ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟରେ ଚାଲୁଛି ବେଧଡ଼କ ବାଘ ଶିକାର, ସାଢ଼େ ୩ ବର୍ଷରେ ଜବତ ହେଲାଣି ୮୦ ବାଘ ଛାଲ

ଭୁବନେଶ୍ୱର, ୬।୦୨: ରାଜ୍ୟରେ ମହାବଳ ସଂଖ୍ୟା କମି ଏବେ ୨୦ରେ ପହଞ୍ଚିଛି । କିନ୍ତୁ, କଲରାପତରିଆ ବାଘ ଢେର ସଂଖ୍ୟାରେ ଦେଖା ଯାଉଥିଲେ ହେଁ ଶିକାରୀ ମାନେ ଯେଉଁ ହାରରେ କଲରାପତରିଆ ହତ୍ୟା କରୁଛନ୍ତି କିଛି ବର୍ଷ ପରେ ଏହି ପ୍ରଜାତିର ବାଘ ଆଉ ଦେଖିବାକୁ ମିଳିବେନି । କାରଣ ଗତ ସାଢ଼େ ୩ ବର୍ଷ ମଧ୍ୟରେ ଜବତ ହେଲାଣି ୮୦ ବାଘ ଛାଲ । ସେଥିରେ କଲରାପତରିଆ ବାଘ ଛାଲ ସଂଖ୍ୟା ୭୭ । ୩ଟି ମହାବଳ ବାଘ ଛାଲ ବି ଜବତ ହୋଇଛି । ବନବିଭାଗର ଅପାରଗତା ଯୋଗୁଁ ଶିକାରୀମାନେ ବେଧଡ଼କ ବାଘ ଶିକାର କରି ଚାଲିଛନ୍ତି । ତେଣୁ ଆଉ କିଛିବର୍ଷ ମଧ୍ୟରେ ଓଡ଼ିଶା ଜଙ୍ଗଲରୁ ଉଭୟ କଲରାପତରିଆ ଓ ମହାବଳ ବାଘ ଶୂନ୍ୟ ହୋଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି । 

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ ବର୍ଷରେ ରାଜ୍ୟରୁ ୨୧ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିଲା । ସେହିପରି ୨୦୨୧-୨୨ରେ ୩୧ଟି କଲରାପତରିଆ ଛାଲ ଜବତ ହୋଇଥିଲା । ୨୦୨୩ ବର୍ଷ ଆରମ୍ଭରୁ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରୁ ୨୪ଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା । ୨୦୨୪ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ୩ଟି କଲରାପତରିଆ ଛାଲ ଜବତ ହେଲାଣି । ଗତମାସ ୧୧ରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ୨ ଛାଲ ଜବତ ହୋଇଥିବା ବେଳେ ବଲାଙ୍ଗୀରରୁ ଗୋଟିଏ କଲରାପତରିଆ ଛାଲ ଜବତ ହୋଇଥିଲା । ସେହିପରି ରବିବାର ଆଠମଲ୍ଲିକରେ କଲରାପତରିଆ ବାଘର ଗଳିତ ମୃତଦେହ ଜବତ ହୋଇଛି । କଲରାପତରିଆକୁ ଫାସ ବସାଇ ଶିକାର କରା ଯାଇଥିବା ଜଣାପଡ଼ିଛି । 

ସେହିପରି ୨୦୨୧- ୨୨ରେ କଳାହାଣ୍ଡିରୁ ୨ଟି ମହାବଳ ଛାଲ ଜବତ ହୋଇଥିବାବେଳେ ୨୦୨୨-୨୩ରେ କେନ୍ଦୁଝର ୱାଇଲ୍ଡ ଲାଇଫ୍‌ ଡିଭିଜନ ଦେଓଗାଁ ରେଞ୍ଜ ହରିଚନ୍ଦନପୁରରୁ ଗୋଟିଏ ମହାବଳ ବାଘ ଛାଲ ଜବତ ହୋଇଥିଲା । ସାଢ଼େ ୩ ବର୍ଷରେ ଏସବୁ ବାଘ ଛାଲ ଜବତ ହୋଇଥିବା ବେଳେ ଆଉ କେତେ ପରିମାଣର ବାଘ ଶିକାର କରା ଯାଇଥିବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ବନବିଭାଗର ଅପାରଗତା ଓ ନିଷ୍କ୍ରିୟତା ଯୋଗୁଁ ଶିକାରୀମାନେ ଅବାଧରେ ବାଘ ଶିକାର କରୁଛନ୍ତି । ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନି । ବନ୍ୟଜନ୍ତୁ ଅପରାଧ ମାମଲା ଦଣ୍ଡାଦେଶ ହେବା ଯାଏଁ ଯାଇ ପାରୁନି । ବନଖଣ୍ଡ ଅଧିକାରୀ ଓ ରେଞ୍ଜରଙ୍କ ଭଳି ପାହ୍ୟାରେ ବସୁଥିବା ଅଧିକାରୀମାନେ ବନ୍ୟପ୍ରାଣୀ ଅପରାଧିକ ମାମଲାର ଚାର୍ଜସିଟ୍‌ ଫାଇଲ କରିଥାନ୍ତି । ତେଣୁ ସେମାନେ ଏସବୁ ମାମଲାର ତଦାରଖ କରିବା ଦରକାର । ଏଥିପାଇଁ କୌଣସି ରଣନୀତି ନୁହେଁ ବରଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଘ ଶିକାର ଅପରାଧରେ ଜଡ଼ିତ ଅପରାଧୀଙ୍କୁ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ନିୟମ ଥିଲେ ବି ଏ ଯାଏ ଜଣେ ହେଲେ ଅପରାଧୀ ଦଣ୍ଡିତ ହୋଇନାହାନ୍ତି । ଫଳରେ ଶିକାରୀମାନେ ଗିରଫ ହୋଇ ଜେଲ୍‌ ଯାଉଛନ୍ତି । ଜାମିନରେ ଆସି ପୁଣି ବନ୍ୟଜନ୍ତୁ ଶିକାରରେ ଲାଗି ପଡ଼ୁଛନ୍ତି । ୨୦୨୨ କେନ୍ଦ୍ରସରକାରଙ୍କ ବାଘ ଗଣନା ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବାଘ ସଂଖ୍ୟା କମିଛି । ୨୦୧୮ରେ ରାଜ୍ୟରେ ବାଘ ସଂଖ୍ୟା ୨୮ ଥିବା ବେଳେ ଏଥର ୨୦କୁ ଖସି ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାଘ ଗଣନା ଚାଲିଥିବା ବେଳେ ଫେବ୍ରୁଆରୀ ୧୫ରେ ରିପୋର୍ଟ ପ୍ରକାଶ ପାଇବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଏବେ ଯେଉଁଭଳି ଭାବେ ବାଘ ଶିକାର ବଢ଼ି ଚାଲିଛି ଆଉ କିଛି ବର୍ଷ ମଧ୍ୟରେ ଓଡ଼ିଶା ବାଘ ଶୂନ୍ୟ ହୋଇ ପଡ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.