କୋଲକାତା: ବାଂଲାଦେଶରେ ଏବେ ବି ଅଶାନ୍ତି ଜାରି ରହିଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ଚାଲିଯିବା ପରେ ମଧ୍ୟ ହିଂସା ପ୍ରଶମିତ ହେବାର ନାଁ ଧରୁନାହିଁ । ପଡ଼ୋଶୀ ବାଂଲାଦେଶରେ ଅଶାନ୍ତି ଜାରି ରହିଥିବା ବେଳେ ଏହାର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ସହ ଢ଼ାକାର ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି । ସେହିଭଳି ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ବେଙ୍ଗଲର ବ୍ୟବସାୟୀ । ପଞ୍ଚିମବଙ୍ଗରେ ଏବେ ଛୋଟ ବଡ଼ ବ୍ୟବସାୟୀ କ୍ଷତି ସହୁଥିବା ଜଣାପଡ଼ିଛି । ବାଂଲାଦେଶରୁ ପର୍ଯ୍ୟଟକ ଆସୁନଥିବାରୁ ବ୍ୟବସାୟୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
୧୫ ଦିନ ହେଲା କୋଲକାତାର ୫୦୦ରୁ ଅଧିକ ବ୍ୟବସାୟୀ କ୍ଷତି ସହୁଥିବା ବେଳେ ସୋମବାର ଦିନ ଶେଖ ହସିନା ଦେଶରୁ ପଳାୟନ କରିବା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି । ବାଂଲାଦେଶରୁ ଯେଉଁମାନେ କୋଲକାତା ବୁଲିବାକୁ ଆସନ୍ତି ସେମାନେ ମୁଖ୍ୟତଃ ମାର୍କିଜ୍ ଷ୍ଟ୍ରିଟ୍, କେଓ୍ବାଇଡ ଷ୍ଟ୍ରିଟ୍, ଏସପ୍ଲାନେଡ୍ ଏବଂ ନ୍ୟୁମାର୍କେଟ ଅଞ୍ଚଳରେ ରୁହନ୍ତି । ଏଠାକାର ପ୍ରାୟ ସବୁ ବ୍ୟବସାୟୀ ବାଂଲାଦେଶୀ ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ । ଏହି ସବୁ ଅଞ୍ଚଳରେ ମୁଦ୍ରା ବିନିମୟ କେନ୍ଦ୍ର, ଟ୍ରାଭେଲ ଏଜେନ୍ସି, ବସ ଓ ଟ୍ରେନ୍ ଟିକେଟ କେନ୍ଦ୍ର, ଛୋଟ ବଡ଼ ହୋଟେଲ ଆଦି ରହିଛି ।
ବାଂଲାଦେଶରୁ ଲୋକମାନେ ବିଶେଷ କରି ଚିକିତ୍ସା ପାଇଁ କୋଲକାତା ଆସିଥାନ୍ତି । କିନ୍ତୁ ବାଂଲାଦେଶରେ ଆନ୍ଦୋଳନ ଆରମ୍ଭ ହେବା ପାଖରୁ କୋଲକାତାରେ ବାଂଲାଦେଶୀଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି । ହସିନା ସରକାରଙ୍କ ପତ୍ତନ ପରେ ପ୍ରାୟ ବାଂଲାଦେଶୀ ଆଉ କୋଲକାତା ଆସୁନାହାନ୍ତି । ଡାକ୍ତରଙ୍କ ପରାମର୍ଶ ଲାଗି ଯେଉଁମାନେ ଟିକେଟ କରିଥିଲେ ତାହା ରଦ୍ଦ କରାଯାଉଛି । କେବଳ ବ୍ୟବସାୟୀ ନୁହଁନ୍ତି କୋଲକାତାର ମୁକୁନ୍ଦପୁରରେ ଥିବା ସବୁ ହସ୍ପିଟାଲ ବାଂଲାଦେଶୀ ରୋଗୀଙ୍କ ଉପରେ ନିର୍ଭର କରନ୍ତି । ଏବେ ସେହି ସବୁ ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମିଛି ।
ସେପଟେ କୋଲକାତା ଏବଂ ଢ଼ାକା ମଧ୍ୟରେ ଚାଲୁଥିବା ଟ୍ରେନ ଓ ବିମାନ ସେବା ବାତିଲ କରିଦିଆଯାଇଛି । ଏସବୁ ଭିତରେ ଜଲଦି ବାଂଲାଦେଶ ସ୍ଥିତିରେ ସୁଧାର ଆସୁ ଏବଂ କୋଲକାତାକୁ ଅଧିକରୁ ଅଧିକ ବାଂଲାଦେଶୀ ଆସନ୍ତୁ ବୋଲି ଅନେକ ବ୍ୟବସାୟୀ ଆଶା ପ୍ରକଟ କରିଛନ୍ତି ।