ମୁମ୍ବାଇ, ୦୧/୧୧ : ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଏଥର ୨ଟି ଟେଷ୍ଟ, ୩ଦିନିକିଆ ଓ ୩ଟି-ଟ୍ୱେଣ୍ଟି ଖେଳିବ । ଫଳରେ ଏକ ବିଶାଳ ଦଳ ନେଇ ଭାରତ ଏଥର ଦକ୍ଷିଣ ଆଫ୍ରିକା ଯାତ୍ରା କରିବ । ୩ଟି ଯାକ ଫର୍ମାଟ୍ ପାଇଁ ଆଜି ଦଳ ଚୟନ କରାଯାଇଛି । ଟେଷ୍ଟ ଦଳକୁ ଯଶପ୍ରୀତ ବୁମରା, କେଏଲ ରାହୁଲ ଓ ଶ୍ରେୟାସ ଆୟର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ନବାଗତ ଭାବେ ଋତୁରାଜ ଗାଏକୱାଡ୍ଙ୍କୁ ସ୍ଥାନ ମିଳିଛି । ରୋହିତ ଶର୍ମା ଓ ବିରାଟ କୋହଲି ସୀମିତ ଓଭର ଫର୍ମାଟ୍ରୁ ସାମୟିକ ବିରତି ନେଇଛନ୍ତି । ଫଳରେ ରୋହିତଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଟି-ଟ୍ୱେଣ୍ଟି ଦଳ ଓ କେଏଲ୍ ରାହୁଲ ଦିନିକିଆ ଦଳର ନେତୃତ୍ୱ ନେବେ ।
ଟେଷ୍ଟ ଦଳକୁ ନେଇ ଗତ ସପ୍ତାହେ ଧରି ଚର୍ଚ୍ଚା ଲାଗି ରହିଥିଲା । ୨ଭେଟେରାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଭବିଷ୍ୟତକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ଉତ୍ସୁକତା ରହିଥିଲା । ଆଜି ଟେଷ୍ଟ ଦଳରୁ ଉଭୟ ବାଦ ପଡ଼ିଛନ୍ତି । ପୂଜାରା ଗତ ୱେଷ୍ଟ ଇଣ୍ଡିଜ ଗସ୍ତ ଦଳରେ ମଧ୍ୟ ସ୍ଥାନ ପାଇନଥିଲେ । ରାହାଣେ ଉକ୍ତ ସିରିଜରେ ଉପ ଅଧିନାୟକ ରହିଥିଲେ । ରାହୁଲ ଓ ଆୟର ଫିଟ୍ ହୋଇ ଫେରିବା ଫଳରେ ରାହାଣେ ଓ ପୂଜାରା ବଳି ପଡ଼ିଛନ୍ତି । ରାହୁଲ ମୁଖ୍ୟ ୱିକେଟ୍ କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି । ଗତ ବିଶ୍ୱକପ୍ରେ ୱିକେଟ୍ କିପିଙ୍ଗ୍କୁ ନେଇ ରାହୁଲ ପ୍ରଶଂସିତ ହୋଇଥିଲେ । ଇଶାନ କିଷନ ଦ୍ୱିତୀୟ ୱିକେଟ୍ କିପର ଭାବେ ଦଳରେ ରହିଛନ୍ତି । ଗତ ବର୍ଡର-ଗାଭାସ୍କର ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ କିପର ଦାୟିତ୍ୱ ତୁଲାଇଥିବା କେ ଏସ ଭରତ ଦଳରୁ ବାଦ ପଡ଼ିଛନ୍ତି । ରାହୁଲ ୱିକେଟ୍ କିପର ଭାବେ ସ୍ଥାନ ପାଇବାରୁ ଅତିରିକ୍ତ ବ୍ୟାଟର ଭାବେ ଋତୁରାଜଙ୍କୁ ସ୍ଥାନ ମିଳିଯାଇଛି ।
ନିୟମିତ ଭାବେ ଘରୋଇ କ୍ରିକେଟ୍ରେ ଚିତ୍ତାକର୍ଷକ ବ୍ୟାଟିଂ କରୁଥିବା ଋତୁରାଜ ଗତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଶତକ ଅର୍ଜନ କରିଥିଲେ । ଗତ ୱେଷ୍ଟ ଇଣ୍ଡିଜ ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିବା ଯୁବ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ୍ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଅଧିନାୟକ ରୋହିତଙ୍କ ସହ ଓପନ୍ କରିବେ । ଫଳରେ ଶୁଭମନ ଗିଲ୍ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ଦଳରେ ୨ଜଣ ସ୍ପିନର ଓ ୬ଜଣ ପେସ୍ ବୋଲରଙ୍କୁ ସ୍ଥାନ ମିଳିଛି । ବୁମରାଙ୍କ ସମେତ ମହମ୍ମଦ ସିରାଜ, ମହମ୍ମଦ ସାମି, ମୁକେଶ କୁମାର, ସର୍ଦୁଲ ଠାକୁର ଓ ପ୍ରସିଦ୍ଧ କ୍ରିଷ୍ଣା ରହିଛନ୍ତି । ସାମି ସମ୍ପ୍ରତି ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଟେଷ୍ଟ ସିରିଜ ପୂର୍ବରୁ ସେ ଫିଟ୍ନେସ୍ ପରୀକ୍ଷାର ସମ୍ମୁଖୀନ ହେବେ ।
ଟେଷ୍ଟ ଦଳ-
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ୱୀ ଜୈସ୍ୱାଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ଋତୁରାଜ ଗାଏକୱାଡ୍, ଇଶାନ କିଷନ(ୱିକେଟ୍ କିପର), କେଏଲ ରାହୁଲ(ୱିକେଟ୍ କିପର), ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି(ଫିଟ୍ ଘୋଷିତ ହୋଇନାହାନ୍ତି), ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ।
ଟି-ଟ୍ୱେଣ୍ଟି ଦଳରେ କୁଲଦୀପ-
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟିଟ୍ୱେଣ୍ଟି ଦଳର ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ସମ୍ପ୍ରତି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ମଧ୍ୟ ନେତୃତ୍ୱ ନେଉଛନ୍ତି । ବିଶ୍ୱକପ୍ ପରେ ବିଶ୍ରାମ ନେଇଥିବା ଶୁଭମନ ଗିଲ୍, ରବିନ୍ଦ୍ର ଜାଡେଜା, ଶ୍ରେୟାସ ଆୟର, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଟିଟ୍ୱେଣ୍ଟି ଦଳକୁ ଫେରିଛନ୍ତି । ଜାଡେଜାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି ।
ଟି-ଟ୍ୱେଣ୍ଟି ଦଳ-
ଯଶସ୍ୱୀ ଜୈସ୍ୱାଲ୍, ଶୁଭମନ ଗିଲ୍, ଋତୁରାଜ ଗାଏକୱାଡ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟାସ ଆୟର, ଇଶାନ କିଷନ(ୱିକେଟ୍ କିପର), ଜିତେଶ ଶର୍ମା(ୱିକେଟ୍ କିପର), ରବିନ୍ଦ୍ର ଜାଡେଜା(ଉପ ଅଧିନାୟକ), ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର ।
ଦିନିକିଆରେ ନବାଗତ ସୁଦର୍ଶନ, ପାତିଦାର, ରିଙ୍କୁ-
ଦିନିକିଆ ସିରିଜ ପାଇଁ କେ ଏଲ ରାହୁଲଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ବିରାଟ, ରୋହିତ ଓ ବୁମରା ବିଶ୍ରାମ ନେଇଥିବାରୁ ଅନେକ ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି । ବାରମ୍ବାର ଉପେକ୍ଷିତ ହୋଇ ଆସୁଥିବା ସଞ୍ଜୁ ସାମସନ ଓ ୟୁଝବେନ୍ଦ୍ର ଚହଲ ମଧ୍ୟ ଶେଷରେ ଦଳକୁ ଫେରିଛନ୍ତି । ସଫଳ ବିଜୟ ହଜାରେ ଟ୍ରଫି ପ୍ରଦର୍ଶନ ବଳରେ ତାମିଲନାଡୁ ଓପନର ସାଇ ସୁଦର୍ଶନଙ୍କୁ ନବାଗତ ଭାବେ ଦଳରେ ସ୍ଥାନ ମିଳିଛି । ସେ ଓ ଋତୁରାଜ ଓପନ୍ କରିବା ନିଶ୍ଚିତ ରହିଛି । ସେହିପରି ଟିଟ୍ୱେଣ୍ଟିରେ ଅବିଶ୍ୱସନୀୟ ସଫଳତା ପରେ ରିଙ୍କୁ ସିଂହଙ୍କୁ ଦିନିକିଆ କ୍ରିକେଟ୍ରେ ଫିନିସର ଦାୟିତ୍ୱ ଦିଆଯାଇଛି । ଫିଟ୍ ରଜତ ପାତିଦାରଙ୍କ ଅପେକ୍ଷାର ଅନ୍ତ ଘଟିଛି । ସେ ମଧ୍ୟ ଦଳକୁ ଡାକରା ପାଇଛନ୍ତି । ଦିନିକିଆ ସିରିଜ ପାଇଁ ଏକ ଯୁବ ଦଳ ଗଠନ କରାଯାଇଛି । ସୁଦର୍ଶନ, ପାତିଦାର ଓ ରିଙ୍କୁଙ୍କ ବ୍ୟତୀତ ତିଳକ ବର୍ମାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ ପେସ୍ ବୋଲର ଦୀପକ ଚହର ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥର ଦିନିକିଆ ଦଳରେ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ଦିଆଯାଇନାହିଁ । ଗତ ବିଶ୍ୱକପ୍ରେ ସେ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ । ଇଶାନ କିଷନ ଓ ଶୁଭମନ ଗିଲ୍ଙ୍କୁ ମଧ୍ୟ ଦିନିକିଆ ଦଳରୁ ବାଦ ଦିଆଯାଇଛି ।
ଦିନିକିଆ ଦଳ
ଋତୁରାଜ ଗାଏକୱାଡ୍, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାତିଦାର, ରିଙ୍କୁ ସିଂହ, ଶ୍ରେୟାସ ଆୟର, କେଏଲ୍ ରାହୁଲ(ଅଧିନାୟକ, ୱିକେଟ୍ କିପର), ସଞ୍ଜୁ ସାମସନ(ୱିକେଟ୍ କିପର), ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ, ମୁକେଶ କୁମାର, ଅଭେଶ ଖାନ, ଅର୍ଶଦୀପ ସିଂହ, ଦୀପକ ଚହର ।