ଦୁବାଇ,୧୭/୦୯: ଆସନ୍ତା ଦିନିକିଆ ବିଶ୍ୱକପ୍ ପୂର୍ବରୁ ଫାଷ୍ଟ୍ ବୋଲର ନସୀମ ଶାହଙ୍କ ଆହତ ସମସ୍ୟା ପାକିସ୍ତାନକୁ ଅଡ଼ୁଆରେ ପକାଇଛି। ଭାରତ ବିପକ୍ଷ ଏସିଆ କପ୍ ସୁପର-୪ ମୁକାବିଲାରେ ନସୀମଙ୍କ କାନ୍ଧରେ ଆଘାତ ଲାଗିଥିଲା । ଦୁବାଇରେ ତାଙ୍କ ଆହତ ସ୍ଥାନରେ ସ୍କାନ କରାଯାଇଥିଲା । ରିପୋର୍ଟରେ ଆହତ ସମସ୍ୟା ଗୁରୁତର ଥିବା ଜଣାପଡ଼ିଛି । ସେ ଚଳିତ ବର୍ଷ ଆଉ ଖେଳିପାରିବେନି ବୋଲି ଅନୁମାନ କରାଯାଉଛି । ଏହି ଆଧାରରେ ନସୀମ ବିଶ୍ୱକପ୍ରୁ ବାଦ୍ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଖୁବଶୀଘ୍ର ତାଙ୍କର ଆଉ ଏକ ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ ତାଙ୍କ ଖେଳିବା ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ।
ଭାରତ ବିପକ୍ଷ ସୁପର-୪ ରାଉଣ୍ଡ୍ ମ୍ୟାଚ୍ରେ ୪୬ତମ ଓଭର ବୋଲିଂ କରିବା ବେଳେ ନସୀମ ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ସେ ସଙ୍ଗେ ସଙ୍ଗେ ଡ୍ରେସିଂ ରୁମ୍କୁ ଫେରି ଯାଇଥିଲେ । ପରେ ସେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରୁ ବାଦ୍ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ଜମାନ ଖାନ୍ ସୁଯୋଗ ପାଇଥିଲେ । ନସୀମଙ୍କ ଅନୁପସ୍ଥିତି ପାକିସ୍ତାନ ବୋଲିଂ ବିଭାଗକୁ ପ୍ରଭାବିତ କରିଥିଲା । ଏହି ମ୍ୟାଚ୍ରେ ଶ୍ରୀଲଙ୍କା ନିକଟରୁ ହାରି ପାକିସ୍ତାନ ଏସିଆ କପ୍ରୁ ବିଦାୟ ନେଇଥିଲା । ନସୀମ ବିଶ୍ୱକପ୍ ଦଳରୁ ବାଦ ପଡ଼ିଲେ ଜମାନ କିମ୍ବା ମହମ୍ମଦ ହସନୈନ୍ଙ୍କୁ ସୁଯୋଗ ମିଳିବ । ହସନୈନ ଏବେ ଆହତ ଅଛନ୍ତି ଏବଂ ଖୁବଶୀଘ୍ର ଫିଟ୍ ହୋଇଯିବା ସମ୍ଭାବନା ରହିଛି ।