ବଲାଙ୍ଗିର ୦୯/୦୨: ‘ଏହା କଣ ମୋର ଅପରାଧ? ଶରୀର ଗଠନ ପ୍ରକ୍ରିୟାର ଅସଙ୍ଗତି କଣ ମୋର ଭୁଲ? ମୋତେ ଉପହାସ କରିବାର ମାନେ ଈଶ୍ୱରଙ୍କ ସର୍ଜନାକୁ ଉପହାସ କରିବା । ମୋର କିନ୍ତୁ କାହାରିପ୍ରତି କିଛି ଆପତ୍ତି ନାହିଁ କି ଅଭିଯୋଗ ନାହିଁ । ଯେଉଁମାନେ ମୋତେ ଉପହାସ କରିଛନ୍ତି, ତିରଷ୍କାର କରିଛନ୍ତି । ମୋର ସବୁ ସାମର୍ଥ୍ୟକୁ ମୁଁ ସେଇମାନଙ୍କ ପାଇଁ ବିନିଯୋଗ କରିବି । ଉପହାସର ପ୍ରତିଦାନରେ ପରୋପକାର କରିବି । ଯେଉଁ ଈଶ୍ୱର ଏ ଅସଙ୍ଗତି କରିଛନ୍ତି ସେହି ଈଶ୍ୱର ଶକ୍ତି ଦିଅନ୍ତୁ’ । ଏହା ହେଉଛି ବଲାଙ୍ଗିର ଜିଲ୍ଲା ତୁଷୁରାର ଅନ୍ୟତମ ତୃତୀୟଲିଙ୍ଗୀ ବିକାଶ ବେହେରା ଓରଫ ଅନୁ କୁମାରୀଙ୍କ ଉଦ୍ବେଗଭରା ଅଭିବ୍ୟକ୍ତି ।
ଅନୁ ଏବେ ସମାଜକୁ ସ୍ୱଚ୍ଛତା ପଥରେ ନେବାରେ ସଂକଳ୍ପିତ ହୋଇଛନ୍ତି । ନିଜ ସହିତ ଆଉ ୬ଜଣ ତୃତୀୟଲିଙ୍ଗୀଙ୍କୁ ନେଇ ମାଁ ସମଲେଶ୍ୱରୀ କିନ୍ନର ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ଗୋଷ୍ଠୀର ସଦସ୍ୟାମାନେ ତୁଷୁରା ଏନଏସିର ସିଫଟେଜ ପ୍ଲାଣ୍ଟର ପରିଚଳନା ଓ ରକ୍ଷଣାବେକ୍ଷଣ କରୁଛନ୍ତି । ଏନ୍ଏସି କର୍ତ୍ତୃପକ୍ଷ ଅଳିଆ ଉଠାଇ ଫିଙ୍ଗିଦେବାପରେ ତାକୁ ପ୍ରକ୍ରିୟାକରଣକରି ଖତ, ସାର ପ୍ରସ୍ତୁତ କରୁଛନ୍ତି । ଏଥିସହିତ ପ୍ଲାଣ୍ଟର ସୁରକ୍ଷା, ବର୍ଜ୍ୟଜଳର ମାନ ପରୀକ୍ଷା ଏବଂ ଓପନ୍ ଜିମ୍ ସମେତ ଏକ ମନୋରମ ଉଦ୍ୟାନର ରକ୍ଷଣାବେକ୍ଷଣ କରୁଛନ୍ତି । ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ଅନୁ ଏବଂ ତାଙ୍କ ଗୋଷ୍ଠୀ ସବୁଠି ଗ୍ରହଣୀୟ ହୋଇଛନ୍ତି । କିନ୍ତୁ ଏ ଗ୍ରହଣୀୟତା ପାଇଁ ତାଙ୍କୁ ତଥା ସେମାନଙ୍କ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଛି । ସଂଘର୍ଷ କରିବାକୁ ପଡ଼ିଛି ।
ଅନୁ ଓରଫ ବିକାଶ ବେହେରାଙ୍କ କହିବା ଅନୁସାରେ, ପିଲାଟି ବେଳୁ କିନ୍ନର ବୋଲି ତାଙ୍କୁ ଅକଥନୀୟ ଯାତନା ସହିବାକୁ ପଡ଼ିଛି । କେବେ ସାଙ୍ଗସାଥୀ ତ’ ଆଉ କେବେ ପରିବାର ସଦସ୍ୟ ବି ଟାହିଟାପରା କରିବାରୁ ବିରତ ହେଉନଥିଲେ । ପ୍ରକୃତିଗତ ବ୍ୟତିକ୍ରମ ପାଇଁ ତାଙ୍କୁ ହଟହଟା ହେବାକୁ ପଡ଼ିଛି । ମାନସିକ ଗ୍ଳାନି ଓ ଅପବାଦ ଭିତରେ ବିକାଶ ମାଟ୍ରିକ ପର୍ଯ୍ୟନ୍ତ ପାଠପଢ଼ା ଶେଷ କଲେ । କିନ୍ତୁ ବିକାଶଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଘରଲୋକେ ପାଠ ପଢ଼ାରେ ଡୋରି ବାନ୍ଧିବାକୁ କହିଲେ । କିଛିକଥା କହିବାକୁ ବିକାଶ କୁଣ୍ଠାବୋଧ କରିଥିଲେ, କିନ୍ତୁ ଲିଙ୍ଗଗତ ବିଭେଦ ବି ତାଙ୍କ ପାଠପଢ଼ାରେ ଗଣ୍ଠି ପଡ଼ିବାର ଅନ୍ୟତମ କାରଣ । ମାତ୍ର ପାଠର ଭୋକିଲା ବିକାଶ ସେତିକିରେ ଅଟକି ନଯାଇ ଏକ ବୀମା ଏଜେନ୍ସି ପଏଣ୍ଟରେ ପିଅନ ଭାବରେ କାମ କଲେ । ସେଠାରୁ ମିଳୁଥିବା ମାସିକ ୩ହଜାର ଟଙ୍କାରେ ସେ ଯୁକ୍ତ-୨ ପଢ଼ିଲେ ଓ ସଫଳତାର ସହିତ ଶିକ୍ଷା ଶେଷକଲେ । ହେଲେ ସେଥିରେ ବି ମନ ଭରିଲା ନାହିଁ । ତା’ପରେ ସେ ସ୍ନାତକ ଶିକ୍ଷା ପାଇଁ ଇଚ୍ଛା କଲେ । ହେଲେ ଘରଲୋକେ ରୋକଠୋକ ମନା କରିଦେବା ପରେ କିଛି ଅଧିକ ଦରମା ପାଇ ସେ ତୁଷୁରା ସହରର ଏକ ଔଷଧ ଦୋକାନରେ କାମ କଲେ । ସେଠାରେ ପାର୍ଟଟାଇମ କାମ କରି ଯୁକ୍ତ ୩ ଶିକ୍ଷା ମଧ୍ୟ ଗ୍ରହଣ କଲେ ।
ଡିଗ୍ରୀ ହାସଲକଲେ ସତ, କିନ୍ତୁ ସେତେବେଳକୁ ଲୋକଙ୍କ ଟାହିଟାପରା ଶୁଣିଶୁଣି ଅତିଷ୍ଠ ହୋଇଯାଇଥିଲେ । ପାଖପଡୋଶୀ ଓ ପରିବାରର ନିର୍ଯାତନା ଅସହ୍ୟ ହେବାରୁ ଦିନେ ଘର ଛାଡ଼ି ଝାରସୁଗୁଡ଼ା ଚାଲିଗଲେ । ସେଠାରେ ଅନ୍ୟ ତୃତୀୟଲତଙ୍ଗୀଙ୍କ ସହିତ ରହିବା ସମୟରେ ତାଙ୍କ ନାମ ବିକାଶରୁ ହୋଇଗଲା ଅନୁକୁମାରୀ । ଅନୁ ସେମାନଙ୍କ ସହିତ ମିଶି ଟ୍ରେନ ଭିତରେ ନାଚକରି, ତାଳିମାରି ଭିକ ମାଗିଲେ । ଟଙ୍କା ଉର୍ପାଜନ କଲେ, ମାତ୍ର ଉଚ୍ଚଶିକ୍ଷିତ ହୋଇ ଏଭଳି କାମ କରିବା ତାଙ୍କୁ ବୋଧ ଲାଗିନଥିଲା । ଇତିମଧ୍ୟରେ ପରିବାରରେ ଯେଉଁ ଭାଇଙ୍କ ସାହାରାରେ ବୁଢ଼ା ମା’-ବାପାଙ୍କୁ ଛାଡ଼ି ଯାଇଥିଲେ ସେମାନେ ନିଜ ପରିବାରରେ ବ୍ୟସ୍ତରହି ମା’-ବାପାଙ୍କୁ ଅଣଦେଖା କରିବାରେ ଲାଗିଲେ । ସେମାନଙ୍କ ଅସହାୟ ଅବସ୍ଥା ସମ୍ପର୍କରେ ଖବର ପାଇବା ପରେ ଅନୁ ଝରସୁଗୁଡ଼ା ଛାଡ଼ି ଘରକୁ ଫେରିଆସିଲେ । ଆଉ ପରିବାରକୁ ସମ୍ଭାଳିବା ଆରମ୍ଭ କଲେ ।
ପ୍ରଥମେ ସେ ଏବଂ ଅନ୍ୟଜଣେ ତୃତୀୟଲିଙ୍ଗୀ ଓମପ୍ରକାଶ ସାହୁ ମିଶି ଏନଏସି ଅଧିନରେ ଅଳିଆ ସଂଗ୍ରହକାରୀ ବିଓଭି ଗାଡି ଚଳାଇଲେ । ପରେପରେ ତାଙ୍କ ସହିତ ଆଶୁତୋଷ ଦର୍ଜୀ, ସିରାଜ ମହାଲିଙ୍ଗ, ବୃନ୍ଦାବନ ବଗର୍ତ୍ତି ଏବଂ ଜିତୁ ତାଣ୍ଡି ନାମକ ଅନ୍ୟ ତୃତୀୟଲିଙ୍ଗୀମାନେ ଯୋଡ଼ିହେଲେ । ସେମାନେ ମିଶି ୨୦୨୧ ମସିହାରେ ମା’ସମଲେଶ୍ୱରୀ କିନ୍ନର ଏସଏଚଜି ଗଠନ କଲେ । ରୋଜଗାର ସହ କିଛି ନୂଆ କରି ଦେଖାଇବାକୁ ସମ୍ମତି ଦେବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ତୁଷୁରାର ସିଫଟେଜ ପ୍ଲାଣ୍ଟର ଦାୟିତ୍ୱ ଦିଆଗଲା । ସେଥିପାଇଁ ସେମାନଙ୍କୁ ପ୍ରଥମେ ଭୁବନେଶ୍ୱରରୁ ଆସିଥିବା ଏକ ବୈଷୟିକ ଟିମ ପ୍ରଶିକ୍ଷଣ ଦେଲେ । ତାପରେ ୨୦୨୨ ମସିହା ଅକ୍ଟୋବର ମାସରେ ସେମାନଙ୍କୁ ଏହି ପ୍ଲାଣ୍ଟ ହସ୍ତାନ୍ତର କରାଗଲା । ଉକ୍ତ ପ୍ଲାଣ୍ଟରେ ସେମାନେ ଅଳିଆରୁ ଜୈବିକ ଖତ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରୁଛନ୍ତି ।
ସେଠାରେ ପ୍ରତି ମାସ ପ୍ରାୟ ୨୦ରୁ ୨୫ କେଜି ଖତ ପ୍ରସ୍ତୁତ ହେଉଛି । ଏଥିପାଇଁ ସେମାନଙ୍କ ଗ୍ରୁପକୁ ମାସିକ ପ୍ରାୟ ୭୦ହଜାର ଟଙ୍କାର ପାରିଶ୍ରମିକ ମିଳୁଛି । ଯେଉଁଥିରେ ସେମାନେ ଭଲ ଦି’ପଇସା ରୋଜଗାର କରିବା ସହ ସମାଜକୁ ସ୍ୱଚ୍ଛ ପରିବେଶ ଓ ଜୈବିକ ଖତ ଦେଉଛନ୍ତି । ଆଗାମୀ ଦିନରେ ନିଜ ସହିତ ଆହୁରି କିନ୍ନରଙ୍କୁ ଯୋଡ଼ି ତାଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ଯୋଜନା ରଖିଛନ୍ତି ।
ଅନୁ କୁମାରୀ କୁହନ୍ତି, ସମାଜର ଯେକୌଣସି କାମ ହେଉ, ତାହା ପୁରୁଷ କିମ୍ବା ସ୍ତ୍ରୀଙ୍କୁ ନେଇ ବର୍ଗୀକରଣ ହୋଇଥାଏ । କିନ୍ନରମାନଙ୍କୁ ଅନ୍ୟଆଗରେ ହାତ ପତେଇବା ଛଡ଼ା ଆଉ କିଛି କାମ ଆସେନାହିଁ ବୋଲି ସାଧାରଣରେ ଧାରଣଶ ରହିଛି । ହେଲେ କିନ୍ନର ବି କାମରେ କାହାଠୁ କମ ନୁହେଁ । ସେମାନେ ବି ସବୁ କରିପାରିବେ, ତାଙ୍କୁ ମଧ୍ୟ ସମାଜର ସମାନ ଅଧିକାର ଆବଶ୍ୟକ ।