ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ କିଓ୍ବି ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଆଜିର ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୪ ଓଭରରେ ୧୭୧ ରନରେ ଅଲଆଉଟ୍ ହୋଇଛି । କୁଶଲ ପେରେରା(୫୧) ଓ ମହୀଶ ତୀକ୍ଷଣା(୩୯)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ତେବେ ଶେଷ ଓ୍ଵିକେଟରେ ତୀକ୍ଷଣା ଓ ମଦୁଶଙ୍କା ୪୩ ରନ ଯୋଡ଼ିବାରୁ ଶ୍ରୀଲଙ୍କା ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଛି । ଏହି ମ୍ୟାଚରେ ବିଜୟୀ ହେଲେ ନ୍ୟୁଜିଲାଣ୍ଡ ସେମିଫାଇନାଲର ଆହୁରି ନିକଟତର ହେବ ।
ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି । ୧୦ ଓଭରରେ ୩୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି । ମିଚେଲ୍ ସାଣ୍ଟନର ୧୦ ଓଭରରେ ସବୁଠୁ କମ ୨୨ ରନ ଦେଇ ୨ଟି ଓ ଲକି ଫର୍ଗ୍ୟୁସନ ମଧ୍ୟ ୧୦ ଓଭରରେ ୩୫ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି । ରଚିନ ରବୀନ୍ଦ୍ର ୭.୪ ଓଭରରେ ୨୨ ରନ ଦେଇ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।
ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳୀୟ ସ୍କୋର ୩ ରନ ବେଳକୁ ପଥୁମ ନିଶଙ୍କା(୨) ଆଉଟ୍ ହୋଇଥିଲ । ଅଧିନାୟକ କୁଶଳ ମେଣ୍ଡିସ ମାତ୍ର ୬ ରନ୍ରେ ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ କୁଶଲ ପେରେରା କ୍ରିଜରେ ଜମି ରହିଥିଲେ ସୁଦ୍ଧା ଅନ୍ୟ ବ୍ୟାଟର ତିଷ୍ଠି ପାରିନଥିଲେ । ନ୍ୟୁଜିଲାଣ୍ଡ ବୋଲର ଘାତକ ବୋଲିଂ କରି ଶ୍ରୀଲଙ୍କାଙ୍କୁ ଅଟକାଇବାରେ ସଫଳ ହୋଇଥିଲା ।
ସଦିରା ବିକ୍ରମା(୧), ଚରିଥ ଅସଲଙ୍କା(୮) ଆଉଟ୍ ହୋଇଥିଲେ । ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିଲେ ପେରେରା କିନ୍ତୁ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୮ ବଲରେ ୯ ଚୌକା ଓ ୨ ଛକା ସହ ୫୧ ରନ କରି ପାଭିଲିୟନ ଫେରିଥିଲେ । ଆଜିର ମ୍ୟାଚ୍ରେ ମାତ୍ର ୭୦ ରନରେ ଶ୍ରୀଲଙ୍କା ଅଧା ଓ୍ଵିକେଟ୍ ହରାଇଥିଲା । ଆଞ୍ଜେଲୋ ମାଥ୍ୟୁସ(୧୬) ଓ ଧନଞ୍ଜୟ ଡି ସିଲଭା(୧୯) ଚେଷ୍ଟା କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ଚମିକା କରୁଣାରତ୍ନେ ୬ ରନ୍ କରି ପାଭିଲିୟନ ଫେରିଥିଲେ । ତେବେ ଶେଷ ଆଡ଼କୁ ମହୀଶ ତୀକ୍ଷଣା ଓ ଦିଲସନ ମଦୁଶଙ୍କା ଦଶମ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡ଼ିବାରୁ ଶ୍ରୀଲଙ୍କା ୧୭୧ ରନ ସ୍କୋର କରିପାରିଛି ।