ବରଗଡ଼, ୧୧/୦୯ : ବରଗଡ଼ ସୋହେଲାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ବିଷପାନ ଘଟଣା। ସପ୍ତାହକରେ ନିଶ୍ଚିହ୍ନ ହୋଇଗଲେ ପୁରା ପରିବାର। ବାପାଙ୍କ ପରେ ପରିବାରର ୩ ସଦସ୍ୟ ଆଖି ବୁଜିଛନ୍ତି। ଗତକାଲି ଭାଇ ଭଉଣୀ, ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଙ୍କ ମୃତ୍ୟୁ ଘଟିଛି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମାଙ୍କ ମୃତ୍ୟୁ ଘଟିଛି। ୬ରେ ବାପାଙ୍କ ମୃତ୍ୟୁ ପରେ ପୁରା ପରିବାର ମାନସିକ ଦୁଶ୍ଚିନ୍ତାରେ ଥିଲା। ଗତକାଲି ଦିନ ୧୧ଟାରେ ମା ଓ ଭାଇଭଉଣୀ ବିଷ ପିଇ ଦେଇଥିଲେ।
ସୂଚନାମତେ, ମାଷ୍ଟରପଡ଼ାର ଅର୍ଜୁନ ସୋହେଲାରେ ଏକ କଂସାବାସନ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ, ପୁଅ, ଝିଅଙ୍କୁ ନେଇ ତାଙ୍କ ହସଖୁସିର ଛୋଟିଆ ସଂସାର । ଅର୍ଜୁନ ତାଙ୍କ ଏକମାତ୍ର ଝିଅ ସୁବର୍ଣ୍ଣାକୁ ଛତିଶଗଡ଼ରେ ବାହା ଦେଇଥିଲେ । କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ୨ ବର୍ଷର ଝିଅକୁ ଧରି ବାପ ଘରେ ରହୁଥିଲେ । ଇତି ମଧ୍ୟରେ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଅର୍ଜୁନ ଚିକିତ୍ସିତ ହେଉଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତ ୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ଘର ମୁଖିଆଙ୍କ ମୃତ୍ୟୁରେ ପରିବାରର ବାକି ୩ ସଦସ୍ୟ ଭାଙ୍ଗି ପଡ଼ିବା ସହ ଅଧିକାଂଶ ସମୟ ଘର ଭିତରେ ଚୁପ ହୋଇ ରହିଲେ । ବାହାରକୁ ବେଶି ବାହାରୁ ନଥିଲେ । ଏପରି କି ଘର ମୁଖିଆଙ୍କ ମୃତ୍ୟୁ ପରେ ଭବିଷ୍ୟତ କଥା ଚିନ୍ତା କରି ସେମାନେ ମାନସିକ ଚାପରେ ମଧ୍ୟ ଥିଲେ । ଏଥିଲାଗି ପୂର୍ବରୁ ବି ସପରିବାର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ । ପାଖ ପଡ଼ିଶା ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କ ଠାରୁ କୀଟନାଶକ ଛଡ଼ାଇଥିଲା । କାଳେ ପରିବାର ଲୋକେ ଆତ୍ମହତ୍ୟା କରିଦେବେ ବୋଲି ସାହିଭାଇ ଜଗି ରହୁଥିଲେ ।
ଶନିବାର ପୁଣି ସେମାନଙ୍କ ଆତ୍ମହତ୍ୟା ଯୋଜନା ସମ୍ପର୍କରେ ଖବର ପାଇ ପଡ଼ାର କିଛି ଲୋକ ତାଙ୍କୁ ରାତିରେ ଜଗି ରହିଥିଲେ । କିନ୍ତୁ ଆଜି ସକାଳେ ଘର କବାଟ ବନ୍ଦ ଥିବା ଏବଂ ସୁବର୍ଣ୍ଣାଙ୍କ କୁନି ଝିଅଟି କାନ୍ଦୁଥିବା ଶୁଣି କିଛି ଅଘଟଣ ସନ୍ଦେହ କରିଥିଲେ । ଏପରି କି ଘରୁ କୀଟନାଶକର ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ତୁରନ୍ତ ପଡ଼ାବାସୀ, ସୋହେଲାର କିଛି ସ୍ୱେଚ୍ଛାସେବୀ ଓ ପୁଲିସକୁ ଖବର ଦେଇଥିଲେ । ପରେ କବାଟ ଭାଙ୍ଗି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ନେବା ବାଟରେ ସୁବର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ବେଳେ ବୁର୍ଲା ଡାକ୍ତରଖାନାରେ ବଂଶୀଧରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ବୁର୍ଲାରେ ବଂଶୀଧରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । କୁମୁଦିନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମହିଳା ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଛି । ସୁବର୍ଣ୍ଣାଙ୍କ କୁନି ଝିଅ ଏବେ ଅସହାୟ ଅବସ୍ଥାରେ ସାହିଭାଇଙ୍କ ହେପାଜତରେ ରହିଛି । ଘରର ମୁରବୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମସ୍ତେ ଦୁଶ୍ଚିନ୍ତାରେ ରହୁଥିଲେ ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ପରିବାରର ଏଭଳି ଚରମ ପଦକ୍ଷେପ ପରେ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ କେହି ଜଣେ ନାହାନ୍ତି