ମୁମ୍ବାଇ ୧୦/୧୧: ସାଉଥ୍ରେ ଲେଡି ସୁପର୍ଷ୍ଟାର୍ ନାମରେ ପରିଚିତ ନୟନତାରା ଚଳିତ ବର୍ଷ ଶାହରୁଖ ଖାନ୍ ଷ୍ଟାରର୍ ‘ଯୱାନ’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଛନ୍ତି । ଫିଲ୍ମ ବ୍ଲକ୍ବଷ୍ଟର ହେବା ପରେ ବି ସେ ନିଜର ବଲିଉଡ୍ ପଦାର୍ପଣକୁ ନେଇ ଖୁସି ନାହାନ୍ତି । ଏହା ତାଙ୍କ ପାଇଁ ଏକ ବଡ଼ ପ୍ରୋଜେକ୍ଟ ଥିଲା । କିନ୍ତୁ ଫିଲ୍ମର ସବୁ ଶ୍ରେୟ ଶାହରୁଖଙ୍କୁ ଦିଆଯାଉଛି । କିଛି ଲୋକ ଏହାକୁ ଶାହରୁଖ-ନୟନତାରା ନୁହେଁ, ବରଂ ଶାହରୁଖ-ଦୀପିକାଙ୍କ ଫିଲ୍ମ ବୋଲି କହୁଛନ୍ତି । ଏହାକୁ ନେଇ ଖପ୍ପା ନୟନତାରା ହିନ୍ଦୀ ଫିଲ୍ମରେ ଆଉ କାମ କରିବାକୁ ଚାହୁଁନାହାନ୍ତି । ସାଉଥ୍ରେ ଜଣେ ନାମୀ ଫିଲ୍ମମେକର୍ ଏପରି କହିଛନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟ ଦେଇଛି ।
ରିପୋର୍ଟ ଅନୁସାରେ, ଫିଲ୍ମମେକର୍ କହିଛନ୍ତି- ତାମିଲ ସିନେମାରେ ହିରୋ ଓ ଫ୍ୟାନ୍ ନୟନତାରାଙ୍କୁ ଖୁବ୍ ସମ୍ମାନ ଦିଅନ୍ତି । ତାମିଲନାଡୁରେ ତାଙ୍କୁ ଲେଡି ସୁପର୍ଷ୍ଟାର୍ କୁହାଯାଏ । କିନ୍ତୁ ‘ଯୱାନ’ରେ ଛୋଟ ଭୂମିକା ମିଳିଥିବାରୁ ସେ ଖୁବ୍ ମର୍ମାହତ ହୋଇଛନ୍ତି । ଫିଲ୍ମ ପାଇଁ ଯେଉଁ ଭୂମିକା ତାଙ୍କୁ ଦିଆଯାଇଥିଲା, ତାହା ପରଦାରେ ଆଦୌ ନାହିଁ ବୋଲି ଫିଲ୍ମମେକର୍ କହିଛନ୍ତି । ତେଣୁ ଏଣିକି ନୟନତାରା କେବଳ ତାମିଲ ସିନେମାରେ କାମ କରିବାକୁ ଚାହୁଁଛନ୍ତି । ସାଉଥ୍ ସିନେମାର କୌଣସି ଫିଲ୍ମମେକର୍ ତାଙ୍କ ସହ ଏଭଳି କରିବାକୁ ସାହସ କରିପାରିବେ ନାହିଁ । ଏପରିକି ଆଟଲି ମଧ୍ୟ ନୁହେଁ ।
କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା, ନୟନତାରା ଫିଲ୍ମମେକର ସଞ୍ଜୟଲୀଲା ଭଂସାଲୀଙ୍କ ସହ ଏକ ଫିଲ୍ମ ବିଷୟରେ ଆଲୋଚନା କରୁଛନ୍ତି । କିନ୍ତୁ ସାଉଥ୍ ଫିଲ୍ମମେକର୍ଙ୍କର ଏଭଳି ବୟାନ ପରେ ହିନ୍ଦୀ ଇଣ୍ଡଷ୍ଟ୍ରିରେ ତାଙ୍କର କାମ କରିବା ମୁସ୍କିଲ ହେବ ଲାଗୁଛି । ‘ଯୱାନ’ରେ ନୟନତାରାଙ୍କ ଅଫିସର୍ ନର୍ମଦା ରାୟ ଭୂମିକାକୁ ଦର୍ଶକ ଖୁବ୍ ପ୍ରଶଂସା କଲେ । କିନ୍ତୁ ଶାହରୁଖଙ୍କ ସହ ତାଙ୍କ କେମିଷ୍ଟ୍ରିକୁ ସମୀକ୍ଷକମାନେ ପସନ୍ଦ କଲେ ନାହିଁ । ଅପ୍କମିଙ୍ଗ ତାମିଲ ଫିଲ୍ମ ‘ଇରାଇଭନ’ରେ ନଜର ଆସିବେ ନୟନତାରା । ଏଥିପାଇଁ ସେ ୧୦ କୋଟି ପାରିଶ୍ରମିକ ନେଇଛନ୍ତି । ‘ଯୱାନ’ ପାଇଁ ମଧ୍ୟ ସେ ୧୦ କୋଟି ନେଇଥିଲେ ।