ଗୋପ,୦୬/୧୧: ମେଘାଳୟର ସୁରି ଅଞ୍ଚଳରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ଗୋପ ବ୍ଲକ ବଡ଼ତରା ପଞ୍ଚାୟତ ମଲ୍ଲଗ୍ରାମର ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିକ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ପ୍ରତାପଙ୍କ ମର ଶରୀର ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଥିଲା । ସେଠାରେ ବିଏସ୍ଏଫ୍ ଅଧିକାରୀଙ୍କ ସହ ବିଧାୟକ ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ । ବିଧାୟକ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କିଛି ସମୟ ରହଣି ପରେ ପାର୍ଥିବ ଶରୀରକୁ ଜଟଣୀ ବିଏସ୍ଏଫ୍ କ୍ୟାମ୍ପକୁ ନିଆଯାଇଛି । ରାତିରେ ସେଠାରେ ରହିବ । ସୋମବାର ପ୍ରତାପଙ୍କ ମର ଶରୀର ଜଟଣୀ ବିଏସ୍ଏଫ୍ କ୍ୟାମ୍ପରୁ ବାହାରି ଏକ ବିରାଟ ଶୋଭାଯାତ୍ରାରେ ପିପିଲି ନିମାପଡ଼ା ଦେଇ ଗୋପ ବଜାରରେ ପହଞ୍ଚିବ । ସେଠାରୁ ପ୍ରଥମେ ପ୍ରତାପଙ୍କ ବିଦ୍ୟାଳୟ ନାଗପୁର ହାଇସ୍କୁଲକୁ ନିଆଯିବ । ପରେ ନାଗପୁର ମେଡିକାଲ ଛକ ଦେଇ ମଲ୍ଲ ଗ୍ରାମକୁ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ପରେ ଗାଁ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହେବ । ୧୫୧ ବାଟାଲିଅନ୍ ପକ୍ଷରୁ ତୋପ ସଲାମୀ ଦିଆଯିବ ।
ପ୍ରତାପ ସହିଦ୍ ହେବା ଖବର ଶୁକ୍ରବାର ରାତିରେ ପରିବାର ଲୋକେ ଜାଣିବାକୁ ପାଇଥିଲେ । ଶନିବାର ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ବିଭିନ୍ନ ଦଳର ରାଜନେତା, ସ୍ୱେଚ୍ଛାସେବୀ ଓ ଆଖପାଖ ଲୋକେ ପହଞ୍ଚି ପରିବାର ଲୋକଙ୍କ ସାନ୍ତ୍ୱନା ଦେଇଥିଲେ । ରବିବାର ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ପହଞ୍ଚି ପରିବରକୁ ସମବେଦନା ଜଣାଇଛନ୍ତି । ସେପଟେ ପ୍ରତାପଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରଠୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଦୁଇ ଦିନ ହେଲା ଖିଆପିଆ ନାହିଁ । ପ୍ରତାପଙ୍କ ପତ୍ନୀ ସେମିତି ବିଛଣାରେ ପଡ଼ି ରହିଛନ୍ତି । ଗାଁରେ ମଧ୍ୟ ଶୋକାକୁଳ ପରିବେଶ । ସମସ୍ତେ ଅପେକ୍ଷା କରିଛନ୍ତି ସହିଦ୍ଙ୍କ ଶେଷ ଦର୍ଶନ ଲାଗି ।
ଅନ୍ୟପଟେ ସହିଦ୍ଙ୍କ ପରିବାର ପ୍ରତି ଗୋପ ବ୍ଲକ ପ୍ରଶାସନ, ତହସିଲ୍ ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ହୋଇଛି । କୌଣସି ଅଧିକାରୀ ଶେଷକୃତ୍ୟ କିଭଳି ସମ୍ପନ୍ନ ହେବ ସେନେଇ ଆଲୋଚନା କରିନାହାନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।