ଭୁବନେଶ୍ୱର/ଚନ୍ଦ୍ରଶେଖରପୁର, ୧୧/୧୧: ଉତ୍ତର ଭୁବନେଶ୍ୱରରେ ପ୍ରାର୍ଥୀ କରିବାକୁ ଦାବିଦାର ଖୋଜୁଛି କଂଗ୍ରେସ । ଏଠାରେ କ୍ରମାଗତ ଭାବେ ଦଳର ଭୋଟ ହାର ଖସୁଥିବାବେଳେ କୌଣସି ବରିଷ୍ଠ କିମ୍ବା ପୁରୁଣା ନେତା ନିଜ ଆଡ଼ୁ ଆଗ୍ରହ ଦେଖାଉନାହାନ୍ତି । ପୁରୁଣା ନେତା ପ୍ରାର୍ଥୀ ହେବାକୁ କୁନ୍ଥକୁନ୍ଥ ହେଉଥିବାବେଳେ କାଁ ଭାଁ ନୂଆ ଆଶାୟୀ ମୁଣ୍ଡ ଟେକିଛନ୍ତି ।
ଉତ୍ତର ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ନୂଆ ଆଶାୟୀ ଭାବେ ସକ୍ରିୟ ହୋଇଛନ୍ତି କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି । ସେ ବିଭିନ୍ନ ଅଞ୍ଚଳ ବୁଲିବା ସହ କର୍ମୀଙ୍କୁ ଏକଜୁଟ କରୁଛନ୍ତି । ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ୱାର୍ଡ ନମ୍ବର ୯ରେ କଂଗ୍ରେସ କର୍ମୀଙ୍କୁ ନେଇ କୃଷ୍ଣଚନ୍ଦ୍ର ଏକ ବୈଠକ କରିଛନ୍ତି । ଘରେ ଘରେ କଂଗ୍ରେସ ଯେମିତି ପହଞ୍ଚିବ, ସେଥିପାଇଁ ବୈଠକରେ କର୍ମୀମାନେ ସଂକଳ୍ପ ନେଇଛନ୍ତି । ଏହି ବୈଠକରେ ପୂର୍ବତନ ୱାର୍ଡ ସଭାପତି ସୂର୍ଯ୍ୟକାନ୍ତ ବେହେରା, ଯୁବ ନେତା ବୁନୁ ସ୍ୱାଇଁ, ଭରତ ଲେଙ୍କା, ଭରତ ସାହୁ, ଅନିଲ ବିଶ୍ୱାଳ, ଦିଗମ୍ବର ମିଶ୍ର, ଅନ୍ତର୍ଯ୍ୟାମୀ ବେହେରା, ଶୋଭିତ୍ କୁମାର ମହାନ୍ତି, ଦିବ୍ୟଜ୍ୟୋତି ସାମନ୍ତ ଏବଂ ସତ୍ୟଜିତ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଉତ୍ତର ଭୁବନେଶ୍ୱରରେ ଦୁଇ ନମ୍ବର ବ୍ଲକର କଂଗ୍ରେସ ସଭାପତି ଅଶୋକ ଦାସ ମଧ୍ୟ ଟିକଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ମନୋରଞ୍ଜନ ଦାସ ଓ କିଶୋର ଜେନାଙ୍କ ନାମକୁ ମଧ୍ୟ ଆଶାୟୀ ତାଲିକାରୁ ବାଦ୍ ଦିଆଯାଇ ନ ପାରେ । ଯଦିଓ ଉଭୟ ନେତା ନିର୍ବାଚନମଣ୍ଡଳୀରେ ପୂର୍ବଭଳି ସକ୍ରିୟ ନାହାନ୍ତି, ତଥାପି ସେମାନଙ୍କ ପ୍ରଭାବ ରହିଛି ।
କଂଗ୍ରେସ ପାଇଁ ଚିନ୍ତାର ବିଷୟ ହେଲା, ନିର୍ବାଚନମଣ୍ଡଳୀରେ ଦଳର ଶୋଚନୀୟ ସ୍ଥିତି । ୨୦୦୯ରେ କଂଗ୍ରେସ ଏଠାରେ ପ୍ରାୟ ୧୨% (୧୧.୯୯%) ଭୋଟ ପାଇଥିଲା । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କିଶୋର ଜେନା ୧୦ ହଜାର ୪୫୧ ଖଣ୍ଡ ଭୋଟ ପାଇ ତୃତୀୟରେ ରହିଥିଲେ । ୨୦୧୪ରେ ପ୍ରାର୍ଥୀ ହୋଇଥିବା ମନୋରଞ୍ଜନ ଦାସ ପାଇଥିଲେ ୮୨୨୩ ଭୋଟ । ଭୋଟ ହାର ଖସି ଆସିଥିଲା ୭%କୁ । ୨୦୧୯ରେ ଦଳ ସ୍ଥିତି ଆହୁରି ବୁଡ଼ିଗଲା, ଭୋଟ ହାର ଖସିଗଲା ୪%କୁ । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ କରିଥିଲା ଛାତ୍ର ନେତା ଇତିଶ ପ୍ରଧାନଙ୍କୁ । ହେଲେ ଦଳ ଭୋଟ ପାଇଥିଲା ମାତ୍ର ୫୧୮୯ । ବିଜେଡିର ଭୋଟ ହାର ୫୫% ପାଖାପାଖି ରହିଥିବାବେଳେ ବିଜେପି ଭୋଟ ହାର ବଡ଼ ଡିଆଁ ମାରି ୩୫% ଟପିଥିଲା । ଏହା ପରଠାରୁ ଉତ୍ତରରେ କଂଗ୍ରେସ ଯେମିତି ଉଠିପାରୁନି । ଏଯାଏଁ ପ୍ରଦେଶ କଂଗ୍ରେସ କମିଟି କିମ୍ବା ଜିଲ୍ଲା କଂଗ୍ରେସ କମିଟି ଉତ୍ତର ଭୁବନେଶ୍ୱର ପାଇଁ ସେଭଳି କିଛି ରଣନୀତି କରିନାହାନ୍ତି । ଦଳ କେମିତି ସେଠାରେ ଉଠିବ, ସେଥିପାଇଁ ଭରସାଯୋଗ୍ୟ ନେତା ଖୋଜା ଚାଲିଛି ।