷର  ପରିଶ୍ରମ ପରେ ୟୁଏଇରେ ମନ୍ଦିର ସ୍ୱପ୍ନ ବାସ୍ତବ  ହୋଇଛି । ଏହି ମନ୍ଦିର ଇତାଲବୀ ମାର୍ବଲରେ  ନିର୍ମାଣ ହୋଇଛି । ଏହାର ଉଚ୍ଚତା ୧୦୮ ଫୁଟ ।  ମନ୍ଦିରରେ ଭଗବାନ ନାରାୟଣ ସ୍ୱାମୀ, ଭଗବାନ  ଶିବ, ଗଣେଶ, କୃଷ୍ଣ ଏବଂ ଦେବୀ ରାଧାଙ୍କ ମୂର୍ତ୍ତି  ରହିଛି । ଏହା ହିନ୍ଦୁ ଧର୍ମ ଏବଂ ସଂସ୍କୃତିକୁ ପ୍ରତିଫଳିତ  କରୁଛି । ଭାରତ ଏବଂ ୟୁଏଇ ମଧ୍ୟରେ ଏହାଦ୍ୱାରା  ସମ୍ପର୍କ ଆହୁରି ମଜଭୁତ ହେବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.