ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚୀନ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ଆମେରିକାରୁ ସ୍ନାତକ ପାସ କରିଛନ୍ତି । ଆମେରିକାରେ ଗ୍ରାଜୁଏଟ ହେଉଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତ ଶୀର୍ଷରେ ରହିଛି । ବିଦେଶରୁ ଆମେରିକାକୁ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୫ ପ୍ରତିଶତ ଛାତ୍ରଛାତ୍ରୀ ଭାରତୀୟ । ସେହିଭଳି ୨୦୨୨-୨୩ ଶିକ୍ଷା ବର୍ଷରେ ସର୍ବାଧିକ ୨୬୮,୯୨୩ ଭାରତୀୟ ଛାତ୍ରଛାତ୍ରୀ ଆମେରିକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି ।
ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଏଜୁକେସନ୍ (ଆଇଆଇଇ)ର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଲଗାତର ୩ ବର୍ଷ ଧରି ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିପାଇଛି । Open Doors ରିପୋର୍ଟ ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହ ଆମେରିକାରେ ପଢ଼ୁଥିବା ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୫ ପ୍ରତିଶତ କେବଳ ଭାରତୀୟ ଛାତ୍ରଛାତ୍ରୀ ।
ଆମେରିକାରୁ ସ୍ନାତକ ହାସଲ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି ପାଇ ୧୬୫,୯୩୬ରେ ପହଞ୍ଚିଯାଇଛି । ୨୦୨୧-୨୨ ଶିକ୍ଷା ବର୍ଷ ତୁଳନାରେ ପ୍ରାୟ ୬୪ ହଜାର ଅଧିକ ଛାତ୍ରଛାତ୍ରୀ ଗ୍ରାଜୁଏଟ ହୋଇଛନ୍ତି । ସେହିଭଳି ଗତ ଶିକ୍ଷା ବର୍ଷ ତୁଳନାରେ ୨୦୨୨-୨୩ରେ ଅଣ୍ଡର-ଗ୍ରାଜୁଏଟ୍ଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ସାମୟିକ ଶିକ୍ଷା ଲାଭ ଦ୍ବାରା ବିଶ୍ବସ୍ତରୀୟ ଅନୁଭବ ହାସଲ କରିବା କ୍ଷେତ୍ରରେ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀ ରେକର୍ଡ କରିଛନ୍ତି । ୬୯,୦୬୨ ଛାତ୍ରଛାତ୍ରୀ ଆମେରିକାରେ ଅପ୍ସନାଲ ପ୍ରାକ୍ଟିକାଲ ଟ୍ରେନିଂ (ଓପିଟି) ପାଠ୍ୟକ୍ରମରେ ସାମିଲ ହୋଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି ।
୨୦୦୯-୧୦ ପରେ ଭାରତ ପ୍ରଥମ ଥର ପାଇଁ ଚୀନ୍କୁ ପଛରେ ପକାଇଛି । ଆମେରିକାରେ ଗ୍ରାଜୁଏଟ ହେଉଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଲାଗି ଭାରତ ଏକ ପ୍ରମୁଖ ସ୍ରୋତ ହୋଇପାରିଛି । ସେପଟେ ଭାରତରେ ଥିବା ଆମେରିକୀୟ ଦୂତାବାସ ୨୦୨୩ ଜୁନ-ଅଗଷ୍ଟ ମଧ୍ୟରେ ରେକର୍ଡ ସଂଖ୍ୟକ ଷ୍ଟୁଡେଣ୍ଟ ଭିସା ଜାରି କରିଛି । ଏହି ସମୟ ଅବଧି ମଧ୍ୟରେ ମୋଟ ୯୫ ହଜାର ୨୬୯ ଷ୍ଟୁଡେଣ୍ଟ ଭିସା ଆମେରିକା ଦୂତାବାସ ଦେଇଛି । ଯାହାକି ୨୦୨୨ ତୁଳନାରେ ୧୮ ପ୍ରତିଶତ ଅଧିକ ।