ଜେରୁସାଲେମ୍: ଯୁଦ୍ଧ ପରେ ଗାଜା ଆଉ ଏକ ସ୍ବାଧୀନ ଅଞ୍ଚଳ ହୋଇ ରହିପାରିବ ନାହିଁ ବୋଲି ନେତାନ୍ୟାହୁ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି । ତେଣୁ ପାଲେଷ୍ଟାଇନ୍ ନାଗରିକ ଅନ୍ୟ ଦେଶକୁ ଚାଲିଗଲେ ଭଲ ହେବ ବୋଲି ସେ କହିଛନ୍ତି । ଇସ୍ରାଏଲର ଅର୍ଥ ମନ୍ତ୍ରୀ ତଥା ନେତାନ୍ୟାହୁଙ୍କ ମେଣ୍ଟ ସରକାରରେ ସାମିଲ ରିଲିଜିୟସ ନ୍ୟାସନାଲିଷ୍ଟ ପାର୍ଟିର ମୁଖ୍ୟ ବେଜାଲଲ ସ୍ମୋଟ୍ରିକ୍ ଏଭଳି କହିଛନ୍ତି । ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସଂପାଦକୀୟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମୀ ରାଷ୍ଟ୍ରଗୁଡ଼ିକ ଗାଜାରେ ରହୁଥିବା ପରିବାରକୁ ଗ୍ରହଣ କରିନିଅନ୍ତୁ ବୋଲି ଇସ୍ରାଏଲ ଆଶା ବ୍ୟକ୍ତ କରିଛି ।
ଏହା ପରେ ଆରବ ଦେଶରେ ଇସ୍ରାଏଲର ଏଭଳି ଆଭିମୁଖ୍ୟକୁ ନେଇ ଭୟ ବୃଦ୍ଧି ପାଇଛି । କାରଣ ଗାଜା ପଟ୍ଟିରୁ ପାଲେଷ୍ଟାଇନ ନାଗରିକଙ୍କୁ ବିତାଡ଼ିତ କରିବାକୁ ଚାହୁଁଛି ଇସ୍ରାଏଲ । ଗାଜାରେ ହେଉଥିବା ସ୍ବେଚ୍ଛାକୃତ ପଳାୟନ ନିଷ୍ପତ୍ତିକୁ ସ୍ବାଗତ କରୁଛି ବୋଲି ସ୍ମୋଟ୍ରିକ୍ କହିଛନ୍ତି । ଗାଜାରେ ଭୟ ଏବଂ ଗରିବୀ ଥିବା ବେଳେ ଏହା ହିଁ ପ୍ରକୃତ ମାନବୀୟ ସମାଧାନ ବୋଲି ସେ କହିଛନ୍ତି । ପ୍ରାକୃତିକ ସଂପଦ ନଥିବା ଗାଜା ଏକାକୀ ତିଷ୍ଠି ପାରିବ ନାହିଁ । ଏପରିକି ଗାଜାକୁ ଏକ ସ୍ବାଧୀନ ଅଞ୍ଚଳ ଭାବେ ଇସ୍ରାଏଲ ଆଉ ବରାଦାସ୍ତ କରିବ ନାହିଁ ବୋଲି ସେ କହିଛନ୍ତି ।
ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ ତୀବ୍ର କରିବା ପରେ ଇସ୍ରାଏଲ ପକ୍ଷରୁ ମିଳିଥିବା ଏହି ମନ୍ତବ୍ୟ ଚିନ୍ତାର କାରଣ ପାଲଟିଛି। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରଠାରୁ ଇସ୍ରାଏଲରେ ୧୨ ଶହ ଲୋକଙ୍କ ଜୀବନ ଯାଇଛି । ଆଉ ଏହା ପରେ ରକ୍ତମୁଖା ହୋଇଉଠିଛି ଇସ୍ରାଏଲ । ସେପଟେ ୧୧ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି ହେଉଛି।
ଏହା ସହ ଉତ୍ତର ଗାଜାରେ ଥିବା ନାଗରିକଙ୍କୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଇସ୍ରାଏଲ ସେନା କହିସାରିଛି। ଇତିମଧ୍ୟରେ ଦକ୍ଷିଣ ଗାଜାରେ ବି ଇସ୍ରାଏଲ ସେନା ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାର ଅର୍ଥ ସମ୍ପୂର୍ଣ୍ଣ ଗାଜାରେ ଇସ୍ରାଏଲ ଆକ୍ରମଣ କରୁଥିବା ବେଳେ ଏହାକୁ କବଜା କରିପାରେ ବୋଲି ଚର୍ଚ୍ଚା ହେଉଛି ।