ବେଙ୍ଘାଜି,୧୨।୯: ଆଫ୍ରିକୀୟ ଦେଶ ଲିବ୍ୟାରେ ବିନାଶକାରୀ ବାତ୍ୟା ଓ ବନ୍ୟା ଯୋଗୁଁ ସ୍ଥିତି ଭୟଙ୍କର ହୋଇଛି। ଦେଶର ପୂର୍ବ ଉପକୂଳବର୍ତ୍ତୀ ଡେର୍ନା ସହରରେ ବନ୍ୟା ଯୋଗୁଁ ଦୁଇ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଓ ୫୦୦ ହଜାରରୁ ଅଧିକ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।
‘ଲିବ୍ୟାନ୍ ନ୍ୟାସ୍ନାଲ୍ ଆର୍ମି’ର (ଏଲ୍ଏନ୍ଏ) ମୁଖପାତ୍ର ଅହମଦ୍ ମିସ୍ମାରି ଟେଲିଭିଜନ୍ରେ ପ୍ରସାରିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଇଥିଲା।
ଉଲ୍ଳେଖନୀୟ ଯେ, ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍’ ପ୍ରବାହିତ ହୋଇଥିଲା। ଯାହାଫଳରେ ଡେର୍ନା ସହରରକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିଥିଲା। ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ଭାଙ୍ଗି ଯାଇଥିଲା। ପୂର୍ବ ଲିବ୍ୟା ସରକାରର ପ୍ରଧାନମନ୍ତ୍ରୀ ଓସମା ହମାଦ ସୋମବାର ଦେଶରେ ତିନି ଦିନ ପାଇଁ ଶୋକ ଘୋଷଣା କରିଛନ୍ତି। ଏଥିପାଇଁ ସାରା ଦେଶରେ ଜାତୀୟ ପତକାକୁ ଅର୍ଦ୍ଧନିର୍ମିତ କରି ରଖିବାକୁ କୁହାଯାଇଛି।