ଅହମ୍ମଦାବାଦ ୧୦/୧୧: ଚଳିତ ବିଶ୍ୱକପ୍ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ଦକ୍ଷିଣ ଆଫ୍ରିକା ସେମିରେ ପ୍ରବେଶ କରିସାରିଛି । ଆଫଗାନିସ୍ତାନ ନିକଟରେ ମଧ୍ୟ ସୁଯୋଗ ରହିଛି । ମାତ୍ର ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ୪୩୮ ରନ୍ ବ୍ୟବଧାନରେ ହରାଇ ପାରିଲେ ଆଫଗାନିସ୍ତାନ ସେମିରେ ପ୍ରବେଶ କରିବ । ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ ।
ଦକ୍ଷିଣ ଆଫ୍ରିକା ଏଥର ବିଶ୍ୱକପ୍ରେ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇ ରଖିଛି । କେବଳ ଭାରତ ଓ ନେଦରଲାଣ୍ଡ୍ସକୁ ଛାଡ଼ିଦେଲେ ଅନ୍ୟ ସବୁ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସଂଗ୍ରହ କରିଛି । ତେଣୁ ଶୁକ୍ରବାର ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିବାକୁ ଦଳ ପ୍ରସ୍ତୁତ ।
୨୦୧୯ରେ ଗୋଟିଏ ହେଲେ ମ୍ୟାଚ୍ ଜିତିପାରି ନଥିବା ଆଫଗାନିସ୍ତାନ ଏଥର ୪ଟି ମ୍ୟାଚ୍ ଜିତିଛି । ଗତ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମଧ୍ୟ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ମାତ୍ର ଗ୍ଲେନ ମ୍ୟାକ୍ସୱେଲ୍ ଅପରାଜିତ ୨୦୧ ରନର ଇନିଂସ ଖେଳି ବିଜୟ ଛଡ଼ାଇ ନେଇଥିଲେ । ଆଫଗାନିସ୍ତାନ ଏହି ପରାଜୟ ପରେ ମନୋବଳ ହରାଇ ବସିଛି । ମାତ୍ର ବୋଲିଂ ବିଭାଗ କିଛି ଚମତ୍କାର କରିବା ଆଶା କରାଯାଉଛି । ମୋଟ୍ ଉପରେ ଦେଖିବାକୁ ଗଲେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବ୍ୟାଟର ଓ ଆଫଗାନିସ୍ତାନ ସ୍ପିନରଙ୍କ ମଧ୍ୟରେ ଅସଲ ଲଢେଇ ହେବ ।
ଅହମ୍ମଦାବାଦ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ରାତ୍ରିରେ କାକର ସମ୍ଭାବନା ନଥିବାରୁ ଟସ ବିଜୟୀ ଦଳ ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ । ଆଫଗାନିସ୍ତାନର ସ୍ପିନରମାନେ ଏହି ପିଚ୍ର ଫାଇଦା ଉଠାଇ ପାରିବେ ।
-: ସମ୍ଭାବ୍ୟ ଦଳ :-
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍, ତେମ୍ବା ବଭୁମା, ରାଶି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଡେଭିଡ୍ ମିଲର, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନ୍ଗିଡ଼ି, ତାବ୍ରେଜ ମାସସି ।
ଆଫଗାନିସ୍ତାନ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ମହମ୍ମଦ ନବି, ଇକରାମ ଅଲିଖିଲ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ୍-ହକ୍, ନୁର ଅହମ୍ମଦ ।