ମାଲକାନଗିରି : ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମୋବାଇଲ ଟାୱାରରେ ନିଆଁ ଲଗାଇ ପୋଡି ଦେଲେ ମାଓବାଦୀ। ଏହାସହ ଅନ୍ୟଏକ ଘଟଣାରେ ମାଓବାଦୀ ଖଞ୍ଜିଥିବା ବୋମକୁ ଉଦ୍ଧାର କରିଛନ୍ତି ଯବାନ ମାନେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ପୁଲିସ ଯବାନଙ୍କ ଦ୍ୱାରା ୧୦ କିଲୋର ଏକ ଆଇଡି ଜବତ କରିଛନ୍ତି।
ସୂଚନା ଆଧାରରେ, ଦନ୍ତେୱାଡା ଜିଲ୍ଲା କିରଣ୍ଡୋଲ ଥାନା ଅଞ୍ଚଳର ହିରୋଲି ରାସ୍ତାରେ ପୋଲିସ ଯବାନ ମାନେ କୁମ୍ବିଂ ଅପରେସନ କରୁଥିଲେ । ଏତିକି ବେଳେ ସଡ଼କ ନିକଟରେ ଏକ ଗାତରେ ଆଇଡି ଖଞ୍ଜା ଯାଇଥିବା ଦେଖିଥିଲେ।। କୁମ୍ବିଂ ଅପରେସନ ସମୟରେ ଏହି ଆଇଡି ଥିବା ଜାଣିପାରି ଉକ୍ତ ଆଇଡିକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ଯବାନମାନେ। ଏହି ବୋମା ପୋଲିସମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଞ୍ଚି ଥିବା ଜଣାପଡିଛି।
ସେହିପରି ଅନ୍ୟ ଏକ ଘଟଣାରେ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ଏକ ମୋବାଇଲ ଟାୱାରକୁ ନିଆଁ ଲଗାଇ ଧ୍ୱଂସ କରି ଦେଇଛନ୍ତି। ସୂଚନା ମୁତାବକ, ଗତ ସପ୍ତାହେ ପୂର୍ବେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓବାଦୀଙ୍କ ମୃତ୍ୟୁ ଘଟି ଥିବାରୁ , ଏହାର ପ୍ରତିବାଦରେ ମାଓବାଦୀ ମାନେ ଟେଲିଫୋନ ଟାୱାରକୁ ନିଆଁ ଲଗାଇ ଧ୍ୱଂସ କରିଥିବା ପୁଲିସ ସୁଚନା ଦେଇଛନ୍ତି।
ଏହି ଟାୱାର ବିଜାପୁର ଜିଲ୍ଲା କୁଟରୁ ମାର୍ଗ ବେଚାରାମ ଗୁଡମା ଗ୍ରାମ ନିକଟରେ ଥିବା ପୋଲିସ ସୂଚନା ଦେଇଛନ୍ତି। ଉକ୍ତ ସ୍ଥଳରେ ପଶ୍ଚିମ ବସ୍ତର ଡିଭିଜନ କମିଟିର ମାଓବାଦୀ ମାନେ କିଛି ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି । ଉକ୍ତ ପୋଷ୍ଟରରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ପ୍ରତିବାଦରେ ଏପରି କାଣ୍ଡ ଭିଆଇଥିବା ଲେଖା ଯାଇଛି। ଏହି ଘଟଣା ନେମେଡ ଥାନା ଅଞ୍ଚଳରେ ହୋଇଥିବା ବିଜାପୁର ଏସ୍.ପି. ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।