ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ ଭାରତ ରତ୍ନ ସମ୍ମାନ ବାଣ୍ଟିବାରେ ମୋଦି ସରକାର ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ଗତ ୧୫ ଦିନ ଭିତରେ ୫ ଜଣ ବଡ଼ ବ୍ୟକ୍ତିତ୍ବଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ଏହି ସମ୍ମାନ ପାଇଥିବା ତାଲିକାରେ ଦୁଇ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ଜଣେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଣେ କୃଷି ବିଶେଷଜ୍ଞ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନ ଦିଆଯିବ । ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।
କେନ୍ଦ୍ର ସରକାର ଆଜି ପିଭି ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଏବଂ ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲାଲ କୃଷ୍ଣ ଆଡଭାନୀ ଏବଂ କର୍ପୁରି ଠାକୁରଙ୍କୁ ଭାରତ ରତ୍ନ ଦିଆଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଗୋଟିଏ ବର୍ଷରେ ସର୍ବାଧିକ ୪ଟି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଦେଇଥିଲେ । ୧୯୯୯ରେ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ଦେଇଥିଲେ ବାଜପେୟୀ ସରକାର । ଜ୍ୟୋତିପ୍ରକାଶ ନାରାୟଣ, ରବି ଶଙ୍କର, ଅମର୍ତ୍ତ୍ୟ ସେନ ଏବଂ ଗୋପିନାଥ ବରଦୋଲୋଇଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସୂଚନାଯୋଗ୍ୟ, ଗୋଟିଏ ବର୍ଗରେ ଏକା ସହିତ ୩ରୁ ଅଧିକ ବ୍ୟକ୍ତିଙ୍କୁ ଭାରତ ରତ୍ନ ଦିଆଯାଇପାରିବ ନାହିଁ । କୌଣସି କ୍ଷେତ୍ରରେ ଅସାଧାରଣ ଏବଂ ସର୍ବୋଚ୍ଚ ସେବା ଲାଗି ଏହି ସମ୍ମାନ ଦିଆଯାଏ । ଭାରତ ରତ୍ନ ସମ୍ମାନ ରାଜନୀତି, କଳା, ସାହିତ୍ୟ, ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଲାଗି ପ୍ରଦାନ କରାଯାଏ । ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ‘ଭାରତ ରତ୍ନ’ ସମ୍ମାନର ଶୁଭାରମ୍ଭ କରିଥିଲେ । ସ୍ବାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ବିଶିଷ୍ଟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ପ୍ରଥମେ ୧୯୫୪ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।