ଭୋପାଳ,୧୦/୧୧: ଲିଜେଣ୍ଡସ ଲିଗ୍ କ୍ରିକେଟର ପରବର୍ତ୍ତୀ ସଂସ୍କରଣ ପାଇଁ ଗୁରୁବାର ଆରମ୍ଭ ହୋଇଛି ଟ୍ରଫି ଭ୍ରମଣ । ଦେଶର ଦ୍ରୁତଗାମୀ ରେଳ ‘ବନ୍ଦେ ଭାରତ ଏକ୍ସପ୍ରେସ’ରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ମନ୍ତ୍ରୀଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଥିଲେ ୧୯୮୩ ବିଶ୍ୱକପ୍ ବିଜେତା ଦଳର ୱିକେଟକିପର ସୟଦ କିରମାନି, ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର, ଦକ୍ଷିଣ ଆଫ୍ରିକାର ଜୋଣ୍ଟି ରୋଡ୍ସ ଏବଂ ମଧ୍ୟପ୍ରଦେଶର ପୂର୍ବତନ ଘରୋଇ କ୍ରିକେଟର ଈଶ୍ୱର ଚନ୍ଦ୍ର ପାଣ୍ଡେ ।
କେନ୍ଦ୍ରମନ୍ତ୍ରୀ କହିଥିଲେ, ‘ବନ୍ଦେ ଭାରତ ରେଳକୁ ଆମେ ଲିଜେଣ୍ଡସ କ୍ରିକେଟ୍ ଲିଗ୍ ଏବଂ କିମ୍ବଦନ୍ତୀ ଖେଳାଳିମାନଙ୍କୁ ଆମେ ସ୍ୱାଗତ କରୁଛୁ । ଏହି ଅଦ୍ଭୁତ ଯାତ୍ରା ସାରା ଦେଶରେ କ୍ରୀଡ଼ାର ପ୍ରଚାର ପ୍ରସାର ଦିଗରେ ସହାୟକ ହେବ ।’ ଏହି ଯାତ୍ରାକୁ ସମସ୍ତ ପୂର୍ବତନ ଖେଳାଳି ବେଶ୍ ଉପଭୋଗ କରିଥିଲେ । ଟ୍ରଫି ଦେଶର ୧୭ଟି ରାଜ୍ୟରେ ୫୦ଟି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟ୍ରଫି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦେଶରେ କ୍ରୀଡ଼ା ସଂସ୍କୃତିର ପ୍ରଚାର ପ୍ରସାର କରିବା।
ଲିଜେଣ୍ଡସ ଲିଗ୍ କ୍ରିକେଟର ୨୦୨୩ ସଂସ୍କରଣ ମାର୍ଚ୍ଚ ୧୦ରୁ ୨୦ ତାରିଖ ମଧ୍ୟରେ ଆୟୋଜିତ ହୋଇଥିଲା । ଫାଇନାଲରେ ଏସିଆ ଲାୟନ୍ସ ୭ ୱିକେଟ୍ରେ ୱାର୍ଲ୍ଡ ଜାଏଣ୍ଟସକୁ ପରାଜିତ କରି ଟ୍ରଫି ହାସଲ କରିଥିଲା।