କଟକ/ଆଠଗଡ଼,୦୪/୧୧: ଟାଣିଓଟାରି ହୋଇ ଏଇ ଥରକ । ଆଗକୁ ଆଉ ନୁହେଁ । ତେବେ ଶାସନଗାଦି ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜିବା କ’ଣ ଦରକାର? ବେଳ ଥାଉ ଥାଉ ପୁଅ ପଛରେ ‘ଲଢୁଆ ନେତା’ ଟ୍ୟାଗ୍ ଲଗାଇଦେଲେ ଲୋକେ ଆପଣାଛାଏଁ ଗ୍ରହଣ କରିନେବେ । କିଛି ଏମିତି ଚର୍ଚ୍ଚା ଏବେ ଆଠଗଡ଼ ନିର୍ବାଚନମଣ୍ଡଳୀରେ ଶୁଣିବାକୁ ମିଳୁଛି । କୃଷିମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ ବିଶ୍ରାମ ନେଇ ଏଣିକି ପୁଅକୁ ଆଗକୁ ଛାଡ଼ିଲେଣି । ପଡୋଶୀ ତିନି ନିର୍ବାଚନମଣ୍ଡଳୀ ଯଥା- ଚୌଦ୍ୱାର-କଟକ, ଟାଙ୍ଗୀ-ସାଲେପୁର ଓ ବାଙ୍କୀରେ ଦ୍ୱିତୀୟ ପିଢି ନେତୃତ୍ୱ ନେଇ ସାରିଥିବା ବେଳେ ଆଠଗଡ଼ରେ ବିଧାୟକ ରାଜା ସ୍ୱାଇଁ ଏଣିକି ପୁଅ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ଲିଫ୍ଟ ଦେବାକୁ ଯୋଜନା କରୁଥିବା ସ୍ପଷ୍ଟ ଜଣାପଡୁଛି ।
ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବାପାଙ୍କ ପରେ ପୁଅ ନେତୃତ୍ୱ ନେଲେଣି । ରାଜ୍ୟ ବିଧାନସଭାରେ ଯୁବ ବିଧାୟକଙ୍କ ସଂଖ୍ୟା କିଛି କମ୍ ନୁହେଁ । କଟକ ଜିଲ୍ଲାର ଚିତ୍ର ଯଦି ଦେଖାଯାଏ କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥି ବେହେରା, ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ, ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ଧର୍ମାନନ୍ଦ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରାଙ୍କ ଭଳି ଯୁବ ବିଧାୟକମାନେ ଦାୟିତ୍ୱ ତୁଲାଇବା ଆରମ୍ଭ କରିସାରିଛନ୍ତି । ତେଣୁ ଆଠଗଡ଼ରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ପୁଅ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ସୁଯୋଗ ଦେବାରେ ଆଉ ବେଶୀ ବିଳମ୍ବ କରିବେ ନାହିଁ ବୋଲି ରାଜନୈତିକ ପାଣିପାଗରୁ ଜଣାପଡିଲାଣି ।
ଏମିତିକି ପୁଅ ଆଦିତ୍ୟଙ୍କୁ ନେଇ ବିଧାୟକଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଥିବା ଚର୍ଚ୍ଚା ହେଉଛି । ଜନସମ୍ପର୍କ ପଦଯାତ୍ରାରେ ଆଦିତ୍ୟଙ୍କୁ ନେଇ ଆଠଗଡ଼ ଓ ତିଗିରିଆର ବିଭିନ୍ନ ପଞ୍ଚାୟତ ବୁଲାଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଜାଙ୍କ ଶିବିର ଯଥେଷ୍ଟ ଉଦ୍ୟମ କରିଥିଲା । ବିଧାୟକ ଶ୍ରୀ ସ୍ୱାଇଁ ଜନସମ୍ପର୍କ ପଦଯାତ୍ରାରେ ମାତ୍ର ଗୋଟିଏ ଦିନ ମଇଦାନକୁ ଓହ୍ଲାଇଥିଲେ । ବାକି ଦିନ ଗୁଡ଼ିକରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ପଦଯାତ୍ରାରେ ଆଦିତ୍ୟଙ୍କୁ ଦେଖିବାକୁ ମିଳୁଛି । ପ୍ରତିଦିନ ଦୁଇରୁ ତିନୋଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା । ଏଥିରେ ଦଳୀୟ ପର୍ଯ୍ୟବେକ୍ଷକ, ସ୍ଥାନୀୟ ସାଂସଦ କିମ୍ୱା ଜିଲ୍ଲା ସ୍ତରର କୌଣସି ଦଳୀୟ ପଦାଧିକାରୀଙ୍କୁ ସାମିଲ କରାଯାଇନଥିଲା । ରାଜା ତାଙ୍କର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନ କରି ‘ଯୁବରାଜ’ ଆତିତ୍ୟଙ୍କୁ ପ୍ରତି ପଞ୍ଚାୟତର ଗ୍ରାମମାନଙ୍କରେ ପରିଚିତ କରାଇଥିଲେ । ଆଦିତ୍ୟଙ୍କ ବୁଲିବା ଓ ଲୋକଙ୍କ ସହିତ ମିଶିବା ନେଇ ଯେଭଳି ସାମାନ୍ୟତମ କୌଣସି ଅସୁବିଧା ନହୁଏ ସେଥିପାଇଁ ତାଙ୍କର ଏକାନ୍ତ ଅନୁଗତମାନଙ୍କୁ ଛାଇ ଭଳି ଲାଗି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁଠି ଯୁବରାଜଙ୍କୁ ସୁପ୍ରିମକୋର୍ଟର ଆଇନଜୀବୀ ତ’ ଆଉ କେଉଁଠାରେ ଯୁବ ସମାଜସେବୀ ଭାବରେ ଉପସ୍ଥାପନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଆଜି ପର୍ଯ୍ୟନ୍ତ ଯୁବରାଜ ବୁଲୁଥିବା ଅଞ୍ଚଳରେ ତାଙ୍କ ଭାଷଣରେ ନିର୍ବାଚନମଣ୍ଡଳୀର ‘ଷାଠିଏ ହଜାର ଚୁଲି ମୁଣ୍ଡ’ ବିଷୟ ଉପସ୍ଥାପନ କରୁଛନ୍ତି । ପଦଯାତ୍ରା ଶେଷ ବେଳକୁ ପ୍ରତି ଚୁଲି ମୁଣ୍ଡରେ ଯୁବରାଜଙ୍କୁ ପରିଚିତ କରିବା ଏହା ପଛର ଉଦ୍ଦେଶ୍ୟ ଥିବା କୁହାଯାଉଛି।
ଏହି ଧାରାରେ ପୂର୍ବରୁ ରାଜାଙ୍କ ସହିତ ରହିଥିବା ପୁରୁଖାମାନେ ପଛରେ ରହିଯାଇଛନ୍ତି । ଯୁବରାଜଙ୍କ ଚାରିପଟେ ନୂଆ ପିଢ଼ିର ଯୁବକ ଛାତ୍ର, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦେଖିବାକୁ ମିଳୁଛି । ଏମିତିକି ଅଧିକାଂଶ ସରକାରୀ କାର୍ଯ୍ୟକ୍ରମରେ ବି ଯୁବରାଜଙ୍କୁ ଦେଖିବାକୁ ମିଳିଲାଣି । ଏଥିପାଇଁ ସରକାରୀ ଅଧିକାରୀମାନଙ୍କୁ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡିଛି । ବିଗତ ଦିନରେ ବିଭିନ୍ନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପୂଜା ପାର୍ବଣମାନଙ୍କରେ ଏବଂ ପଦଯାତ୍ରା ବ୍ୟାନରରେ ମଧ୍ୟ ଯୁବରାଜଙ୍କ ଫଟୋକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ରାଜା ଯେକୌଣସି ପ୍ରକାରେ ଯୁବରାଜଙ୍କୁ ଥଇଥାନ କରିବା ପାଇଁ କଳ, ବଳ, କୌଶଳ ପ୍ରୟୋଗ କରିବାକୁ ପଛାଉ ନଥିବା ଚର୍ଚ୍ଚା ହେଉଛି ।