ନୂଆଦିଲ୍ଲୀ, ୦୬/୦୯: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବଦଳାଇ ପାରନ୍ତି ଦେଶର ନାଁ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ ବି ଟାର୍ଗେଟ୍ କରୁଛନ୍ତି । ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ ଦେଶର ନାଁ ଇଣ୍ଡିଆରୁ ଭାରତ କରିବାକୁ ସରକାର ପଦକ୍ଷେପ ନେବେ କି ? ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦେଶର ନାଁ ବଦଳାଇଲେ କେତେ ଖର୍ଚ୍ଚ ହେବ ?
ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଦକ୍ଷିଣ ଆଫ୍ରିକାର ଜଣେ ଓକିଲ ତଥା ବ୍ଲଗର ଡରେନ୍ ଓଲିଭଅରଙ୍କ ଆକଳନ ଅନୁସାରେ, ଇଣ୍ଡିଆର ନାଁ ପରିବର୍ତ୍ତନ ପାଇଁ ୧୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।
INDIA ନା ଭାରତ? କ'ଣ ପରିବର୍ତ୍ତନ ହୋଇପାରିବ ଦେଶର ନାଁ? କ'ଣ କହୁଛି ସମ୍ବିଧାନ?
୨୦୧୮ରେ ସ୍ୱାଜିଲାଣ୍ଡ ନାଁ ପରିବର୍ତ୍ତନ କରି ଇସ୍ୱାତିନି ରଖିଥିଲା । ଉକ୍ତ ମଡେଲର ଆକଳନ କରିଛନ୍ତି ଓଲିଭଅର । ଜାତୀୟ ସଂସ୍ଥାନର ମାର୍କେଟିଂ ପାଇଁ ମୋଟ ରାଜସ୍ୱର ୬ ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ନାଁ ପରିବର୍ତ୍ତନ ଲାଗି ଅଧିକ ଖର୍ଚ୍ଚ ମୋଟ ମାର୍କେଟିଂ ବଜେଟରୁ ୧୦ ପ୍ରତିଶତ ଅଧିକ ହୋଇପାରେ ।
୨୦୨୨-୨୩ ଆର୍ଥିକ ବର୍ଷରେ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭାରତର ମୋଟ ରାଜସ୍ୱ ୨୩.୮ ଲକ୍ଷ କୋଟି ଥିଲା । ଡରେନ୍ ଓଲିଭଅରଙ୍କ ମଡେଲ୍ ଅନୁସାରେ, ଭାରତ ନାଁ ପରିବର୍ତ୍ତନ ଲାଗି ୧୪, ୦୩୪ କୋଟି ଖର୍ଚ୍ଚ ହୋଇପାରେ । ଯାହାକି କେନ୍ଦ୍ର ସରକାର ମାସକରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗି ବ୍ୟୟ କରୁଥିବା ଅନୁଦାନ ଠାରୁ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି ।
‘ଭାରତ’କୁ ନେଇ ମହାଭାରତ; ଜି-୨୦ ଡିନର୍ କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାରୁ ବିବାଦ
ଏବେ ଦେଶରେ ଦେଶ ନାଁ ପରିବର୍ତ୍ତନକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସମ୍ବିଧାନରେ ଦେଶକୁ ଇଣ୍ଡିଆ କିମ୍ବା ଭାରତକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ । ଭାରତ ହେଉଛି ଏଭଳି ଏକ ଦେଶ ଯାହାର ୨ଟି ଅଧିକାରୀକ ନାଁ ରହିଛି ।
ଏହା ପୂର୍ବରୁ ଏକାଧିକ ଦେଶ ସେମାନଙ୍କ ନାଁ ପରିବର୍ତ୍ତନ କରିଛନ୍ତି । ୨୦୧୧ରେ ଶ୍ରୀଲଙ୍କା ତାର ନାଁ ସେୟଲୋନରୁ ଶ୍ରୀଲଙ୍କା କରିଥିଲା । ସିଆମ୍ ନାଁ ପରିବର୍ତ୍ତନ ହୋଇ ଥାଇଲାଣ୍ଡ ହୋଇଥିଲା । G୨୦ ଡିନର୍ ଲାଗି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର ଦିଆଯିବା ପରେ ଦେଶର ନାଁକୁ ନେଇ ବିବାଦ ଉପୁଜିଥିଲା । ଯେଉଁଥିରେ ଲେଖାଥିଲା ପ୍ରେସିଡେଣ୍ଟ ଅଫ୍ ଭାରତ । ଯେତେବେଳେ କି ସାଧାରଣତଃ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ଲେଖା ଯାଏ ।