ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଆ ଭାଷା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଶତାୟୁ ସ୍କୁଲ, କଲେଜକୁ କୋଟିଏ ଲେଖାଏଁ ଐତିହ୍ୟ ପାଣ୍ଠି

ଭୁବନେଶ୍ୱର,୦୮/୦୨: ଓଡ଼ିଆ ଭାଷାପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଖବର । ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ କରିବାକୁ ରାଜ୍ୟ ସରକାର ନେଇଛନ୍ତି ଐତିହାସିକ ନିଷ୍ପତ୍ତି । ୧୦୦ ବର୍ଷରୁ ଉଦ୍ଧ୍ୱର୍ ସ୍କୁଲ ଓ କଲେଜଗୁଡ଼ିକୁ ମିଳିବ ୧ କୋଟି ଟଙ୍କା ଲେଖାଏଁ ଐତିହ୍ୟ ପାଣ୍ଠି । ସ୍ୱାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨କୋଟି ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେବେ ସରକାର । ଏହାଦ୍ୱାରା ଆମ ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାରେ ଅଧିକ ଅଭିବୃଦ୍ଧି ହେବ ।

ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧,୫୦୦ ହାଇସ୍କୁଲରେ ସ୍ୱତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ । ପରବର୍ତ୍ତୀ ସମୟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସବୁ ହାଇସ୍କୁଲରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇବେ ।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରି ୫-ଟି ଆଧାରରେ ଏ ନିଷ୍ପତ୍ତି ହୋଇଛି । ଓଡ଼ିଆ ଭାଷାକୁ ଅଧିକ ଋଦ୍ଧିମନ୍ତ କରିବାକୁ ସରକାର ଏସବୁ ନିଷ୍ପତ୍ତି ନେଇଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ଘୋଷଣା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପାତ୍ର ଘୋଷଣା କରିଛନ୍ତି, ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜରିଆରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଗବେଷଣାକୁ ସରକାର ଅଧିକ ପ୍ରୋତ୍ସାହିତ କରିବେ । ସରକାର ଏକ ଅନୁବାଦ ନୀତି ପ୍ରଣୟନ କରିବେ । ଭାରତବର୍ଷ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ ।    ବିଭିନ୍ନ ବିଷୟରେ ଓଡ଼ିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ ପ୍ରସ୍ତୁତ ହେବ । ଏଥିପାଇଁ ଗଠନ ହେବ ଓଡ଼ିଆ ଶବ୍ଦକୋଷ କମିଟି ।  

ପ୍ରବାସୀ ଓଡ଼ିଆମାନଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଆଲୋଚନା ଆଧାରରେ ଓଡ଼ିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହିତ କରିବେ ସରକାର । ଏଥିପାଇଁ ଏକ ମଧ୍ୟବର୍ତ୍ତିକାଳୀନ ନୀତି ପ୍ରଣୟନ କରାଯିବ । ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ୱିତ କରିବାକୁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ହେବ । ବିଶେଷଜ୍ଞ ଓ ଭାଷାବିତ୍‌ମାନେ ଏକାଠି ହୋଇ ଆମ ଭାଷାକୁ ଡିଜିଟାଲରେ ଆଗକୁ ନେବାକୁ ଚର୍ଚ୍ଚା କରିବେ । ସରକାରଙ୍କୁ ପରାମର୍ଶ ଦେବେ ।

ସରକାର ନିଷ୍ପତ୍ତି ନେଇଛନ୍ତି, କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ ହେବ । ଏ କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ଯ୍ୟକାରିତା ନେଇ ପ୍ରସ୍ତାବ ଦେବେ । ଏହାକୁ କାର୍ଯ୍ୟକାରୀ କରାଯିବ । ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାରେ  ପ୍ରୟୋଜନ ଥିବା ପ୍ରାସଙ୍ଗିକ ପୁସ୍ତକ ପ୍ରକାଶନ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ ।

ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଅଧିକ ଲୋକପ୍ରିୟ କରିବାକୁ ନିର୍ଦ୍ଧାରିତ ସମୟସୀମାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ  ଗ୍ରହଣ କରାଯିବ । ଏଥିରେ ପ୍ରତିବର୍ଷ ଓଡ଼ିଆ ଭାଷାର ୧୦୦ ଜଣ ଉଦୀୟମାନ ପ୍ରତିଭାଙ୍କୁ ଚୟନ କରାଯିବ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ମାନିତ କରିବେ । ଭାଷା ବୃତ୍ତି ପୁରସ୍କାର ରାଶିର ପରିମାଣ ଓ ସଂଖ୍ୟା ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ଆରମ୍ଭ ହେବ "ମୁଖ୍ୟମନ୍ତ୍ରୀ କପ୍‌' ।

ମନ୍ତ୍ରୀ ସୂଚନା ଦେଇଛନ୍ତି, ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ ସର୍ବସାଧାରଣ ପାଠାଗାର ଅଭିଯାନ ଆରମ୍ଭ କରିବେ ସରକାର । ଦେଶ ମଧ୍ୟରେ ଓ ବାହାରେ ଥିବା ଓଡ଼ିଆ ସଂଗଠନଗୁଡିକୁ ଏହି ଓଡ଼ିଆ ପାଠାଗାର ସ୍ଥାପନ ପାଇଁ ସହଯୋଗ ଯୋଗାଇ ଦିଆଯିବ। ରାଜ୍ୟ ଓ ଦେଶ-ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଇ ଭଉଣୀମାନଙ୍କ ଭିତରେ ସ୍ୱେଛାକୃତ ମନାଭାବର ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାର ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବେ ।

କଟକସ୍ଥିତ ପ୍ରିଣ୍ଟିଂ ମ୍ୟୁଜିୟମକୁ "ଜାତୀୟ ମ୍ୟୁଜିୟମ' ରୂପେ ପରିବର୍ଦ୍ଧିତ କରାଯିବ । ଏଥିରେ ସାରା ବିଶ୍ୱର ମୁଦ୍ରଣ ପରମ୍ପରା ପ୍ରଦର୍ଶିତ ହେବ । ଓଡ଼ିଶା ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ର ରୂପେ ବିକଶିତ କରାଯିବ । ଏଥିପାଇଁ ସରକାର ବର୍ଷକୁ ୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ ।

 ଭାଷା ସମ୍ମିଳନୀ ପ୍ରସ୍ତାବକୁ ଗ୍ରହଣ କରି ସରକାରୀ ଭାବେ ନିଷ୍ପତ୍ତି ହୋଇଛି, ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଦେଶ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି  ବିଶ୍ୱବିଦ୍ୟାଳୟରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଆ ଅଧ୍ୟୟନ ବିଷୟକୁ ନେଇ ଏକ ବାର୍ଷିକ ଆନ୍ତର୍ଜାତିକ ଗବେଷଣା ପତ୍ରିକା   (ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଓଡ଼ିଆ ଷ୍ଟଡିଜ୍‌) ଓଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହେବ ।

ଆମ ଭାଷା ଆମ ଜାତିର ମୁକୁଟ । ପ୍ରତିଟି ଓଡ଼ିଆଙ୍କ ଅସ୍ମିତା ଓଡ଼ିଆ ଭାଷାକୁ ଶିଖରକୁ ନେବାକୁ ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଓଡ଼ିଆ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ (ଓଏଲ୍‌ଏମଏସ୍‌) ପ୍ରସ୍ତୁତ ହେବ । ଏହାଦ୍ୱାରା ଓଡ଼ିଶା ତଥା ଓଡ଼ିଶା ବାହାରେ ବସବାସ କରୁଥିବା ଛାତ୍ର-ଛାତ୍ରୀମାନେ ଅନଲାଇନରେ ଓଡ଼ିଆ ଭାଷା ଶିକ୍ଷା କରପାରିବେ । ଏହାସହ ସାର୍ଟିଫିକେଟ ମଧ୍ୟ ହାସଲ କରିପାରିବେ । ଏହି ସମସ୍ତ ସୁବିଧା ଓଡ଼ିଆ ଭର୍ଚୁଆଲ ଏକାଡେମୀ ୱେବସାଇଟରେ ଉପଲବ୍ଧ ହେବ । ମୂଲ୍ୟବାନ ନଥିପତ୍ରଗୁଡିକର ଉପଯୁକ୍ତ ପଞ୍ଜୀକରଣ, ସଂରକ୍ଷଣ ଓ ପ୍ରସାରଣ ପାଇଁ ସଂଗ୍ରହାଳୟ ଏବଂ ଅଭିଲେଖାଗାରକୁ ଅଧିକ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏ ନିଷ୍ପତ୍ତି ଓଡ଼ିଆ ଭାଷାକୁ ଆଉ ଏକ ଉଚ୍ଚତାକୁ ନେବାରେ ଢ଼େର ସହାୟକ ହେବ ବୋଲି ଭାଷାବିତ୍‌ମାନେ ମତ ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.